ନଦୀବନ୍ଧ ପଥର ପ୍ୟାକିଂ କାର୍ଯ୍ୟ ନିମ୍ନମାନର

 କବାଟବନ୍ଧ: ଧର୍ମଶାଳା ବ୍ଲକ ଅନ୍ତର୍ଗତ ରେଖିଦେଇପୁର ପଞ୍ଚାୟତ ପାଇକରାପୁର ଗ୍ରାମ ସଲଗ୍ନ ବ୍ରାହ୍ମଣୀ ନଦୀକୂଳ ଠାରେ ଜାରକା ଜଳସମ୍ପଦ ବିଭାଗ ପକ୍ଷରୁ ପଥର ପ୍ୟାକିଂ କରାଯାଉଛି । ଏହାର ବ୍ୟୟବରାଦ ୩୨ଲକ୍ଷ ଟଙ୍କା ହୋଇଥିବା କୁହାଯାଉଥିଲେ ହେଁ ପ୍ରକଳ୍ପର ସମ୍ଭନ୍ଧୀୟ କୌଣସି ସୂଚନା ଫଳକ ନାହିଁ । ଏଠାରେ ପଥର ପ୍ୟାକିଂ କାମ ଚାଲୁଥିବାବେଳେ ଏହାର ଅନୁଦାନ, କାର୍ଯ୍ୟର ଅବଧି,ଏହାର ପରିସୀମାର କୌଣସି ସୂଚନା ଅଞ୍ଚଳବାସୀ ଜାଣିବା ମୁସ୍କିଲ ହୋଇପଡ଼ିଛି । ସୂଚନାଫଳକ ଲଗା ନ ଯାଇ ଲୋକମାନଙ୍କୁ ଅନ୍ଧାରରେ ରଖାଯିବା ପୂର୍ବକ ନିମ୍ନମାନର କାର୍ଯ୍ୟ କରାଯାଉଥିବାର ମଧ୍ୟ ଅଭିଯୋଗ ହୋଇଛି । ନଦୀବନ୍ଧର ଫାଙ୍କା ସ୍ଥାନମାନଙ୍କରେ ସଠିକ୍ ଢଙ୍ଗରେ ପଥର ପ୍ୟାକିଂ ହେଉନଥିବା ସ୍ଥଳେ ନିମ୍ନମାନର ସାମଗ୍ରୀ ବ୍ୟବହାର କରାଯାଉଛି । ଯାହା ନଦୀବନ୍ଧର ସୁରକ୍ଷା ଓ ସ୍ଥାୟୀତ୍ୱପ୍ରତି ପ୍ରଶ୍ନବାଚୀ ସୃଷ୍ଟି ହେଉଛି । ପ୍ୟାକିଂ ପୂର୍ବରୁ ନଦୀ କଡରେ ଅନେକ ବଡ଼ ବଡ଼ ଗଛକୁ ଠିକାଦାର କାଟିଦେଇଥିବା ଜଣାପଡିଛି । ନଦୀବନ୍ଧ ପ୍ୟାକିଂ ସ୍ଥଳରେ କୌଣସି ବିଭାଗୀୟ ଅଧିକାରୀଙ୍କ ପାଦ ପଡୁନଥିବାରୁ ଠିକାଦାର ମନମାନୀରେ କାମ ଚାଲୁଛି । ଆଗକୁ ବର୍ଷା ଦିନ ଆସୁଥିବାରୁ ଏପରି ତରବରିଆ, ବେପରୁଆ ଭାବରେ କାର୍ଯ୍ୟ କରାଗଲେ ସରକାରଙ୍କ ଲକ୍ଷ ଲକ୍ଷ ଟଙ୍କା ପାଣିରେ ପଡିବ ବୋଲି ବ୍ରାହ୍ମଣୀ ନଦୀକୁଳିଆ ବାସୀ ଆଶାପ୍ରକଟ୍ଟ କରୁଛନ୍ତି । ଏ ସମ୍ପର୍କରେ ପ୍ରତିକ୍ରିୟା ପାଇଁ ଜାରକା ଜଳସମ୍ପଦ ବିଭାଗ ଏସଡ଼ିଓ ସବ୍ୟସଚିନ ବିଶ୍ୱାଳଙ୍କୁ ଯୋଗାଯୋଗ କରାଯାଇଥିଲେ ହେଁ ତାହା ସମ୍ଭବ ହୋଇନଥିଲା । ବର୍ଷା ଦିନ ପୂର୍ବରୁ ନଦୀବନ୍ଧ ସୁରକ୍ଷାକୁ ଗୁରୁତ୍ୱ ଦିଆଯାଇଥାଏ । ଏଣୁ ମରାମତି ହେଉ କି ପଥର ପ୍ୟକିଂ ପାଇଁ କୋଟି କୋଟି ଟଙ୍କା ବରାଦ କରୁଛନ୍ତି । ହେଲେ ନିଯୁକ୍ତ ନଦୀବନ୍ଧ କାର୍ଯ୍ୟ ଦୀର୍ଘ ସ୍ଥାୟୀ କରିବା ବଦଳରେ ମାସ କେଇଟାର ଆୟୁଷ ଭିତ୍ତିରେ କାର୍ଯ୍ୟ କରୁଛନ୍ତି । ଯାହାକୁ ନେଇ ଅସନ୍ତୋଷ ପ୍ରକାଶ ପାଉଥିଲେ ବି ବିଭାଗୀୟ ଅଧିକାରୀ ଏହାକୁ ଏଡ଼ାଇ ଯାଇଥାନ୍ତି । ଏଥିପ୍ରତି ଜିଲ୍ଲାପାଳ ଦୁଷ୍ଟି ଦେବାକୁ ସାଧାରଣରେ ଦାବି ହେଉଛି ।