ନଷ୍ଟ ହେଉଛି ମେଗା ପ୍ରକଳ୍ପ ପାଣି

 ନବରଙ୍ଗପୁର/ତେନ୍ତୁଳିଖୁଣ୍ଟି : ପ୍ରଚଣ୍ଡ ଖରା ବଢ଼ିବାରେ ଲାଗିଥିବା ବେଳେ ଗାଁ ଲୋକଙ୍କୁ ପିଇବାକୁ ପାଣି ମିଳୁନାହିଁ । କିନ୍ତୁ ମେଗା ଜଳପ୍ରକଳ୍ପରୁ ଗାଁ ଓ ସହରକୁ ଯୋଗାଣ ହେଉଥିବା ପାଇପ୍? ଲକ୍ଷାଧିକ ଲିଟର ବିଶୁଦ୍ଧ ଜଳ ବୋହି ନଷ୍ଟ ହେଉଛି  । ପାଣି ଜମି କେଉଁଠି ଗାଡ଼ିଆ ସୃଷ୍ଟି ହୋଇଛି ତ’ ଆଉ କେଉଁଠି କୃତ୍ରିମ ପୋଖରୀ  । ଆଉ କେଉଁଠି ଚାଷ ଜମିକୁ ଚାଲିଯାଉଛି  । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ତେନ୍ତୁଳିଖୁଣ୍ଟି ବ୍ଲକ ଲମତାଗୁଡା ପଞ୍ଚାୟତ ଗାରିଆଗୁଡ଼ା ଗାଁ ନିକଟରେ । ପିଇବାକୁ ମିଳୁନି ନବରଙ୍ଗପୁର-ଇନ୍ଦ୍ରାବତୀ ମୁଖ୍ୟରାସ୍ତା ପାର୍ଶ୍ୱ ଦେଇଯାଇଥିବା ପାଇପ୍ ଜଳ ବାହାରି ଗାରିଆଗୁଡ଼ା ଗାଁ ନିକଟରେ କୃତ୍ରିମ ପୋଖରୀ ସୃଷ୍ଟି ହୋଇଛି । ଇନ୍ଦ୍ରାବତୀ ଜଳଭଣ୍ଡାରୁ ଜିଲ୍ଲାବାସୀଙ୍କୁ ବିଶୁଦ୍ଧ ପାନୀୟଜଳ ଯୋଗାଣ ପାଇଁ ଡ୍ୟାମ୍ ନିକଟ ଡଙ୍ଗାସିଲ ଗାଁରେ ଜଳ ବିଶୋଧନାଗାର ରହିଛି  । ଏଠାରେ ଥିବା ଟାଙ୍କିର ଭାଲ୍ବ ଫାଟି ଯାଇଥିବାରୁ ପାଣି ବୋହିଯାଉଛି  । ଅନ୍ୟପକ୍ଷେ ପ୍ରକଳ୍ପ ନିର୍ମାଣ କାର୍ଯ୍ୟ ବର୍ଷବର୍ଷ ଧରି ଚାଲିଛି ଯେ ସରିବାର ନାଁ ଗନ୍ଧ ଧରୁନି  । ଏଥିପାଇଁ ବିଭାଗ ପକ୍ଷରୁ ସଂପୃକ୍ତ ଠିକା ସଂସ୍ଥା ଉପରେ ଜୋରିମାନା ପକାଯାଇଥିଲେ ମଧ୍ୟ ସମ୍ପୃକ୍ତ ଠିକାଦାର ନିରବଦ୍ରଷ୍ଟା ସାଜିଛି । ସେଭଳି ନିକଟରେ ଜିଲ୍ଲାଗସ୍ତରେ ଆସିଥିବା ପଞ୍ଚାୟତରାଜ ମନ୍ତ୍ରୀ ରବି ନାରାୟଣ ନାୟକ ପ୍ରକଳ୍ପ କାର୍ଯ୍ୟ ବିଳମ୍ବ ନେଇ ସଂପୃକ୍ତ ଠିକା ସଂସ୍ଥା ଉପରେ ବିରକ୍ତି ପ୍ରକାଶ କରିଥିଲେ । ଜୁନ୍ ସୁଦ୍ଧା ଜିଲ୍ଲାରେ ମେଗା ଜଳପ୍ରକଳ୍ପ ସଂପୂର୍ଣ୍ଣ କରିବାକୁ କଡା ନିଦେ୍ର୍ଦଶ ଦେଇଥିଲେ  । ଗୋଟିଏ ପଟେ ଲକ୍ଷାଧିକ ଲୋକ ପିଇବା ପାଣି ପାଇଁ ଡହଳବିକଳ ହେଉଥିବା ବେଳେ ଅନ୍ୟପଟେ କର୍ମଚାରୀଙ୍କ ଅବହେଳା ଯୋଗୁ ଅଯଥାରେ ପାଣି ନଷ୍ଟ ହେଉଛି । ଯନ୍ତ୍ରୀ ଦୁଷ୍ମନ୍ତକୁମାର ବାରିକଙ୍କୁ ଯୋଗାଯୋଗ କରିବାରୁ ଏବେ ଏନେଇ ତେନ୍ତୁଳିଖୁଣ୍ଟି ବ୍ଳକ ଦାୟିତ୍ୱରେ ଥିବା ବିଭାଗୀୟ ପ୍ରକଳ୍ପରୁ ପରୀକ୍ଷାମୂଳକ ଭାବେ ଜଳ ଯୋଗାଣ ଚାଲିଛି । ଅଧିକାଂଶ ସ୍ଥାନରେ ପାଇପ୍ ଗୁଡିକରେ ଭାଲବ୍ ଫାଟିଯାଇଥିବାରୁ ପାଣି ଲିକ୍ ହେଉଥିବା କହିଛନ୍ତି  । ସଂପୃକ୍ତ ଠିକା ସଂସ୍ଥାକୁ ଭାଲବ୍ ପକାଇ ମରାମତି କରିବା ଲାଗି ନିଦେ୍ର୍ଦଶ ଦେଇଥିବା ଶ୍ରୀ ବାରିକ କହିଛନ୍ତି ।