ନାବାଳିକାକୁ ଅସଦାଚରଣ କରିବା ଅଭିଯୋଗରେ ଅଭିଯୁକ୍ତକୁ ୧ ବର୍ଷ ଜେଲ

କେନ୍ଦୁଝର : ଆଜି ଏକ ନାବାଳିକା ଅସଦାଚରଣ ମାମଲାର ବିଚାର କରି କେନ୍ଦୁଝର ଫାଷ୍ଟଟ୍ରାକ୍‌ କୋର୍ଟର ବିଚାରପତି ବିଜୟ କୁମାର ମିଶ୍ର ପାଟଣା ଥାନା ଅନ୍ତର୍ଗତ ସିଲପଦା ଗ୍ରାମର ଅଭିଯୁକ୍ତ ସୁନିଲ କୁମାର ମହାନ୍ତ(୩୦)କୁ ଏକ ବର୍ଷ ସଶ୍ରମ କାରାଦଣ୍ଡାଦେଶ ସହ ୫ଶହ ଟଙ୍କା ଜୋରିମାନା ଏବଂ ଜୋରିମାନା ଅନାଦେୟ ଅଧିକ ୧୫ ଦିନ ସଶ୍ରମ କାରାଦଣ୍ଡରେ ଦଣ୍ଡିତ କରିଛନ୍ତି । ଘଟଣାରୁ ପ୍ରକାଶ ଯେ, ଜଣେ ନାବାଳିକା ଫଟୋକୁ ଅଭିଯୁକ୍ତ ଜଣକ ନିଜ ଫଟୋ ସହ ଯୋଡି ବାହା ହେବା ପାଇଁ କହିଲା ଓ ବାହା ନହେଲେ ପୀଡିତା ଓ ପୀଡିତାର ଘର ଲୋକଙ୍କୁ ମାରି ଦେବାକୁ ଧମକ ଦେବା ସହ ପୀଡିତାକୁ ରାସ୍ତାଘାଟରେ ଚଳାଇ ଦେଉ ନଥିବାରୁ ପୀଡିତା ପାଟଣା ଥାନାରେ ଏକ ଲିଖିତ ଅଭିଯୋଗ କରିବା ପରେ ପୋଲିସ ଏକ କେଶ ରୁଜୁ କରି ଆସାମୀକୁ କୋର୍ଟ ଚାଲାଣ କରିଥିଲା  । ଆଜି ଅଦାଲତ ୯ ଜଣ ସାକ୍ଷଙ୍କ ବୟାନକୁ ଭିତ୍ତି କରି ଆସାମୀକୁ ଧାରା ୩୫୪(ଘ) ଓ ୫୦୯ ଭାରତୀୟ ପିଙ୍ଗଳ ଧାରାରେ ଦୋଷୀ ସାବ୍ୟସ୍ତ କରି ଉପରୋକ୍ତ ଦଣ୍ଡାଦେଶ ଶୁଣାଇଛନ୍ତି  । ସରକାରଙ୍କ ତରଫରୁ ସ୍ୱତନ୍ତ୍ର ପିପି ଜ୍ଞାନେନ୍ଦ୍ର ନାଥ ଜେନା କେଶ ପରିଚାଳନା କରୁଥିଲେ ।