ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ରରେ ଚାକିରି ଅଭିଯୋଗ
ଢେଙ୍କାନାଳ : ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତରଞ୍ଜନ ସାହୁଙ୍କ ନାମରେ ଆସିଛି ସାଂଘାତିକ ଅଭିଯୋଗ । ଜାଲ ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରୀ ହାତେଇଥିବା ଅଭିଯୋଗ ହୋଇଛି । ଏହାକୁ କେନ୍ଦ୍ରକରି ଛାତ୍ରମାନେ ଥରକୁ ଥର ଆନେ୍ଦାଳନ କରୁଥିବାବେଳେ ସନ୍ତୋଷଜନକ ନ୍ୟାୟ ପାଉନଥିବାରୁ କୁହୁଳୁଛି ଅଶାନ୍ତି । ମହାବିଦ୍ୟାଳୟରୁ ଅଧ୍ୟକ୍ଷଙ୍କୁ ହଟେଇବାକୁ ଦାବିରଖି ଆନେ୍ଦାଳନରୁ ଓହରୁନାହାଁନ୍ତି ଛାତ୍ରଛାତ୍ରୀ । ମହାବିଦ୍ୟାଳୟର ମୁଖ୍ୟ ଫାଟକରେ ତାଲା ପକାଇ ଅଧ୍ୟକ୍ଷ ସାହୁଙ୍କ କୁଶପୁତଳିକା ଦାହ କରିଛନ୍ତି ।
ପ୍ରକାଶ ଥାଉକି, ଢେଙ୍କାନାଳ ସ୍ୱୟଂଶାସିତ ମହାବିଦ୍ୟାଳୟର ଅଧ୍ୟକ୍ଷ ଚିତରଞ୍ଜନ ସାହୁ ନକଲି ଦିବ୍ୟାଙ୍ଗ ପ୍ରମାଣପତ୍ର ଦେଇ ଚାକିରୀ ହାତେଇଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ଗତମାସରେ ଛାତ୍ରମାନେ ଦୁଇଥର ଆନେ୍ଦାଳନ କରିବା ସହ ମୁଖ୍ୟମନ୍ତ୍ରୀ ଓ ଆରଡିସିଙ୍କୁ ମଧ୍ୟ ଜଣାଇଥିଲେ । ଆରଡିସିଙ୍କ ନିଦେ୍ର୍ଦଶକ୍ରମେ ଗତମାସ ୧୮ ତାରିଖରେ ଜିଲ୍ଲା ପ୍ରଶାସନ ପକ୍ଷରୁ ତଦନ୍ତ କରାଯାଇ ବିଭାଗୀୟ ଉଚ୍ଚ କର୍ତ୍ତୃପକ୍ଷଙ୍କୁ ରିପୋର୍ଟ ପ୍ରଦାନ କରାଯାଇଥିଲା ।