ମହାନ ବିପ୍ଲବୀ ବୀର୍ସାମୁଣ୍ଡା
ଡ.ରାଜକିଶୋର ନାୟକ : ପ୍ରାକ ଐତିହାସିକ ଯୁଗରୁ ନିଜର ଅସ୍ତିତ୍ୱ ଓ ଅସ୍ମିତା ପାଇଁ ଆଦିବାସୀ ସମ୍ପ୍ରଦାୟ ଲଢିଆସିଛି । ମାତ୍ର ତା’ର ଲଢେଇ ହତାଶା ଓ ଉପେକ୍ଷା ମଧ୍ୟରେ ବିଡମ୍ବିତ ହୋଇଛି । ବଣ ଜଙ୍ଗଲ କାଟି, ପଥର ଫଟାଇ କ୍ଷେତ ତିଆରି କରି, ସୁନାର ଫସଲ ଫଳାଉଥିବା ଆଦିବାସୀ ସମ୍ପ୍ରଦାୟ ଶୋଷଣ ଓ ନିର୍ଯାତନାର ଶିକାର ହୋଇ ଭୋକ ଉପାସରେ କାଳାତିପାତ କରିବାକୁ ବାଧ୍ୟ ହୋଇଛି । ବାହାରୁ ଛୁଟିଆସିଥିବା ମହାଜନ, ଜମିଦାର ଓ ବ୍ୟବସାୟୀ ବିଭିନ୍ନ ଉପାୟରେ ସେମାନଙ୍କ ସର୍ବସ୍ୱ ଲୁଣ୍ଠନ କରି ପରିଶେଷରେ ଗୋତି ଖଟାଇବାକୁ ପଶ୍ଚାତପାଦ ହୋଇ ନାହାଁନ୍ତି ।
ଅତୀତରେ ଛୋଟନାଗପୁର ଅଞ୍ଚଳର ବଣମୁଲକରେ ବହୁ ସଂଖ୍ୟାରେ ମୁଣ୍ଡା ଆଦିବାସୀ ବାସ କରୁଥିଲେ । ଇଂରେଜ ଶାସନର ଛତ୍ର ଛାୟା ତଳେ ଜମିଦାର ଓ ମହାଜନମାନେ ସେମାନଙ୍କ ଜମି ଜବର ଦଖଲ କରି ବେଠି ଖଟାଉଥିଲେ । ବିଦେଶାଗତ ପାଦ୍ରୀମାନେ ମୁଣ୍ଡାମାନଙ୍କ ମୂଳ ଧର୍ମ ଓ ସଂସ୍କୃତିକୁ ଧ୍ୱଂସ କରି ଖ୍ରୀଷ୍ଟ ଧର୍ମରେ ଦୀକ୍ଷିତ କରିବା ଆରମ୍ଭ କଲେ । ବସ୍ତୁତଃ, ବୁଭୁକ୍ଷୁ, ନିଷ୍ପେସିତ ଓ ବାସ୍ତୁହରା ମୁଣ୍ଡାଜାତି ଚରମ ଦୁର୍ଦ୍ଦଶାର ସମ୍ମୁଖୀନ ହୋଇଥିଲା । ଏମିତି ଏକ ଘଡିସନ୍ଧି ମୁହୂର୍ତ୍ତରେ ବୀର୍ସାମୁଣ୍ଡାଙ୍କ ଆବିର୍ଭାବ, ମୁଣ୍ଡାମାନଙ୍କ ମଧ୍ୟରେ ବୈପ୍ଳବିକ ବହ୍ନି ସୃଷ୍ଟି କରିଥିଲା । ମୁଣ୍ଡାମାନଙ୍କ ଅଧିକାର ଏବଂ ଅତ୍ୟାଚାର ବିରୁଦ୍ଧରେ ଲଢେଇ ତୀବ୍ରରୂପ ନେଇଥିଲା । ବୀର୍ସାମୁଣ୍ଡାଙ୍କ ଜନ୍ମ ୧୮୭୫ ମସିହା ନଭେମ୍ବର ୧୫ ତାରିଖରେ ରାଞ୍ôଚ ନିକଟସ୍ଥ ‘ଉଲିହାତୁ’ ଠାରେ ହୋଇଥିଲା । ପିତା ସୁଗନା ମୁଣ୍ଡା ଓ ମାତା କରମୀ ମୁଣ୍ଡାଙ୍କର ଚତୁର୍ଥ ସନ୍ତାନ ଥିଲେ । ଅଭାବ ଓ ଅନାଟନର ତାଡନା ମଧ୍ୟରେ ତାଙ୍କର ବାଲ୍ୟ ଜୀବନ ଅତିବାହିତ ହୋଇଥିଲା । ପାଞ୍ଚ ବର୍ଷ ବୟସରେ ବୀର୍ସା ମାମୁଁ ଘରେ ଯାଇ ରହିଥିଲେ । ସେଠାରେ ମାଉସୀ ଜାନୀ ମୁଣ୍ଡା ବୀର୍ସାଙ୍କୁ ଅତ୍ୟନ୍ତ ସ୍ନେହ କରୁଥିଲେ । ତାଙ୍କର ପାଠପଢାର ଆଗ୍ରହ ଦେଖି ସାଲଗା ଠାରେ ଥିବା ଜୟପାଲ ନାଗଙ୍କ ଚାଟଶାଳୀରେ ପଢିବା ପାଇଁ ବନ୍ଦୋବସ୍ତ କରାଯାଇଥିଲା । ମାତ୍ର ଇତି ମଧ୍ୟରେ ଜାନୀ ମୁଣ୍ଡାଙ୍କ ବିବାହ ହୋଇଯିବାରୁ ବୀର୍ସା ମଧ୍ୟ ମାଉସୀଙ୍କ ସହିତ ଚାଲିଗଲେ । ସେଠାରେ ମାଉସୀଙ୍କ ଗୃହରେ ରହି ବୀର୍ସା ଗାଈଗୋରୁ ଚରାଇବା କାମ କରିଲେ । ପିଲାଟି ଦିନରୁ ବୀର୍ସା ବଂଶୀ ଓ ଟଇଲା ବଜାଇବାରେ ଅତ୍ୟନ୍ତ ପାରଙ୍ଗମ ଥିଲେ । ବଣରେ ଗୋରୁ ଗାଈଙ୍କୁ ଛାଡି ଦେଇ, ଗଛମୂଳେ ବସି ସେ ବଂଶୀ ଫୁଙ୍କୁଥିଲେ । ଥରେ ସେ ଗଛମୂଳେ ଶୋଇ ପଡିବାରୁ ଗାଈ ଗୋରୁ ଯାଇ ଅନ୍ୟର ଫସଲ ନଷ୍ଟ କରିଦେଲେ । ଏହା ଜାଣିଲା ପରେ, ତାଙ୍କ ମଉସା ଉତ୍କ୍ଷିପ୍ତ ହୋଇ ବୀର୍ସାଙ୍କୁ ପ୍ରହାର କରିଥିଲେ । ବୀର୍ସା ମାଉସୀଙ୍କ ଘର ଛାଡି ନିଜ ବଡଭାଇ କୋମତାଙ୍କ ନିକଟକୁ ଲୁଚି ପଳାଇଲେ । ବୁର୍ଜୁ ଠାରେ ପାଠପଢା ପାଇଁ ୧୮୮୬ ମସିହାରେ ଚାଇଁବସା ଠାରେ ତାଙ୍କର ରହିବା ଓ ପଢିବା ବନ୍ଦୋବସ୍ତ କରାଯାଇଥିଲା । ସେ ସମୟରେ ପାଠ ପଢିବା ପାଇଁ ସରକାରୀ ସ୍ତରରେ କୌଣସି ବ୍ୟବସ୍ଥା ନଥିଲା । ଖ୍ରୀଷ୍ଟଧର୍ମୀଙ୍କ ପାଇଁ ମିଶନାରୀ ସ୍କୁଲ ହିଁ ଏକମାତ୍ର ଅନୁଷ୍ଠାନ ଥିଲା ।
ଏହା ପୂର୍ବରୁ ବୀର୍ସାଙ୍କ ବଂଶ ଖ୍ରୀଷ୍ଟ ଧର୍ମ ଗ୍ରହଣ କରିସାରିଥିଲେ । ପ୍ରଥା ଅନୁସାରେ ବୀର୍ସାଙ୍କୁ ମଧ୍ୟ ଉକ୍ତ ପଥ ଅନୁସରଣ କରିବାକୁ ପଡିଥିଲା । ବୀର୍ସାଙ୍କ ଖ୍ରୀଷ୍ଟ ଧର୍ମର ନାମଥିଲା ଦାଉଦ ମୁଣ୍ଡା । ସେ ଚାଇଁବସାରେ ପଢୁଥିଲା ବେଳେ ଡକ୍ଟର ନଟ୍ରେଟ ଥିଲେ ମିଶନର ମୁଖ୍ୟ ପୁରୋଧା । ଉକ୍ତ ସମୟରେ ନିଜର ଜମି ଫେରିପାଇବ ବୋଲି କେତେକ ମୁଣ୍ଡା ସର୍ଦ୍ଦାର ଆନ୍ଦୋଳନର ସୂତ୍ରପାତ କରିଥିଲେ । ମାତ୍ର ବ୍ରିଟିଶ ଶାସନ ସୈନ୍ୟପଠାଇ ମୁଣ୍ଡାମାନଙ୍କୁ ଗିରଫ କରି ଜେଲ୍ ପଠାଇଲେ । ଦୁର୍ଭାଗ୍ୟବଶତଃ, ଜେଲରେ ଆଠଜଣ ସର୍ଦ୍ଦାରରଙ୍କ ମୃତ୍ୟୁ ହୋଇଥିଲା । ମୁଣ୍ଡାମାନଙ୍କର ଜମି ଫେରାଇବା ପାଇଁ ପ୍ରତିଶ୍ରୃତି ଦେଇ ଡକ୍ଟର ନଟ୍ରେଟଙ୍କୁ ସାକ୍ଷାତ କଲେ, ସେ ବିରକ୍ତ ହୋଇ ମୁଣ୍ଡାମାନଙ୍କୁ ଠକ ଓ ପ୍ରତାରକ କହି ଉର୍ତ୍ସନା କଲେ । ବୀର୍ସାଙ୍କ ସହିତ ଡ.ନଟ୍ରେଟଙ୍କ ଯୁକ୍ତିତର୍କ ହେଲା । ମୁଣ୍ଡାମାନଙ୍କ ପ୍ରତି ଡ.ନଟ୍ରେଟଙ୍କ ଦୁର୍ବ୍ୟବହାରର ସେ ପ୍ରବଳ ପ୍ରତିବାଦ କରିଥିଲେ । ଏହାପରେ ବୀର୍ସାଙ୍କୁ ବିଦ୍ୟାଳୟରୁ ବହିଷ୍କାର କରାଗଲା । ନିଜର କର୍ମପ୍ରତି ତିଳେମାତ୍ର ଅନୁଶୋଚନା ନକରି ସେ ଜୀବନଯୁଦ୍ଧରେ ନିଜକୁ ସମର୍ପଣ କଲେ । ବନ୍ଦଗାଁର ଜମିଦାରଙ୍କ ମୁନସୀ ଆନନ୍ଦ ପାଣ୍ଡେଙ୍କ ସହିତ ବୀର୍ସାଙ୍କ ସାକ୍ଷାତ ପରେ ତାଙ୍କ ବ୍ୟକ୍ତିତ୍ୱର ଚରମ ବିକାଶ ଦେଖା ଦେଇଥିଲା । ମୁନସୀ ଆନନ୍ଦ ପାଣ୍ଡେ ବୈଷ୍ଣବ ଧର୍ମର ସାରତତ୍ତ୍ୱ ବୀର୍ସାଙ୍କୁ ବୁଝାଇଥିଲେ । ତତ୍ ସହିତ ରାମାୟଣ ଓ ମହାଭାରତର କଥାବସ୍ତୁ ମଧ୍ୟ ତାଙ୍କୁ ଶୁଣାଇଥିଲେ । ଏହାର ଗଭୀର ପ୍ରଭାବ ବୀର୍ସାଙ୍କ ଉପରେ ପଡିଥିଲା ।
“ହେନ୍ଦେ ରାନବ୍ରା କେଚେକେଚେ
ପୁନଡି ରାନବ୍ରା କେଚେକେଚେ ।”
ବସ୍ତୁତଃ, ବିପ୍ଲବୀ ମୁଣ୍ଡାମାନେ ରକ୍ତମୁଖୀ ହୋଇ ବାହାରି ପଡିଲେ । ତତ୍ ସହିତ ବିପ୍ଲବୀମାନେ ଜଣେ ଜଙ୍ଗ ଠିକାଦାର ଓ ତାଙ୍କର ଚାକରକୁ ହତ୍ୟାକଲେ । ୧୮୯୮ ମସିହାରେ ଗୟା ମୁଣ୍ଡା ନାମକ ବିଦ୍ରୋହୀ ଗୃହରେ ଗୁପ୍ତ ବୈଠକ ବସିଥିଲା ବେଳେ, ଦୁଇଜଣ ସିପାହୀ ସେମାନଙ୍କୁ ବନ୍ଦୀ କରିବା ପାଇଁ ଆସି ପହଁଞ୍ôଚ ଥିଲେ । ବିଦ୍ରୋହୀମାନେ ସେମାନଙ୍କୁ ନିର୍ମମ ଭାବରେ ହତ୍ୟା କଲେ ତେଣୁ ପୋଲିସ କମିଶନର ଷ୍ଟ୍ରଟଫିଲଡ ନିଜେ ଆସି ଗୟା ମୁଣ୍ଡାଙ୍କୁ ଗିରଫ କରିଥିଲେ । ୧୮୯୯ ମସିହାେ ଡୋମ୍ବରୀ ପାହାଡ ଉପରେ ମୁଣ୍ଡାମାନଙ୍କ ଏକ ବୈଠକ ବସିଲା । ଏଠାରେ ସମସ୍ତେ ଶପଥ ନେଇଥିଲେ, ସେମାନେ ଠାକୁର ସଞ୍ଜବୋଙ୍ଗା ନିର୍ଦ୍ଦେଶାନୁସାରେ ମୁଣ୍ଡା ରାଜ୍ୟ ପ୍ରତିଷ୍ଠା କରିବେ । ସେମାନେଙ୍କ ସଂକଳ୍ପ ପୂରଣ ନହେଲାଯାଏ ମହିଳାମାନେ ଗହଣା ପିନ୍ଧିବେ ନାହିଁ, ମୁଣ୍ଡ କୁଣ୍ଡାଇବେ ନାହିଁ ଏବଂ କେହି କରମ ନାଚ କରିବେ ନାହିଁ ।
ଏହା ପରେ ଖୁଣ୍ଟି ଅଞ୍ଚଳରେ କେତେକ ଜମିଦାର ଘରେ ସେମାନେ ନିଆଁ ଲଗାଇଦେଲେ । ସିଂହଭୂମି ଜିଲ୍ଲାରେ ଛଅଟି ଥାନା ଜଳାଇ ଦେଲେ । ବିଦ୍ରୋହୀଙ୍କ ତୀରମାଡରେ ଦୁଇ ସିପାହୀ ମୃତ୍ୟୁବରଣ କରିଥିଲେ । ଉତ୍ୟକ୍ତ ବୀର୍ସା ବାହିନୀ ଖୁଣ୍ଟିଥାନା ଉପରେ ଆକ୍ରମଣ କରିବା ଫଳରେ ଜଣେ କନେଷ୍ଟବଳର ମୃତ୍ୟୁ ହେଲା । ପ୍ରତିଶୋଧ ପରାୟଣ ହୋଇ କମିଶନର ଫେବର୍ସ ମୁଣ୍ଡାମାନଙ୍କ ଗୃହ ଜଳାଇ ଦେଲେ । ସେମାନଙ୍କ ଖାଦ୍ୟଶସ୍ୟ ନଷ୍ଟ କରିଦେଲେ । ବୀର୍ସାଙ୍କୁ ଧରିନପାରି ୫୦୦ ଟଙ୍କା ପୁରସ୍କାର ଘୋଷଣା କଲେ । ବୀର୍ସା ଲୁଚିଛଫି ସେନ୍ତେରା ଜଙ୍ଗଲକୁ ଚାଲିଗଲେ । କଠିନ ପରିଶ୍ରମ ଓ ଉପବାସ ହେତୂୁ ବୀର୍ସା ସେଦିନ ଥକି ପଡି ଗୋଟିଏ ବୃକ୍ଷ ଦେହରେ ଡେରି ଘୁମେଇ ପଡିଲେ । ପରମୀ ଓ ଶାଲୀ ନାମକ ଦୁଇଜଣ ମୁଣ୍ଡା ଯୁବତୀ ରୋେଇ କରୁଥିଲେ । ରୋଷେଇ ସ୍ଥାନରୁ ଉପରକୁ ଯେଉଁ ଧୂଆଁ ଉଠୁଥିଲା, ତାକୁ ଲକ୍ଷ୍ୟ କରି ବିଶ୍ୱାସଘାତକ ମାଝି ତାମରିଆ ସାହାଯ୍ୟରେ ପୋଲିସ ବାହିନୀ ବୀର୍ସାଙ୍କୁ ଗିରଫ କରିଥିଲେ । ଏହାପରେ ତାଙ୍କୁ ରାଞ୍ôଚ ଜେଲ୍ରେ ରଖାଯାଇଥିଲା । ବୀର ବୀର୍ସା ୧୯୦୦ ମସିହା ଜୁନ୍ ୯ ତାରିଖରେ ଜେଲ୍ ମଧ୍ୟରେ ରକ୍ତବାନ୍ତି କରି ମୃତ୍ୟୁବରଣ କରିଥିଲେ । ଦାସତ୍ୱ ଓ ପରାଧୀନତା ବିରୁଦ୍ଧରେ ତାଙ୍କର ସଂଗ୍ରାମର ଅନ୍ତ ଘଟିଥିଲା । ଆଜି ମଧ୍ୟ ଅସଂଖ୍ୟ ବୀର୍ସା ଭକ୍ତ ତାଙ୍କୁ ଭଗବାନ ଭାବେ ପୂଜାକରି ଭକ୍ତିପୂତ ଅର୍ଘ୍ୟ ଅର୍ପଣ କରିଛନ୍ତି ।
ଭୁଗୁଡାକଟା,ବାରିପଦା
ମୋ: ୯୪୩୭୦୧୫୬୮୧