"ନଇଁବି ନାହିଁ'ର ପରିଣତି
ଛୋଟ କଥାର ବଡ଼ ବିଚାର "ଅମୃତ ବିନ୍ଦୁ ।' "ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା "ନଇଁବି ନାହିଁ'ର ପରିଣତି ବାବଦରେ କିଛି କଥା । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା ।
ଜୀବନ ସବୁବେଳେ ଏକ ସମାନ ଧାରରେ ଗତି କରେ ନାହିଁ । ସୁଖ, ଦୁଃଖ, ଭଲମନ୍ଦ ସମସ୍ୟା ଆଦି ଜୀବନକାଳ ମଧ୍ୟରେ ଭୋଗିବାକୁ ପଡ଼େ । ଏହିଭଳି ସମସ୍ୟା ଆସୁଥିବା କ୍ଷେତ୍ରରେ କେବେ କେବେ ମଣିଷକୁ ନଇଁଯିବାକୁ ପଡ଼େ । ସବୁବେଳେ ନିଜର ଗର୍ବ ଓ ଅହଙ୍କାରକୁ ନେଇ "କାହାରି ଆଗରେ ନଇଁବି ନାହିଁ' ବୋଲି ଜିଦ୍ଦି କରି ବସିଲେ ତାହା ଦିନେ ନା ଦିନେ ଘୋର ବିପତ୍ତିର ଆଡ଼କୁ ଟାଣି ନିଏ । ବହୁ ଅସୁବିଧାର ସମ୍ମୁଖୀନ ହେବାକୁ ପଡେ ।
ଘାସଗଛ ନିଜର ପରିଚିତି ସୃଷ୍ଟି କରିଛି । ଘାସ, ଘାସର ଗୁଣ ନେଇ ବଞ୍ଚିରହେ । ଦ୍ରୁମ ଦ୍ରୁମର ଗୁଣ ନେଇ ବଞ୍ଚି ରହେ । ଘାସ ଦ୍ରୁମ ନୁହେଁ କିମ୍ବା ଦ୍ରୁମ ଘାସ ନୁହେଁ । ହେଲେ ନିଜ ନିଜର ଗୁଣ ହେତୁ ଯେତେ ଦିନ ଧରି ବର୍ଷା ନହେଲେ ମଧ୍ୟ ଦ୍ରୁମର କିଛି କ୍ଷତି ହୁଏନାହିଁ । ଘାସ ଶୁଖି ମରିଯାଏ । ପ୍ରକୃତରେ ବର୍ଷା ଯେତେଦିନ ନହେଲେ ମଧ୍ୟ ଘାସ ଉପରକୁ ଶୁଖିଲା ଦେଖା ଯାଉଥିଲେ ମଧ୍ୟ ଏକ ସୁପ୍ତ ଅବସ୍ଥାରେ ପରିସ୍ଥିତି ଆଗରେ ନଇଁ ଯାଇ ଶୋଇଯାଏ । ଏହା ଫଳରେ ଯେତେ ପ୍ରଚଣ୍ଡ ଖରା ହେଲେ ବି ଯଦି ଅସରାଏ ଦୁଇ ଅସରାଏ ବର୍ଷା ହୋଇଯାଏ ଘାସ ପୁଣି ନୂଆ ରୂପରେ କଅଁଳି ଉଠେ । ଅନ୍ୟପକ୍ଷରେ ଯଦି ନଈବଢ଼ି କିମ୍ବା ବନ୍ୟା ଆସେ ଘାସ ବନ୍ୟାପାଣିରେ ମଧ୍ୟ ନଇଁ ଯାଏ ଏବଂ ତାହା ଉପରେ ବନ୍ୟାଜଳ ପ୍ରବାହିତ ହୋଇ ଚାଲିଯାଏ । ବନ୍ୟାଜଳ ପ୍ରବାହିତ ହେଲା ପରେ ବଢ଼ି ଛିଡ଼ି ଗଲେ ଘାସ ପୁଣି ମୁଣ୍ଡ ଟେକି ଠିଆ ହୁଏ । ମାତ୍ର ଦ୍ରୁମ ନଇଁପାରେ ନାହିଁ । ବନ୍ୟାରେ ଚେର ସହିତ ଉପୁଡ଼ି ଭାସିଯାଏ । ଏ ହେଉଛି ଗର୍ବ ଏବଂ ଅତି ଗର୍ବ ତଥା ନମନୀୟ ଗୁଣକୁ ନେଇ ଏକ ଉତ୍ତମ ଉଦାହରଣ । ଯିଏ ସହେ ସିଏ ରହେ । ତେଣୁ ଟିକେ ନଇଁ ପଡ଼ିବା ବି ବହୁ ସମୟରେ ଭଲ । ନଇଁଗଲେ ଜୀଇଁ ଯିବ, ମୁଣ୍ଡ ଟେକିଲେ ମୁଣ୍ଡ କଟିଯିବ । ଏହା ହିଁ ସାମାଜିକ ଜୀବନରେ ଏକ ଚିରାଚରିତ କଥା । ଜୀବନରେ ସବୁବେଳେ ମୁଣ୍ଡ ଟେକି ଚଳିବା ସହଜ ନୁହେଁ । ମୁଣ୍ଡ ଟେକି ଚଳିବାକୁ ହେଲେ କିଛିଟା ବୁଝାମଣାର ଆବଶ୍ୟକତା ଅଛି । ସବୁବେଳେ ମୁଣ୍ଡ ଟେକିଲେ କେତେବେଳେ ମୁଣ୍ଡରେ ଠେଙ୍ଗା ବାଜିଯିବ ତାହା କହିହେବ ନାହିଁ ।
ପଢ଼ିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ । ଆସନ୍ତୁ ପ୍ରତ୍ୟେକ ଦିନ ଆମେ "ଅମୃତ ବିନ୍ଦୁ' ମାଧ୍ୟମରେ ଜୀବନର କେତେ କଥା ବାବଦରେ ଜାଣିବା । ନମସ୍କାର ।