ଓଡ଼ିଆଙ୍କ ଗୃହ ମୁରବି : ଶ୍ରୀଜଗନ୍ନାଥ
"ନୀଳାଦ୍ରୌ ଶଙ୍ଖମଧ୍ୟେ ଶତଦଳକମଳେ ରତ୍ନସିଂହାସନସ୍ଥମ୍
ସର୍ବାଳଙ୍କାରଯୁକ୍ତମ୍ ନବଘନରୁଚିରଂ ସଂଯୁକ୍ତଂ ଚାଗ୍ରଜେନ,
ଭଦ୍ରାୟାଃ ବାମଭାଗେ ରଥଚରଣଯୁକ୍ତଂ ବ୍ରହ୍ମରୁଦ୍ରେନ୍ଦ୍ର୍ୟ ବନ୍ଦ୍ୟମ୍
ବେଦାନାଂ ସାରମୀଶଂ ସ୍ୱଜନ ପରିବୃତଂ ବ୍ରହ୍ମଦାରୁ ସ୍ମରାମି । ।'
ବ୍ରାହ୍ମ ମୁହୂର୍ତ୍ତ, ବଡ଼ି ଭୋରୁ ଶଯ୍ୟାତ୍ୟାଗ ସମୟରୁ ହିଁ ପ୍ରତିଟି ଓଡ଼ିଆ ମହାପ୍ରଭୁଙ୍କୁ ସ୍ମରଣ କରି ତା'ର ଦିନଟି ଭଲରେ ଭଲରେ କଟେଇ ଦେବା ପାଇଁ ପ୍ରାର୍ଥନା କରିଥାଏ । ଆଉ ରାତିରେ ଶେଯକୁ ଗଲାବେଳେ ଦିନଟି ଭଲରେ ବିତିଥିବାରୁ ଭରା ଅନ୍ତରରେ କୃତଜ୍ଞତା ଜଣାଇ ଆଗତ ଦିନଟି ପାଇଁ କୃପା ଓ ସମ୍ଭାବନାର ପ୍ରାର୍ଥନା କରି ମଥାନତ ପ୍ରଣାମଟି ଜଣାଇ ବିଶ୍ରାମ ନେଇଥାଏ । ସତରେ ମହାପ୍ରଭୁଙ୍କୁ ନେଇ ହିଁ ଆମ ଜୀବନ । ସେ ହେଉଛନ୍ତି ଏ ବିଶ୍ୱ ବ୍ରହ୍ମାଣ୍ଡର ସ୍ରଷ୍ଟା, ପରିଚାଳକ ଏବଂ ରକ୍ଷକ । ସେ ହେଉଛନ୍ତି ଭାବର ଆଉ ଭକ୍ତିର ପୂର୍ଣ୍ଣବ୍ରହ୍ମ, ମହାପ୍ରଭୁ ଶ୍ରୀଜଗନ୍ନାଥ । ଯାହାଙ୍କୁ ଟିକିଏ ଆଖି ପୁରାଇ ଏହି ଚର୍ମନେତ୍ରକୁ ପୁଣ୍ୟତାରେ ଭରି ଦେବା ପାଇଁ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଛୁଟୁଥାନ୍ତି ପୁରୀ ତାଙ୍କୁ ଦେଖିବା ମାତ୍ରେ ଆଖି ଯୁଗଳ ଲୋତକରେ ଭରି ଯାଏ ଆଉ ବାୟୁ ଠାରୁ ମଧ୍ୟ ଆହୁରି ହାଲକା ହୋଇଯାଏ ତନମନ । ସେହି କଳା ଶ୍ରୀମୁଖଙ୍କୁ ଟିକିଏ କୋଳାଗ୍ରତ କରିବାକୁ ସମସ୍ତଙ୍କର ଇଛା ହୋଇଥାଏ । ଆଉ ତାଙ୍କରି ବଡ଼ ବଡ଼ ଚକା ଆଖିର ସାଗରରେ ନିଜକୁ ହଜେଇ ଦେବା ପାଇଁ ଶ୍ରଦ୍ଧାଳୁଟି ଇପସିତ ପ୍ରାର୍ଥନା କରିଥାଏ ।
ସେ ହେଉଛନ୍ତି ଆମ ଓଡ଼ିଆଙ୍କ ଘର ମୁରବି, ସେ ହେଉଛନ୍ତି କୋଟି ବ୍ରହ୍ମାଣ୍ଡର ନିୟନ୍ତା ଓ ବ୍ରହ୍ମାଣ୍ଡ ନାଥ କରୁଣା ସାଗର ପୂର୍ଣ୍ଣବ୍ରହ୍ମ ପରମବ୍ରହ୍ମ ମହାପ୍ରଭୁ ଶ୍ରୀ ଜଗନ୍ନାଥ । ତାଙ୍କ ଦିବ୍ୟଲୀଳାର ମହିମା ବର୍ଣ୍ଣନା ତାଙ୍କ କୃପାର ଗୁଣ କୀର୍ତ୍ତନ ଯେତେ ଭଜନ ହେଉ ବା ଜଣାଣ, ସମର୍ପଣ ହେଉ ବା ଭକ୍ତି ଭାବରେ ନିଜକୁ ନିୟୋଜିତ ସେ ସବୁ ନିଅଣ୍ଟ ପଡ଼ିଯିବ । ତାଙ୍କ ମହିମା ବର୍ଣ୍ଣନା କରିବା ପାଇଁ କାହାର ବି ସାଧ୍ୟ ନାହିଁ । ସମ୍ଭବତଃ ଆମେ କେଉଁ ଜନ୍ମରେ କାଣିଚାଏ ସମ୍ଭବତଃ ପୁଣ୍ୟଫଳ ପ୍ରାପ୍ତ ହୋଇଥିଲେ ଯେ ତାଙ୍କୁ ଟିକିଏ ଦେଖିବା ପାଇଁ ତାଙ୍କ ସାନ୍ନିଧ୍ୟ ଟିକିଏ ଅନୁଭବ କରିବା ପାଇଁ । ପୁଣ୍ୟ ପାବନ ନିତ୍ୟ ବୈକୁଣ୍ଠ ଧାମ ପୁରୀ ଶ୍ରୀ ମନ୍ଦିର ଆମେ ଯିବା ପାଇଁ ସକ୍ଷମ ହୋଇପାରୁଛେ । ସେ ହେଉଛନ୍ତି ଭାବଗ୍ରାହୀ, ସେ ହେଉଛନ୍ତି ଭାବ ବିନୋଦିଆ କଳା ଠାକୁର ଯିଏ ଭକ୍ତର ଦୁଃଖର ଦୁଃଖି ଆଉ ଭକ୍ତର ସୁଖରେ ସୁଖୀ । ଯେତେ ଦୂର ହେଉ ବରଂ ଯେଉଁଠି ବି ଆଶ୍ରିତ ଜଣଙ୍କ, ଭକ୍ତ ଜଣଙ୍କ ତାଙ୍କୁ ସମର୍ପଣ ହୃଦୟରେ କାତରରେ ଆକୁଳ ଭାବରେ ନିଜକୁ ସମର୍ପିତ କରି ନିଜ ଦୁଃଖ ବା ପୀଡ଼ା ଜଣାଇଥାଏ ସେ ତାକୁ ଦୂରୀଭୂତ କରିଥାନ୍ତି । ଭକ୍ତର ଆକୁଳ ଡାକରେ ସେ ତକ୍ରାଳ ଉଭା ହୋଇ ଦୁଷ୍ଟକୁ ଶାସ୍ତି ଦେଇ ଭକ୍ତର ଆନନ୍ଦରେ ଆନନ୍ଦିତ ହୁଅନ୍ତି । ପ୍ରଭୁଙ୍କ ଏହି ଭକ୍ତବତ୍ସଳ ଭାବକୁ ପାଥେୟ କରି ଆଜି ଅଗଣିତ ଶ୍ରଦ୍ଧାଳୁ ନିଜକୁ ମହାପ୍ରଭୁଙ୍କ ପାଖରେ ସମର୍ପିତ ହୃଦୟରେ ଜୀବନ ନିର୍ବାହ କରୁଛନ୍ତି ।
କଳା ଠାକୁର, ଭାବ ବିନୋଦିଆ ଜଗତ୍ ବନ୍ଧୁ ମହାପ୍ରଭୁ ଶ୍ରୀ ଜଗନ୍ନାଥ ହେଉଛନ୍ତି ଆମ ପ୍ରତିଟି ଓଡ଼ିଆ ଘରର ମୁରବି । ପ୍ରତିଟି ଓଡ଼ିଆ ଘରର ଭଲ ମନ୍ଦ, ହାନିଲାଭ ସବୁକିଛି ହିଁ ତାଙ୍କର ନିଦେ୍ର୍ଦଶନାରେ, ତାଙ୍କରି ପରିଚାଳନାରେ ସମାପିତ ହୋଇଥାଏ । ପ୍ରତିଟି ଓଡ଼ିଆଙ୍କ ଘରେ ସେ କେବଳ ଠାକୁର ହୋଇ ରହିନାହାଁନ୍ତି ପ୍ରତିଟି ଓଡ଼ିଆଙ୍କ ଜୀବନ ପିଣ୍ଡର ସେ ପ୍ରାଣ ସେ ହେଉଛନ୍ତି ଅନ୍ତରଙ୍ଗ ଆଉ ଆତ୍ମୀୟଙ୍କ ଠାରୁ ଅଧିକ । ତାଙ୍କ ପୁଣ୍ୟ ପାବନ ନିତ୍ୟ ବୃନ୍ଦାବନ ଧାମ ନୀଳକନ୍ଦରର ଶ୍ରୀକ୍ଷେତ୍ର ପ୍ରତିଟି ଓଡ଼ିଆ ଆଉ ପ୍ରତିଟି ଶ୍ରୀଜଗନ୍ନାଥ ଶ୍ରଦ୍ଧାଳୁଙ୍କ ପାଇଁ ମୁକ୍ତି, ପୁଣ୍ୟ, ମୋକ୍ଷ ଓ ପରମ ଆନନ୍ଦର ପବିତ୍ର ସ୍ଥାନ । ଯେ କେହି ବି ଶ୍ରୀକ୍ଷେତ୍ରରେ ପାଦଟିଏ ରଖିବା ମାତ୍ରେ ନିଜକୁ ହଜାଇ ଦିଏ ନିଜ ଚତୁଃପାଶ୍ୱର୍ର ତେଲ ଲୁଣର ଜୀବନକୁ ନେଇ । ତାର ଅଜାଣତରେ ଚକ୍ଷୁ ଯୁଗଳରୁ ଆନନ୍ଦାଶ୍ରୁ ଝରିପଡ଼େ । ସେ ଭକ୍ତି ଭାବରେ ତନ୍ମୟ ହୋଇ ନିଜକୁ ହଜାଇ ଦେଇଥାଏ । ନିତ୍ୟ ପୁଣ୍ୟଧାମ ପୁରୀକୁ ଆସୁଥିବା ଯେ କେହି ଦର୍ଶନାର୍ଥୀ ଶ୍ରଦ୍ଧାଳୁ ଚତୁର୍ଦ୍ଧାମୂରତିଙ୍କୁ ଆନନ୍ଦରେ ଦର୍ଶନ କରି ଦିବ୍ୟ ଅନୁଭବ ନେଇ ଘରକୁ ଫେରିଥାନ୍ତି । ଏହି ନିତ୍ୟ ଧାମ ପୁରୀ ସମାନତାର ଭାବରେ ଉଦବୁଦ୍ଧ କରିଥାଏ ସମସ୍ତଙ୍କୁ । ଦାସିଆ ବାଉରୀ ହାତରୁ ନଡ଼ିଆ ନେବା ଭଳି ମହାପ୍ରଭୁଙ୍କ ଉଦେ୍ଦଶ୍ୟରେ ପ୍ରତିଟି ପରିବାର ନିଜ ଘରୁ ହିଁ ଯେଉଁ ଭକ୍ତି ନୈବେଦ୍ୟର ସମର୍ପଣ କରିଥାନ୍ତି ତାହା ମହାପ୍ରଭୁଙ୍କୁ ପ୍ରାପ୍ତ ହୋଇଥାଏ । ମହାପ୍ରଭୁ କେବଳ ଶ୍ରୀ ମନ୍ଦିର ଭିତରେ ଆବଦ୍ଧ ହୋଇନାହାଁନ୍ତି ସେ ଆମ ଭାବ, ମନ, ଚେତନା ଓ କାର୍ଯ୍ୟ ଭିତରେ ତାଙ୍କ ବାଣୀ, ତାଙ୍କ ଦର୍ଶନ ସହିତ ଅନ୍ୟ ମାନଙ୍କୁ ପରୋପକାର ସେବା ଭିତରେ ଜୀବନ ନିର୍ବାହ ପାଇଁ ଆମ ମାନଙ୍କୁ କୃପା ଆଶୀର୍ବାଦ ଦେଉଛନ୍ତି । ଆମ ଜୀବନ ଚେତନାର ମୂଳ ଧର୍ମ ଓ ମର୍ମ ହେଉଛି ବାସ୍ତବରେ ସ୍ୱୟଂ ମହାପ୍ରଭୁ ସବୁ କିଛିକୁ ନିଜେ ହିଁ କରାଉଛନ୍ତି ଆମେ ସବୁ ନିମିତ୍ତ ମାତ୍ର । ପୂର୍ଣ୍ଣବ୍ରହ୍ମ କାଳିଆ ସାଆନ୍ତ ଆମ ଜାତିର ପରିଚୟ, ଆମ ମାନଙ୍କ ପରିଚୟ । ମହାପ୍ରଭୁଙ୍କୁ ଅନ୍ତରଭରା ଏତିିକି ପ୍ରାର୍ଥନା କରୁଛି ପ୍ରଭୁ ଆମ ସମସ୍ତଙ୍କ ଭିତରେ ପରୋପକାର, ଭାଇଚାରା, ସାମାଜିକ ସୌହାଦ୍ଧ୍ୟ, ପରିବାର ଓ ସାମାଜିକ ଦାୟିତ୍ୱ, ବୃତ୍ତିନିଷ୍ଠା ପ୍ରତି ସଚ୍ଚୋଟତା ଓ ଅଙ୍ଗୀକାରବଦ୍ଧତା ଆହୁରି ଭରି ଦିଅନ୍ତୁ, ଏ ଜାତିର ଓ କୋଟି କୋଟି ଓଡ଼ିଆ ଭାଇଭଉଣୀଙ୍କର ସର୍ବ ମଙ୍ଗଳ ହେଉ ଏହା ହିଁ କାମନା ।
କବୀର କୁମାର ଜେନା,ମୋ : ୮୯୧୭୩୭୭୯୮୭