ନାବାଳିକାଙ୍କ ମୃତଦେହ ଉଦ୍ଧାର: କୁକର୍ମ ପରେ ହତ୍ୟା ସନେ୍ଦହ

 ଅନୁଗୁଳ : ଜଣେ ନାବାଳିକାଙ୍କ ଉଲଗ୍ନ ମୃତଦେହ ଏକ ନାଳରେ ଭାସୁଥିବା ଅବସ୍ଥାରେ ଉଦ୍ଧାର କରଯାଇଛି । ନାବାଳିକାଙ୍କୁ କୁକର୍ମ କରିବା ପରେ ହତ୍ୟା କରାଯାଇଥିବା ସନେ୍ଦହ କରାଯାଉଛି । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ଅନୁଗୁଳ ସଦର ଥାନା ଅନ୍ତର୍ଗତ ଶ୍ୟାମସୁନ୍ଦରପୁର ଗାଁରେ । ସୂଚନାରୁ ଜଣାପଡିଛି ଯେ, ଶ୍ୟାମସୁନ୍ଦରପୁର ଗାଁର ୫ମ ଶ୍ରେଣୀରେ ପଢୁଥିବା ଜଣେ ୧୦ ବର୍ଷର ନାବାଳିକା ଗତକାଲି ଠାରୁ ନିଖୋଜ ଥିଲେ । ବହୁ ଖୋଜାଖୋଜି ପରେ କୌଣସି ସନ୍ଧାନ ନ ପାଇବା ପରେ ପରିବାର ଲୋକ ଥାନାର ଦ୍ୱାରସ୍ଥ ହୋଇଥିଲେ । ଆଜି ସକାଳେ ନାବାଳିକାଙ୍କ ଉଲଗ୍ନ ମୃତଦେହ ଗାଁ ମୁଣ୍ଡ ନାଳରେ ଭାସୁଥିବା ଦେଖିବାକୁ ମିଳିଥିଲା । ପରିବାର ଲୋକଙ୍କ କହିବା ଅନୁଯାୟୀ ନାବାଳିକାଙ୍କ ବେକରେ ଏବଂ ମୁହଁରେ କ୍ଷତ ଚିହ୍ନ ରହିଛି । ନାବାଳିକାଙ୍କୁ କେହି କୁକର୍ମ କରିବା ପରେ ହତ୍ୟା କରିଥିବା ସନେ୍ଦହ କରାଯାଉଛି । ଏ ନେଇ ଗାଁରେ ଉତ୍ତେଜନା ପ୍ରକାଶ ପାଇବା ସହ ଶାବଳଭଙ୍ଗା ଗାଁ ଠାରେ ରାସ୍ତାରୋକ କରିଛନ୍ତି । ଯାହା ଫଳରେ ଅନୁଗୁଳରୁ ବନ୍ତଳା ଯିବା ଆସିବା ବାଧାପ୍ରାପ୍ତ ହୋଇଛି । ଏହି ଖବର ପାଇ ବିଧାୟକ ପ୍ରତାପ ଚନ୍ଦ୍ର ପ୍ରଧାନ ଘଟଣାସ୍ଥଳରେ ପହଞ୍ଚି ବୁଝାସୁଝା କରିଥିବା ଜଣାପଡ଼ିଛି । ଘଟଣା ସ୍ଥଳରେ ପୁଲିସ ସାଇଣ୍ଟିଫିକ ଟିମ୍ ଏବଂ ସନ୍ଧାନୀ କୁକୁର ନେଇ ତଦନ୍ତ ଆରମ୍ଭ କରିଛି । ଅନୁଗୁଳ ଏସ୍ପି ରାହୁଲ ଜୈନ ଘଟଣାସ୍ଥଳ ପରିଦର୍ଶନ କରିଛନ୍ତି ।