ନକ୍ସାରେ ସରକାରୀ ଜମିକୁ ଦେଖାଇ ବିକ୍ରି ପ୍ରୟାସ
ଝାରସୁଗୁଡା : ରାଜ୍ୟରେ ମାଳ ମାଳ ଜମି ଦୁର୍ନୀତି ଘଟଣା ସାମ୍ନା କୁ ଆସୁଥିବା ବେଳେ ଝାରସୁଗୁଡା ଜିଲ୍ଲାରେ ମଧ୍ୟ ଜମି ଦୁର୍ନୀତି ଘଟଣା ସାମ୍ନାକୁ ଆସିଛି । ଝାରସୁଗୁଡା ଜିଲ୍ଲାରେ ଶିଳ୍ପ ଯେମିତି ହୁ ହୁ ବଢ଼ି ଚାଲିଛି ସେହି କ୍ରମରେ ଜମିର ଦର ମଧ୍ୟ ବଢ଼ି ଚାଲିଛି । ସାଧାରଣର ଲୋକଟି ଜମି କିଣିବା କଷ୍ଟ ସାଧ୍ୟ ହୋଇପଡିଛି । ବଢୁଥିବା ଜମିର ଦର ଦେଖି ଏବେ ଜିଲ୍ଲା ରେ ସକ୍ରିୟ ହେଉଛନ୍ତି ଜମି ଦଲାଲ । ଝାରସୁଗୁଡା ସହର ସ୍ଥିତ ସଦର ଥାନା ଅନ୍ତର୍ଗତ ବିଟିଏମ ଛକ ମୁଖ୍ୟ ରାସ୍ତା ନିକଟରେ ଜିଲ୍ଲା ବନଖଣ୍ଡ ଅଧିକାରୀଙ୍କ କାର୍ଯ୍ୟାଳୟକୁ ଲାଗି ରହିଥିବା ଏକ ସରକାରୀ ଜମିରେ ୩୦ ଫୁଟର ରାସ୍ତା ନକ୍ସା ତିଆରି କରି ଜମି ଦଲାଲ ମାନେ ପ୍ଳଟିଙ୍ଗ କରି ଜମି ବିକ୍ରି କରିବା ପାଇଁ ପ୍ରୟାସ କରୁଥିବା ଅଭିଯୋଗ ହୋଇଛି । କେବଳ ସେତିକି ନୁହଁ ବିଦୁ୍ୟତ ବିଭାଗ ର ବିନା ଜ୍ଞାତ ସାରରେ ସେହି ରାସ୍ତାର ସ୍ଥାନେ ସ୍ଥାନେ ବିଦୁ୍ୟତ ଖୁଣ୍ଟ ଗୁଡିକ ମଧ୍ୟ ପୋତା ଯାଇଛି । ସ୍ଥାନୀୟ ଜନସାଧାରଣଙ୍କ ଅଭିଯୋଗ କ୍ରମେ ବିଟିଏମ ଅଂଚଳରେ ଥିବା ଟାଉନ ୟୁନିଟ ନମ୍ବର - ୧ ମୌଜା ରେ ଥିବା ୮୨ ଡେସିମିଲ ଜମି ମଧ୍ୟରେ ସର୍ବସାଧାରଣଙ୍କ ପାଇଁ ରକ୍ଷିତ କିସମର ସରକାରୀ ଜମି ରହିଛି । ଉକ୍ତ ଜମିକୁ ଲାଗି ଜମି ଦଲାଲ ମାନେ ଜମି ପ୍ଳଟିଙ୍ଗ କରି ଜମି ବିକ୍ରି କରୁଛନ୍ତି ।
ସରକାରୀ ରାସ୍ତାର କିସମ ନ ଥାଇ ରକ୍ଷିତ କିସମ ଜମି ରେ ୩୦ ଫୁଟ ର ରାସ୍ତାର ନକ୍ସା ବନାଇ ଜମି ବିକ୍ରି କରି ମୋଟା ଅଙ୍କ ର ଅର୍ଥ ହାସଲ କରିବା ପାଇଁ ଚେଷ୍ଟା କରିବା ଦ୍ୱାରା ସରକାରଙ୍କ ରାଜସ୍ୱ ହାନୀ ହେବାସହ ସର୍ବସାଧାରଣଙ୍କ ସ୍ୱାର୍ଥରେ କ୍ଷତି ପହଁଞ୍ଚାଉଛି । ନେଇ ଆମେ ଝାରସୁଗୁଡା ଉପଜିଲ୍ଲାପାଳ ସବ୍ୟସାଚୀ ପଣ୍ଡାଙ୍କୁ ପଚାରିବାରୁ ସେ କହିଛନ୍ତି ୩୦ ଫୁଟ ରାସ୍ତା ଦେଇଥିବା କିସମ ସରକାରୀ ଅଟେ ତାହାହେଲେ କିଛି ଅସୁବିଧା ନାହିଁ କିନ୍ତୁ ତାର କିସମ ଯଦି ରକ୍ଷିତ ଅଛି ତାହାହେଲେ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୂଚନା ଦେଇଛନ୍ତି । କିଛିଦିନ ତଳେ ସେହି ଅଞ୍ଚଳରେ ଏକ ଜମି ଦୁର୍ନୀତି ଘଟଣା ସାମ୍ନା କୁ ଆସିଥିଲା । ଜନ ସାଧାରଣ ଙ୍କ ଅଭିଯୋଗ କ୍ରମେ ଜିଲ୍ଲା ପ୍ରଶାସନ ପକ୍ଷରୁ ସେ ଜମି ର ପଟ୍ଟା କୁ ଖାରଜ କରାଯାଇଥିଲା । ଝାରସୁଗୁଡା ରେ ଯେଉଁ ହାରରେ ଜମି ଦଲାଲ ସକ୍ରିୟ ରହିଛନ୍ତି ପ୍ରଶାସନ ଏବେଠାରୁ ସଜାଗ ନହେଲେ ଆଗାମୀ ଦିନ ରେ ଜମି ଦଲାଲ ସଂଖ୍ୟା ବଢି ସରକାରଙ୍କ କ୍ଷତି ସହିବେ । ତୁରନ୍ତ ଜିଲ୍ଳାପ୍ରଶାସନ ଗୁରୁତ୍ୱ ଦେବାକୁ ସାଧାରଣରେ ଦାବୀ ହେଉଛି ।