ନରସିଂହପୁରରେ ବିଶୁଦ୍ଧ ପାନୀୟ ଜଳ ସଂକଟ
ନୂଆପଡା: ନଳକୂପର ଫ୍ଲୋରାଇଡ୍ ଯୁକ୍ତ ପାଣି ବ୍ୟବହାର କରି ଜଣ୍ଡିସ ଆକ୍ରାନ୍ତ ।୧୫ ଦିନ ହେଲାଣି ଟ୍ୟାପରେ ଜଳ ଯୋଗାଣ ମଧ୍ୟ ବନ୍ଦ । ଦୂର ଗାଁରୁ ମୁଣ୍ଡରେ ବୋହି ଆଣିବାକୁ ପଡୁଛି ପାଣି । ଜଣ୍ଡିସ ରୋଗ ସାଙ୍ଗକୁ ଉକôଟ ହେଉଛି ଜଳ କଷ୍ଟ । ଖଡ଼ିଆଳ ବ୍ଲକ ଅନ୍ତର୍ଗତ ନରସିଂହପୁର ଗାଁରେ ବିଶୁଦ୍ଧ ପାନୀୟ ଜଳ ସଂକଟ ଦେଖାଦେଇଛି । ଗାଁରେ ଥିବା ନଳକୂପର ଦୂଷିତ ପାଣି ବ୍ୟବହାର କରି ଜଣ୍ଡିସ ରୋଗରେ ଆକ୍ରାନ୍ତ ହେଉଛନ୍ତି ଲୋକେ । ସ୍ୱାସ୍ଥ୍ୟ ପରୀକ୍ଷାରୁ ଗାଁର ୧୨୦ ଜଣ ଶିଶୁ ଜଣ୍ଡିସ ଆକ୍ରାନ୍ତ ଥିବା ଜଣାପଡ଼ିଛି । ୧୫ ଦିନ ତଳେ ଖଡ଼ିଆଳ ଡାକ୍ତରଖାନାର ଏକ ଟିମ୍ ଗାଁକୁ ଯାଇ ସ୍ୱାସ୍ଥ୍ୟ ପରୀକ୍ଷା କରିଥିଲେ । ହେଲେ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ କୌଣସି ଔଷଧ ପ୍ରଦାନ କରାଯାଇ ନଥିବାରୁ ଗ୍ରାମବାସୀଙ୍କ ମଧ୍ୟରେ ଅସନ୍ତୋଷ ପ୍ରକାଶ ପାଇଛି । ବାଧ୍ୟହୋଇ ଲୋକେ ଜଣ୍ଡିସ ରୋଗରେ ଆକ୍ରାନ୍ତ ଶିଶୁମାନଙ୍କୁ ଝଡ଼ାଫୁଙ୍କାର ଆଶ୍ରୟ ନେଉଥିବା କହିଛନ୍ତି ଗ୍ରାମବାସୀ । ନରସିଂହପୁର ଗାଁରେ ୩ ହଜାରରୁ ଅଧିକ ଲୋକ ବସବାସ କରନ୍ତି । ଗାଁରେ ଥିବା ସମସ୍ତ ୬ ଟି ନଳକୂପରୁ ଫ୍ଲୋରାଇଡ୍ ଯୁକ୍ତ ପାଣି ବାହାରୁଥିବାରୁ ଲାଲ ଛକି ଚିହ୍ନ ଦିଆଯାଇଛି । ପିଇବା ପାଣି ପାଇଁ ଜଳ ଯୋଗାଣ ବ୍ୟବସ୍ଥା ହୋଇଥିଲେ ମଧ୍ୟ ଲୋକେ ପାଣି ପାଇପାରୁ ନାହାନ୍ତି । ବାଧ୍ୟହୋଇ ଲୋକେ ଚାଷ ଜମିରେ ଥିବା ଏକ ଖୋଲା କୂଅରୁ ଓ ୧ କିଲୋମିଟର ଦୂର ସରଗାଦି ଗାଁରୁ ଗରାମାଠିଆରେ ପିଇବା ପାଣି ବୋହି ଆଣୁଛନ୍ତି ।