ଆନ୍ତଃରାଜ୍ୟ ନକଲି ପୁଲିସ ଗ୍ୟାଙ୍ଗ୍କୁ ଧରିଲା ଅସଲି ପୁଲିସ

ଆନ୍ତଃରାଜ୍ୟ ନକଲି ପୁଲିସ ଗ୍ୟାଙ୍ଗ୍କୁ ଧରିଲା ଅସଲି ପୁଲିସ


 ଭୁବନେଶ୍ୱର, ୨୩ା୪ : ଗତ ୩ ମାସ ହେବ କମିଶନରେଟ୍ ପୁଲିସ ଅଞ୍ଚଳରେ ଆତଙ୍କ ଖେଳାଉଥିବା ୭ ଜଣିଆ ଆନ୍ତଃରାଜ୍ୟ ନକଲି ପୁଲିସ ଗ୍ୟାଙ୍ଗ୍କୁ ଧରିଛି ଅସଲି ପୁଲିସର ସ୍ପେଶାଲ ସ୍କ୍ୱାଡ୍ ଟିମ । ଏମାନେ ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରେ ମଧ୍ୟ ନିଜକୁ ପୁଲିସ, ସିବିଆଇ, ଭିଜିଲାନ୍ସ, ଇନକମ୍ଟାକ୍ସ ଅଫିସର ପରିଚୟ ଦେଇ ମହିଳା, ବୃଦ୍ଧ, ନିରିହ ଲୋକଙ୍କ ଠାରୁ କରୁଥିଲେ ଲୁଟ୍ ପାଟ୍ । ଅଭିନବ ଉପାୟରେ ଲୋକଙ୍କୁ ଭକୁଆ ବନାଇ ଅସଲି ସୁନା, ଟଙ୍କା ନେଇ ସେମାନଙ୍କୁ  ଥାନାକୁ ଆସିବାକୁ କହି ମାରୁଥିଲେ ଚମ୍ପଟ୍ । ଆଉ କାହାକୁ ସୁନା ନେଇ ତା ବଦଳରେ କାଗଜରେ ଗୋଡି ପୁରାଇ ମଧ୍ୟ ଫେରାର ହୋଇଯାଉଥିଲେ । ଏହାସହ ସକାଳୁ ସକାଳୁ ମଣିଂୱାର୍କ ଯାଉଥିବା ମହିଳାଙ୍କୁ ରାସ୍ତାରେ ଅଟକାଇ ସେମାନଙ୍କ ପିନ୍ଧିଥିବା ସୁନା ଚେନ୍, ସୁନା ଚୁଡ଼ି ନେଇ ତା ବଦଳରେ ସେମାନଙ୍କୁ ଲୁଟ୍ ହେବାର ଭୟ ଦେଖାଇ ନକଲି ରୁଡ଼ି ଓ ଚେନ୍ ଦେଇ ହୋଇଯାଉଥିଲେ ଫେରାର । ଏନେଇ କମିଶନରେଟ୍ ପୁଲିସର ବିଭିନ୍ନ ଥାନାରେ ଅଭିଯୋଗ ହେବା ସହ ପୁଲିସର ମୁଣ୍ଡବଥାର କାରଣ ପାଲଟିଥିଲା ଏହି ନକଲି ପୁଲିସ ଗ୍ୟାଙ୍ଗ୍ । ବିଭିନ୍ନ ଥାନାରେ ଏମାନଙ୍କ ନାମରେ ରହିଥିଲା ୧୧ଟି ମାମଲା, ତାହାସହ ବିଭିନ୍ନ ରାଜ୍ୟରେ ମଧ୍ୟ ରହିଛି ୨୩ରୁ ଉର୍ଦ୍ଧ ମାମଲା । ଏହିଭଳି ଏକ ଆନ୍ତଃରାଜ୍ୟ ଗ୍ୟାଙ୍ଗକୁ ବହୁ ଚେଷ୍ଟା ପରେ ସୋମବାର ଦିନ ଗ୍ୟାଙ୍ଗକୁ ଧରିବାରେ ସଫଳ ହୋଇଛି ଡ଼ିସିପିଙ୍କ ସ୍ପେଶାଲ ସ୍କ୍ୱାଡ ଟିମ । ଗିରଫ ୭ ଜଣ ଅଭିଯୁକ୍ତ ହେଲେ, ମଧ୍ୟପ୍ରଦେଶର  ମାଷ୍ଟର ମାଇଣ୍ଡ ସଦେଖ ହୁସେନ୍, ସବିର ଅଲ୍ଲୀ, ଫାୟାଜ୍ ହୁସେନ୍, ହାସନ୍ ଅଲ୍ଲୀ, ଅବଜର୍ ଅଲ୍ଲୀ, ଜାହିର୍ ଅଲ୍ଲୀ ଓ ରାଜେନ୍ଦ୍ର କୁମାର ଖୁସବାହା । ଏମାନଙ୍କ ଠାରୁ ଏକ କାର, ୨ଟି ବାଇକ, ୬ଟି ମୋବାଇଲ, ଲକ୍ଷାଧିକ ଟଙ୍କାର ସୁନା ଅଳଙ୍କାର, ନଗଦ ୩ ଲକ୍ଷ ୫୦ ହଜାର ବହୁ ହକୁ୍ୟମେଣ୍ଟ ଜବତ କରାଯାଇଛି । ଆଜି ସମସ୍ତଙ୍କୁ କୋର୍ଟ ଚାଲାଣ କରାଯାଇଛି ।
 ସୂଚନାଯୋଗ୍ୟଯେ, ଗତ କିଛିମାସ ହେବ ରାଜଧାନୀରେ ସକାଳୁ ସକାଳୁ ମଣିଂୱାର୍କ ଯାଉଥିବା ମହିଳା, ଲୋକ, ବୃଦ୍ଧା ମାନଙ୍କୁ ନିଜକୁ ପୁଲିସର ପରିଚୟ ଦେଇ ସେମାନଙ୍କୁ ସଚେତନତା କରିବା ସହ ସେମାନେ ପିନ୍ଧିଥିବା ସୁନା ଅଳଙ୍କାରକୁ ବାହାର କରି ପାଖରେ ରଖିବାକୁ କହି ଓ ସେହି ସୁନା ଅସଲି ନାଁ ନକଲି ତାକୁ ଚେକିଂ କରିବାକୁ କହି ଲୁଟ୍ କରୁଥିଲେ ଏକ ନକଲି ପୁଲିସ ଗ୍ୟାଙ୍ଗ୍ । ଏନେଇ ଗତ ୩ ମାସ ହେବ ରାଜଧାନୀର ବିଭିନ୍ନ ଥାନାରେ ଅଭିଯୋଗ ହୋଇଯାଆସୁଥିଲା । ହେଲେ ଏହି ଗ୍ୟାଙ୍ଗକୁ ଧରିବା ପୁଲିସ ପାଇଁ କାଠିକର ପାଠ ହୋଇପଡ଼ିଥିଲା । ଫଳରେ ଏହି ନକଲି ପୁଲିସ ଗ୍ୟାଙ୍ଗକୁ ଧରିବାକୁ ସ୍ପେଶାଲ ସ୍କ୍ୱାଡ ଅଧିକାରୀ ହିମାଂଶୁ ସ୍ୱାଇଁଙ୍କୁ ଡ଼ିସିପି ଓ ସିପି ତଦନ୍ତ ଦାୟିତ୍ୱ ଦେଇଥିଲେ । ତଦନ୍ତ ଭାର ନେବା ପରେ ଟିମ ବିଭିନ୍ନ ଥାନା ପୁଲିସର ସହଯୋଗରେ ଏହି ଗ୍ୟାଙ୍ଗକୁ ଧରିବାକୁ କିଛିଦିନ ହେବ ରାଜଧାନୀରେ ଜାଲ ବିଛାଇଥିଲେ । ଏହି ସମୟରେ ଗତ କାଲି ପୁଲିସ ଜାଲରେ ୨ ଜଣ ଲୁଟେରା ପଡ଼ିବା ପରେ ସେମାନଙ୍କ ଠାରୁ ସମସ୍ତ ଘଟଣା ପଦାକୁ ଆସିଥିଲା । ପରେ ସେମାନଙ୍କ ଜରିଆରେ ବାକି ୫ ଜଣ ଲୁଟେରାଙ୍କୁ ରାତା ରାତି କାବୁ କରାଯାଇଥିଲା । ଏହାସହ ଏମାନେ କେମିତି ଲୋକଙ୍କୁ ଭୂଆଁ ବୁଲାଇ ପୁଲିସର ପରିଚୟ ଦେଇ ଲୁଟ୍ ପାଟ୍ କରୁଥିଲେ, ଏନେଇ ପୁଲିସ ଆଗରେ ଆଜି ଡେମୋ ଦେଖାଇଥିଲେ ଲୁଟେରା ଗ୍ୟାଙ୍ଗ୍ । ଏନେଇ ସାମ୍ବାଦିକ ସମ୍ମିଳନୀରେ ପୁଲିସ କମିଶନର ସଞ୍ଜିବ୍ ପଣ୍ଡା ଓ ଡ଼ିସିପି ପ୍ରତୀକ୍ ସିଂହ ସୂଚନା ଦେଇଛନ୍ତି ।