କେତେକ ଜିଲ୍ଲାରେ ପ୍ରବଳ ବର୍ଷାର ସମ୍ଭାବନା : ବାତ୍ୟାର ପ୍ରଭାବ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ ଆଜି ସକାଳେ ଡିପ୍ ଡିପ୍ରେସନ୍ରେ ପରିଣତ ହୋଇଛି। ଏହାର ଗତି ଉତ୍ତର-ପୂର୍ବ ଦିଗକୁ ରହିଛି। ଏହା ଅଧିକ ତୀବ୍ର ହୋଇ ୨୫ ତାରିଖ ସକାଳ ସୁଦ୍ଧା ବାତ୍ୟାରେ ପରିଣତ ହେବାର ସମ୍ଭାବନା ରହିଛି। ୨୫ ତାରିଖ ରାତି ସୁଦ୍ଧା ବାତ୍ୟା ଭୀଷଣ ରୂପ ନେଇ ଉତ୍ତର ଦିଗକୁ ଗତି କରିବ। ଆସନ୍ତା ୨୬ ତାରିଖ ମଧ୍ୟ ରାତିରେ ବାତ୍ୟା ସାଗର ଆଇଲ୍ୟାଣ୍ଡ ଓ ଖେପୁପରା ମଝିରେ ବଂଲାଦେଶ ଏବଂ ପଶ୍ଚିମବଙ୍ଗ ସୀମା ଦେଇ ଅତିକ୍ରମ କରିବାର ସମ୍ଭାବନା ରହିଛି। ଏହାର ପ୍ରଭାବରେ ସମୁଦ୍ର ଅଶାନ୍ତ ରହିବ। ସେଥିପାଇଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ଭିତରକୁ ନଯିବା ପାଇଁ ପରାମର୍ଶ ଦିଆଯାଇଛି।
ବାତ୍ୟାର ପ୍ରଭାବ ସିଧାସଳଖ ଓଡ଼ିଶା ଉପରେ ପଡ଼ିବନାହିଁ। କିନ୍ତୁ ଉତ୍ତର ଓ ଉପକୂଳ ଓଡ଼ିଶାରେ କେତେକ ଜିଲ୍ଲାରେ ପ୍ରବଳର ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ୨୫ ତାରିଖରେ ବାଲେଶ୍ୱର, ଭଦ୍ରକ, କେନ୍ଦ୍ରାପଡ଼ା ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳ ବର୍ଷା ହେବ। ଏଥିସହ ଘଣ୍ଟା ପ୍ରତି ୪୦ରୁ ୫୦ କିମି ବେଗରେ ପବନ ବୋହିବ। ସେହିପରି ୨୬ ତାରିଖ ସକାଳଠାରୁ ବାଲେଶ୍ୱର ଓ ଭଦ୍ରକ ଜିଲ୍ଲାରେ ଗୋଟିଏରୁ ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ଘଣ୍ଟା ପ୍ରତି ୬୦ରୁ ୭୦ କିମି ବେଗରେ ପବନ ବୋହିବ ବୋଲି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ପୂର୍ବାନୁମାନ କରାଯାଇଛି।