ନମ୍ବର ବିହୀନ ଗାଡ଼ିରେ ଗଞ୍ଜେଇ ଚାଲାଣ
ସୁବର୍ଣ୍ଣପୁର ଜିଲ୍ଲାରେ ଅପରେସନ ପ୍ରହାରକୁ ସଫଳତା । କାର୍ରେ ଗଞ୍ଜେଇ ଚୋରାଚାଲାଣ ବେଳେ ଧରିଲା ବିନିକା ପୁଲିସ । ଏକ କାରରେ ଗଞ୍ଜେଇ ଚାଲାଣ ହେଉଥିବା ନେଇ ବିଶ୍ବସ୍ତ ସୂତ୍ରରୁ ଖବର ପାଇ ପୁଲିସ ଚେକିଙ୍ଗ୍ କରୁଥିଲା । ଏହି ସମୟରେ ଏକ ନମ୍ବର ବିହୀନ ଗାଡ଼ି ଉପରେ ସନ୍ଦେହ ହେବାରୁ ଗାଡି ଅଟକାଇବାକୁ କହିଥିଲା ।
କିନ୍ତୁ କାର୍ଟି ଦ୍ରୁତ ଗତିରେ ସେଠାରୁ ଚମ୍ପଟ୍ ମାରିଥିଲା । ପରେ ବିନିକା ପୁଲିସ ଗାଡ଼ି ପିଛା କରି ଗୁଲାପଡା ଛକ ନିକଟରେ ଗଞ୍ଜେଇ ଚାଲାଣ ହେଉଥିବା କାରକୁ ଧରିଥିଲା । ହେଲେ ଗିରଫ ଭୟରେ କାର ଛାଡ଼ି ଦୁଇଜଣ ଯୁବକ ଓ ଜଣେ ଯୁବତୀଙ୍କ ସମେତ ମୋଟ ତିନି ଜଣ ଗାଡ଼ି ଛାଡ଼ି ଫେରାର ମାରିଥିଲେ । ଚାଷ ଜମି ଭିତରେ ପୁଲିସ ଗୋଡ଼ାଇ ଗୋଡ଼ାଇ ଜଣେ ଯୁବକ ଆଉ ଜଣେ ଯୁବତୀଙ୍କୁ ଧରି ଥିବା ବେଳେ ଆଉ ଜଣେ ଯୁବକ ଖସିଯିବାରେ ସଫଳ ହୋଇଛି । ତେବେ କେଉଁଠାରୁ କେଉଁ ସ୍ଥାନକୁ ଏହି ଗଞ୍ଜେଇ ଚାଲାଣ ହେଉଥିଲା ସେନେଇ ତଦନ୍ତ ଜାରି ରହିଛି । ଗାଡ଼ିରେ କେତେ ପରିମାଣରେ ଗଞ୍ଜେଇ ଥିଲା ମାଜିଷ୍ଟ୍ରେଟ ଆସିବା ପରେ ଓଜନ କରାଯିବା ନେଇ ସୂଚନା ରହିଛି ।
 
 Rasmita Behera
                                    Rasmita Behera                                 
    
             
    
             
    
             
    
 
    
 
 
 
