ଫୁଟବଲ୍ ଖେଳିବା ବେଳେ ଟଳିପଡ଼ିଲେ
ଦେବଗଡ: ଫୁଟବଲ ପଡ଼ିଆରେ ବଲକୁ ନେଇ ଧାଉଁଥିଲେ । ନିଜ ଟିମ୍କୁ ଜିତାଇବା ପାଇଁ ସବୁ ରକମ ପ୍ରୟାସ କରୁଥିଲେ । ହେଲେ ସେ ଜାଣିନଥିଲେ, ଏହି ପଡ଼ିଆରେ ହିଁ ତାଙ୍କର ଜୀବନ ଦୀପ ଲିଭିଯିବ ବୋଲି । ଖେଳୁଖେଳୁ ପଡ଼ିଆରେ ଟଳି ପଡ଼ିଥିଲେ ଦେବଗଡ଼ ପୌରାଞ୍ଚଳ ଭୂୟାଁ ସାହିର ପ୍ରକାଶ ନାଏକ (୩୩) ।
ସୂଚନା ଅନୁଯାୟୀ, ଦେବଗଡ ପୌର ପରିଷଦ ପକ୍ଷରୁ ଜିଲ୍ଲା କ୍ରୀଡା ସଂସଦ ସହଯୋଗରେ ସ୍ଥାନୀୟ ଇନ୍ଦିରା ଗାନ୍ଧୀ ଷ୍ଟାଡିୟମରେ ୨୧ରୁ କାଉନସିଲର କପ ଫୁଟବଲ ପ୍ରତିଯୋଗିତା ଚାଲିଛି । ଆଜି ୱାର୍ଡନଂ-୨ ସହିତ ୱାର୍ଡ ନଂ-୭ ମଧ୍ୟରେ ମ୍ୟାଚ ଅନୁଷ୍ଠିତ ହୋଇଥିଲା । ତେବେ ମ୍ୟାଚ ଚାଲିଥିବାବେଳେ ୱାର୍ଡନଂ-୨ର ଖେଳାଳୀ ପ୍ରକାଶ ହଠାତ ତଳେ ଖସିପଡିଥିଲେ । ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରାଯାଇ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ । ଉକ୍ତ ଘଟଣା ପରେ ଜିଲ୍ଲା ମୁଖ୍ୟ ଚିକିସôାଳୟରେ ଚାପା ଉତ୍ତେଜନା ପ୍ରକାଶ ପାଇଥିଲା । ଖବରପାଇ ଅତିରିକ୍ତ ଜିଲ୍ଲାପାଳ ରେବେକା ବିଲୁଙ୍ଗ ଘଟଣାସ୍ଥଳରେ ପହଁଚି ସେମାନଙ୍କୁ ବୁଝାଶୁଝା କରିବା ପରେ ପରିସ୍ଥିତି ଶାନ୍ତ ପଡିଥିଲା । ମୃତକଙ୍କ ପରିବାରକୁ ପୌର ପରିଷଦ ପକ୍ଷରୁ ୧୦ ହଜାର ଟଙ୍କା ଓ ରେଡକ୍ରସ ପାଣ୍ଠିରୁ ୧୦ ହଜାର ଟଙ୍କା ସହାୟତା ରାଶି ପ୍ରଦାନ କରାଯାଇଛି । ସୂଚନାପାଇ ଦେବଗଡ ଥାନା ପୁଲିସ ଘଟଣାସ୍ଥଳରେ ପହଁଚି ଶବଜବତ କରିବା ସହ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତୁ୍ୟର କାରଣ ଜଣାପଡିବ ବୋଲି ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି ।