ଜିଲାସ୍ତରୀୟ ୭୧ ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳନ
ଯାଜପୁର ଟାଉନ: ବୁଧବାର ବରିଷ୍ଠ ସହକାରୀ ନିବନ୍ଧକ ସମବାୟ ସମିତି ସମୂହଙ୍କ କାର୍ଯ୍ୟାଳୟ ପରିସରରେ ୭୧ତମ ନିଖିଳ ଭାରତ ସମବାୟ ସପ୍ତାହ ପାଳିତ ହୋଇଛି । ଜିଲାସ୍ତରୀୟ ମହୋସôବ ଜିଲା ମୁଖ୍ୟ କୃଷି ଅଧିକାରୀ ଅରୁଣ କୁମାର ବେହେରାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ରାଷ୍ଟ୍ରପତି ପୁରସ୍କାର ପ୍ରାପ୍ତ ଶିକ୍ଷକ ପଣ୍ଡିତ ଭୂପତି ଭୂଷଣ ମିଶ୍ର, ଜିଲା ଜରୁରୀ କାଳୀନ ଅଧିକାରୀ ଅଶୋକ କୁମାର ବେହେରା, କଟକ କେନ୍ଦ୍ର ସମବାୟ ବ୍ୟାଙ୍କ୍ର ପରିଚାଳନା ପରିଷଦ ସଭ୍ୟ ଶରତ ଚନ୍ଦ୍ର ସାହୁ, କେଶବ ଚନ୍ଦ୍ର ସେଠୀ, ଦୁଃଶାସନ ସାହୁ, ବିଜୟ କୁମାର ଦଳାଇ ଅତିଥି ଭାବେ ଯୋଗଦେଇଥିଲେ । ଏହା ସହିତ ସମସ୍ତ ପ୍ରାଥମିକ କୃଷି ସମବାୟ ସମିତିର ସଂପାଦକ ଓ ସଭାପତି ଯୋଗଦେଇ ସମବାୟ କିପରି ସମସ୍ତଙ୍କର ଏକ ଉଜ୍ଜ୍ୱଳ ଭବିଷ୍ୟତ ଗଠନ କରିବାରେ ସହଯୋଗ କରେ ସେ ବିଷୟରେ ମତାମତ ରଖିଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ "ସମବାୟ ସମସ୍ତଙ୍କ ପାଇଁ ଏକ ଉତମ ଭବିଷ୍ୟତ ଗଠନ କରେ’ ଉପରେ ଏକ ବ୍ରେନ୍ ଷ୍ଟର୍ମିଂ ଆଲୋଚନା ହୋଇଥିଲା । ଆଲୋଚନାରେ ବହୁ ବୁଦ୍ଧିଜୀବୀ, ମହାବିଦ୍ୟାଳୟର ଛାତ୍ରଛାତ୍ରୀ ସମବାୟବିତ୍ ସେମାନଙ୍କର ବହୁମୂଲ୍ୟ ବକ୍ତବ୍ୟ ପ୍ରଦାନ କରିଥଲେ । ସପ୍ତାହ ପାଳନ ଅବସରରେ ସ୍କୁଲ୍, କଲେଜ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ହୋଇଥିବା ତର୍କ ଓ ପ୍ରବନ୍ଧ ପ୍ରତିଯୋଗିତାର ପମାଣପତ୍ର ସହ ଅର୍ଥରାଶି ପ୍ରଦାନ କରାଯାଇଥିଲା । ଉସôବରେ ସର୍ବଶ୍ରେଷ୍ଠ ସମବାୟ ସମିତି ଭାବରେ ଗୋପାଳପୁର ପ୍ରାଥମିକ କୃଷି ସମବାୟ ସମିତି ପୁରସ୍କୃତ ହୋଇଥିବାବେଳେ ପ୍ରଥମାଖଣ୍ଡି ପ୍ରାଥମିକ କୃଷି ସମବାୟ ସମିତି ୨ୟ ଓ ଦେଓଦା ପ୍ରାଥମିକ କୃଷି ସମବାୟ ସମିତି ଜିଲା ସ୍ତରରେ ୩ୟ ଭାବେ ପୁରସ୍କୃତ ହୋଇଥିଲେ । ଉପ ସହକାରୀ ନିବନ୍ଧକ, ସମବାୟ ସମିତି ଦେବେନ୍ଦ୍ର ନାୟକ, ନିବେଦିତା ସାମଲ, ମନମୋହନ ରାଉତ୍, ରଜତ କୁମାର ପାଣି ଓ ସମବାୟ ନିରୀକ୍ଷକ ଅଲେଖ ପ୍ରସାଦ ସାହୁ, ରାଜୀବ ଲୋଚନ ପଣ୍ଡା, କୁମାରୀ ସୁବନିତା ରାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହାୟତା କରିଥିଲେ । ଅପରାହ୍ନରେ ବରିଷ୍ଠ ସହକାରୀ ନିବନ୍ଧକ ଅମୂଲ୍ୟ କୁମାର ସେଠୀ ସମବାୟ ପତାକା ଅବତରଣ କରି ସମବାୟ ସପ୍ତାହ ଉସôବକୁ ଉଦଯାପିତ ଘୋଷଣା କରିଥିଲେ ।