ମକର ସଂକ୍ରାନ୍ତିର ଆଧ୍ୟାତ୍ମିକ ତତ୍ତ୍ୱ
ସତ୍ୟ ମହାପାତ୍ର : ମକର ସଂକ୍ରାନ୍ତି ସୂର୍ଯ୍ୟ ଉପାସନାର ପର୍ବ । ସୂର୍ଯ୍ୟ ନାରାୟଣଙ୍କ ସ୍ତୁତି କରି ଅନ୍ଧକାରରୁ ଆଲୋକ ଆଡ଼କୁ ଯିବା ଲାଗି ଏହି ପର୍ବ ପ୍ରେରଣା ପ୍ରଦାନ କରିଥାଏ । ଏହି ପର୍ବ ଜୀବନରେ ଶୁଷ୍କତାକୁ ସମାପ୍ତ କରି ନୂତନ ଶକ୍ତି ଭରିଥାଏ । ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିବାକୁ ମକର ସଂକ୍ରାନ୍ତି କୁହାଯାଏ । ଭାରତ ଭୂଖଣ୍ଡ ପୃଥିବୀର ଉତ୍ତର ଗୋଲାର୍ଦ୍ଧରେ ଅବସ୍ଥିତ । ମକର ସଂକ୍ରାନ୍ତି ପୂର୍ବରୁ ସୂର୍ଯ୍ୟ ଦକ୍ଷିଣ ଗୋଲାର୍ଦ୍ଧରେ ଥାଆନ୍ତି । ମକର ସଂକ୍ରାନ୍ତି ପର ଠାରୁ ସେ ଉତ୍ତର ଗୋଲାର୍ଦ୍ଧକୁ ପ୍ରବେଶ କରିଥାନ୍ତି । ଏହାର ଅର୍ଥ ପରବର୍ତ୍ତୀ ୬ ମାସ ପର୍ଯ୍ୟନ୍ତ ସୂର୍ଯ୍ୟ ଉତ୍ତର ଗୋଲାର୍ଦ୍ଧରେ ଥାଆନ୍ତି । ସୂର୍ଯ୍ୟ ନିକଟକୁ ଆସୁଥିବାର ମକର ସଂକ୍ରାନ୍ତିରେ ତାଙ୍କର ପୂଜା କରାଯାଇଥାଏ । ମକର ସଂକ୍ରାନ୍ତିର ଅନେକ ପୌରାଣିକ ମହତ୍ୱ ରହିଛି । ସୂର୍ଯ୍ୟଙ୍କ ଉତ୍ତରାୟଣ ଠାରୁ ସମସ୍ତ ଧାର୍ମିକ କାର୍ଯ୍ୟ ଆରମ୍ଭ ହୋଇଥାଏ । ମହାଭାରତ ଯୁଦ୍ଧ ସମୟରେ ଶର ଶଯ୍ୟାରେ ଶୋଇଥିବା ପିତାମହ ଭୀଷ୍ମ ସୂର୍ଯ୍ୟଙ୍କ ଉତ୍ତରାୟଣ ହେବାକୁ ଅପେକ୍ଷା କରିଥିଲେ । ସୂର୍ଯ୍ୟ ଉତ୍ତରାୟଣ ହେବା ମାତ୍ରେ ସେ ପ୍ରାଣ ତ୍ୟାଗ କରିଥିଲେ । ପୌରାଣିକ ମାନ୍ୟତା ଅନୁଯାୟୀ ଏହି ଦିନ ଭଗବାନ ସୂର୍ଯ୍ୟ ନିଜ ପୁତ୍ର ଶନିକୁ ଦେଖା କରିବା ଲାଗି ତାଙ୍କ ଘରକୁ ଯାଇଥିଲେ । ଶନିଦେବ ମକର ରାଶିର ସ୍ୱାମୀ ହୋଇଥିବାରୁ ଏହି ଦିବସର ନାମ ମକର ସଂକ୍ରାନ୍ତି ହୋଇଥିଲା । ମକର ସଂକ୍ରାନ୍ତି ଦିନ ଦେବୀ ଗଙ୍ଗା ଭଗୀରଥଙ୍କ ପଛେ ପଛେ ଆସି କପିଳ ମୁନିଙ୍କ ଆଶ୍ରମରେ ପହଞ୍ଚି ଥିଲେ ।
ମକର ସଂକ୍ରାନ୍ତି ଦିନ ଗୁଡ଼ି ଉଡାଇବାର ପରମ୍ପରା ଦେଶର ବିଭିନ୍ନ ପ୍ରାନ୍ତରେ ଦେଖିବାକୁ ମିଳିଥାଏ । ତେବେ ଗୁଡ଼ି ଉଡାଇବା ପରମ୍ପରା ପୌରାଣିକ କାଳରୁ ଚାଲିଆସୁଛି । ଭଗବାନ ଶ୍ରୀରାମଚନ୍ଦ୍ର ବାଲ୍ୟକାଳରେ ଗୁଡ଼ି ଉଡାଉଥିଲେ ବୋଲି ତୁଳସୀ ଦାସଙ୍କ ଶ୍ରୀରାମଚରିତ ମାନସରେ ଉଲ୍ଲେଖ ରହିଛି । ଏଥିରେ ଲେଖାଅଛି - "ରାମ ଇକ୍ ଦିନ ଚଙ୍ଗ ଉଡାଇ । ଇନ୍ଦ୍ରଲୋକ ମେଁ ପହୁଞ୍ôଚ ଜାଇ', ଅର୍ଥାତ୍ ରାମଚନ୍ଦ୍ର ଥରେ ଗୁଡ଼ି ଉଡାଇବା ସମୟରେ ତାହା ଚନ୍ଦ୍ରଲୋକରେ ଯାଇ ପହଞ୍ôଚଥିଲା । ତାମିଲ୍ ଭାଷାରେ ରଚିତ ନନ୍ଦନାରାମୟଣରେ ଉଲ୍ଲେଖ ରହିଛି ଯେ ମକର ସଂକ୍ରାନ୍ତିର ପବିତ୍ର ଅବସରରେ ଭଗବାନ ରାମଚନ୍ଦ୍ର ଏବଂ ହନୁମାନଙ୍କ ମଧ୍ୟରେ ମିତ୍ରତା ହୋଇଥିଲା । ମକର ସଂକ୍ରାନ୍ତିରେ ଶ୍ରୀରାମ ଉଡାଇଥିବା ଗୁଡ଼ି ଇନ୍ଦ୍ରଲୋକରେ ଯାଇ ପହଞ୍ôଚଥିଲା । ଉକ୍ତ ଗୁଡ଼ିକୁ ଦେଖି ଇନ୍ଦ୍ରଙ୍କ ପୁତ୍ର ଜୟନ୍ତଙ୍କ ପତ୍ନୀ ଭାବିଲେ, ଯାହାର ଗୁଡ଼ି ଏତେ ସୁନ୍ଦର ହୋଇପାରେ ସେ କେତେ ସୁନ୍ଦର ହୋଇନଥିବେ! ଏହାପରେ ସେ ଗୁଡିଟିକୁ କାଟି ରଖିଦେଇଥିଲେ । ଭଗବାନ ଶ୍ରୀରାମ ଗୁଡ଼ିକୁ ଦେଖି ନପାରିନଥିଲେ । ସେ ଗୁଡ଼ି ଖୋଜି ଆଣିବା ଲାଗି ହନୁମାନଙ୍କୁ ପଠାଇଲେ । ହନୁମାନ ଇନ୍ଦ୍ରଲୋକରେ ପହଞ୍ଚି ଗଲେ । ମାତ୍ର ଜୟନ୍ତଙ୍କ ପତ୍ନୀ କହିଲେ, ଯେ ପର୍ଯ୍ୟନ୍ତ ସେ ଶ୍ରୀରାମଙ୍କୁ ନଦେଖିଛନ୍ତି, ସେ ପର୍ଯ୍ୟନ୍ତ ଗୁଡ଼ି ଫେରାଇବେ ନାହିଁ । ହନୁମାନ ପ୍ରଭୁ ଶ୍ରୀରାମଙ୍କ ନିକଟକୁ ଏହି ବାର୍ତ୍ତା ନେଇ ଗଲେ । ଭଗବାନ ରାମଚନ୍ଦ୍ର କହିଲେ ବନବାସ ସମୟରେ ଜୟନ୍ତଙ୍କ ପତ୍ନୀଙ୍କୁ ସେ ଦର୍ଶନ ଦେବେ । ହନୁମାନ ଶ୍ରୀରାମଙ୍କ ସନ୍ଦେଶ ନେଇ ଜୟନ୍ତଙ୍କ ପତ୍ନୀଙ୍କୁ ଜଣାଇଲେ । ଶ୍ରୀରାମଙ୍କ ଆଶ୍ୱାସନା ପାଇଁ ଜୟନ୍ତଙ୍କ ପତ୍ନୀ ଗୁଡ଼ି ଫେରାଇ ଦେଇଥିଲେ ।
ମକର ସଂକ୍ରାନ୍ତି ଏକ ସର୍ବଭାରତୀୟ ପର୍ବ । ଏହି ଦିନ ସୂର୍ଯ୍ୟ ମକର ରାଶିରେ ପ୍ରବେଶ କରିଥାନ୍ତି । ଏହି ସଂକ୍ରାନ୍ତିକୁ ମାଘ ମାସର ପ୍ରଥମ଼ ଦିନ ଭାବେ ହିସାବ କରାଯାଏ । ସୂର୍ଯ୍ୟଙ୍କ ସଂକ୍ରମଣ ବା ଗୋଟିଏ ରାଶିରୁ ଅନ୍ୟ ରାଶିକୁ ଚଳନର ଦିନ ହେଉଛି ସଂକ୍ରାନ୍ତି । ପ୍ରତି ସଂକ୍ରାନ୍ତିରେ ସୂର୍ଯ୍ୟ ଗୋଟିଏ ଲେଖାଏଁ ରାଶିକୁ ଗମନ କରି ସେଥିରେ ଏକ ମାସ ଅବସ୍ଥାନ କରନ୍ତି । ମକର ସଂକ୍ରାନ୍ତି ଦିନ ସୂର୍ଯ୍ୟ ଧନୁ ରାଶିରୁ ମକର ରାଶିକୁ କ୍ରମଶଃ ଗମନ କରନ୍ତି । ଏହି ଦିନଠୁ ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ଆରମ୍ଭ ହୋଇଥାଏ । ଏହି ଭୋଗ ମକର ଚାଉଳ ଭାବେ ପ୍ରସିଦ୍ଧ । କେବଳ ଭାରତ ନୁହେଁ, ରୋମାନ୍ ଇହୁଦୀମାନେ ମଧ୍ୟ ଏହି ପର୍ବ ପାଳନ କରନ୍ତି । ଦକ୍ଷିଣ ଭାରତରେ ଏହା ସବୁଠୁ ବଡ଼ ପର୍ବ । ଦକ୍ଷିଣରେ ଏହା ପୋଙ୍ଗଲ ନାମରେ ପ୍ରସିଦ୍ଧ । ଏହି ଦିନଠାରୁ ଦିନ କ୍ରମଶଃ ବଡ଼ ହୁଏ । ସୂର୍ଯ୍ୟଙ୍କ ତେଜ ମଧ୍ୟ ଆଜିଠୁ ପ୍ରଖର ହୁଏ । ଏହି ସବୁ ଧାର୍ମିକ ଏବଂ ସାମାଜିକ ଦୃଷ୍ଟିକୋଣରୁ ବିଚାର କଲେ ଜଣାଯାଏ ଯେ ମକର ସଂକ୍ରାନ୍ତି ପର୍ବର ସାମାଜିକ ଏବଂ ଆଧ୍ୟାତ୍ମିକ ଭିତ୍ତିଭୂମି ସୁଦୂରପ୍ରସାରୀ । ଏହି ପର୍ବ ଆମର ସାମାଜିକ ଜୀବନକୁ ଯେପରି ପ୍ରଭାବିତ କରିଛି । ଆମର ଧର୍ମ ଜୀବନ ଠିକ ସେହିପରି ପୁଷ୍କକ କରିବା ସଙ୍ଗେ ସଙ୍ଗେ ନିରୋଗ, ସୁସ୍ଥ ଶରୀର ରକ୍ଷା ପାଇଁ ଯଥେଷ୍ଟ ଉପାଦାନ ଯୋଗାଇଛି ।
ମୋ: ୯୬୫୮୧୦୫୫୩୨
Samir Kumar Rout