ନନ୍ଦନକାନନରେ ଧଳାବାଘ ଛୁଆ ମୃତ


ବାରଙ୍ଗ:  ନନ୍ଦନକାନନ ପ୍ରାଣୀଉଦ୍ୟାନରେ ଧଳା ବାଘୁଣୀ ମୌସୁମୀ ଓ ସାଧାରଣ ରଙ୍ଗର ବାଘ ରାଜେଶର ଔରସରୁ ଜନ୍ମିତ ଧଳା ପୁରୁଷ ବାଘ ଛୁଆର ମୃତୁ୍ୟ ହୋଇଛି  । ଜୁନରେ ଜନ୍ମିତ ଏହି ବାଘଛୁଆଟି ଜନ୍ମ ହେବା ଦିନଠାରୁ ଚିକିତ୍ସିତ ହେଉଥିଲା  । 
ମିଳିଥିବା ସୂଚନା ଅନୁଯାୟୀ, ୨୦୨୫ ଜୁନ୍ ୭ରେ ଧଳା ବାଘୁଣୀ ମୌସୁମୀ ଓ ସାଧାରଣ ରଙ୍ଗର ବାଘ ରାଜେଶର ଔରସରୁ ୨ଟି ଛୁଆ ଜନ୍ମ ହୋଇଥିଲେ  । ତେବେ ପୁରୁଷ ବାଘ ଛୁଆଟି ଦୁର୍ବଳ ଥିବାବେଳେ ତା’ର ଓଜନ ମାତ୍ର ୬୫୦ ଗ୍ରାମ ରହିଥିଲା  । ସେହିପରି ଏହାର ଆଗ ଅଙ୍ଗରେ କୁକୁରମାନଙ୍କ ଠାରେ ଦେଖିବାକୁ ମିଳୁଥିବା ସୁ୍ୟଇମର ପପି ସିଣ୍ଡ୍ରୋମ ପରି ବିକୃତି ରହିଥିଲା  । ଜନ୍ମର ୪ ଦିନ ପରେ ଛୁଆଟି ଆଉ କ୍ଷୀରପାନ କରିନଥିଲା  । ଫଳରେ ତାକୁ ପ୍ରାଣୀ ଶିଶୁପାଳନ କେନ୍ଦ୍ରକୁ ସ୍ଥାନାନ୍ତରିତ କରାଯାଇଥିଲା  । ପରୀକ୍ଷାନୀରିକ୍ଷା ପରେ ନାଭିରେ ସଂକ୍ରମଣ ଓ ଶରୀରର ତାପମାତ୍ରା କମ୍ ଥିବା ଜଣାପଡ଼ିବାରୁ ତାକୁ ଏକ ଇନକୁ୍ୟବେଟରରେ ରଖାଯାଇଥିଲା  । ସେଠାରେ ଅକ୍ସିଜେନ୍ ଓ ଇନଫ୍ରାରେଡ଼ ଥେରାପି ଦିଆଯାଇଥିଲା  । ଅଙ୍ଗପ୍ରତ୍ୟଙ୍ଗକୁ ଶକ୍ତ କରିବା ପାଇଁ ଫିଜିଓଥେରାପିର ବି କରାଯାଉଥିଲା  । ସପ୍ତାହେ କାଳ ଛୁଆଟି ଠିଆ ହୋଇନପାରିବାରୁ ମଳରେ ରକ୍ତ ପଡ଼ିବା ସହ କାନ ସଂକ୍ରମଣ ଓ ଶରୀରରେ କ୍ଷତ ଆରମ୍ଭ ହୋଇଯାଇଥିଲା  । ଅପରପକ୍ଷରେ ମୌସୁମୀର ଅନ୍ୟ ମାଇ ବାଘ ଛୁଆଟି ଜନ୍ମରୁ ରୋଗୀଣା ଥିବାରୁ ତା’ର ଚିକିତ୍ସା ବି ଜାରିରହିଛି  ।