ମେଗା ସ୍ୱାସ୍ଥ୍ୟ ସେବା ଶିବିର
ତିହିଡି: ଭଦ୍ରକ ଜିଲ୍ଲାର ପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ ତଥା ତିହିଡି ବ୍ଲକର ଈଶ୍ୱରପୁର ଠାରେ ବିରାଜମାନ କରିଥିବା ମା’ ଦପା ନାୟକାଣୀଙ୍କ ପୀଠରେ ପବିତ୍ର ମକର ପର୍ବ ଅବସରରେ ଶୁଭମ ସ୍ୱେଛାସେବୀ ସଂଗଠନ ପକ୍ଷରୁ ତ୍ରିଦିବସୀୟ ଦିବାରାତ୍ର ମେଗା ସ୍ୱାସ୍ଥ୍ୟ ସେବା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଉପଲକ୍ଷେ ସଂଗଠନର ସଭାପତି ହୃଷିକେଶ ବାରିକ ଓ ମୁଖ୍ୟ ସଂଯୋଜକ ଆନନ୍ଦ ଚନ୍ଦ୍ର ବେହେରା ନେତୃତ୍ୱରେ ୧୫ ଜଣିଆ ସ୍ୱେଛାସେବୀ ଦଳ ପୀଠରେ ପହଁଞ୍ଚô ଏହି ସ୍ୱାସ୍ଥ୍ୟ ସେବା ଶିବିରକୁ ପରିଚାଳନା କରିବା ସହିତ ମେଳାକୁ ଆସିଥିବା ଶ୍ରଦ୍ଧାଳୁ ମାନଙ୍କୁ ଶୁଦ୍ଧ ଲେମ୍ବୁ ମିଶା ଜଳ ପ୍ରଦାନ କରିଥିଲେ । ଏହି ମେଗା ସ୍ୱାସ୍ଥ୍ୟ ସେବା ଶିବିରରେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ମୁଖ୍ୟ ଭେଷଜ ବିଶେଷଜ୍ଞ ଡା ବିଜୟ କୁମାର ପଣ୍ଡା, ଚିକିତ୍ସକ ତଥା ସମାଜସେବୀ ଗୋଲକ ଚନ୍ଦ୍ର ସାମଲ, ଫାର୍ମାସିଷ୍ଟ ଜ୍ୟୋତି ପ୍ରକାଶ ମହାନ୍ତି, ସତ୍ୟଶ୍ରୀ ନାୟକ ଓ ଭଗବାନ ଚନ୍ଦ୍ର ରାଉଳ ପ୍ରମୁଖ ଯୋଗଦେଇ ରୋଗୀଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରିବା ସହିତ ସେମାନଙ୍କୁ ମାଗଣାରେ ଔଷଧ ପ୍ରଦାନ କରିଥିଲେ । ଏହି ଶିବିରରେ ମୋଟ ୧୮୫୬ ଜଣଙ୍କ ସ୍ୱାସ୍ଥ୍ୟ ପରୀକ୍ଷା କରି ଔଷଧ ବଣ୍ଟନ କରାଯାଇଥିଲା । ଉକ୍ତ ମେଗା ସ୍ୱାସ୍ଥ୍ୟ ସେବା ଶିବିରକୁ ରାଜ୍ୟ ଉଚ୍ଚ ଶିକ୍ଷା, କ୍ରୀଡା ଓ ଯୁବ ବ୍ୟାପାର ଏବଂ ସଂସ୍କୃତି ମନ୍ତ୍ରୀ ସୂର୍ଯ୍ୟବଂଶୀ ସୁରଜ ସ୍ଥିତପ୍ରଜ୍ଞ ମୁଖ୍ୟ ଅତିଥି ଭାବେ ଯୋଗଦେଇ ଆନୁଷ୍ଠାନିକ ଭାବେ ଉଦଘାଟନ କରିବା ସହିତ ମକର ମେଳାରେ ମା’ ଙ୍କ ପୀଠରେ ଏପରି ସ୍ୱତନ୍ତ୍ର ସେବା ଶିବିର ଆୟୋଜନ କରି ଯାତ୍ରୀ ଓ ଶ୍ରଦ୍ଧାଳୁ ମାନଙ୍କୁ ସେବା ଯୋଗାଇ ଦେଉ ଥିବାରୁ ସଂଗଠନ ନିଷ୍ଠାପର କାର୍ଯ୍ୟକ୍ରମକୁ ପ୍ରଶଂସା କରିଥିଲେ । ଏହି ଶିବିରକୁ ପ୍ରତେକ ଦିନ ବହୁ ବିଶିଷ୍ଟ ବ୍ୟକ୍ତିଙ୍କ ସହିତ ମା’ ଦପା ନାୟକାଣୀ ପୂଜା କମିଟିର କର୍ମକର୍ତ୍ତା ମାନେ ପରିଦର୍ଶନରେ ଯାଇ ସଂଗଠନ ପକ୍ଷରୁ ଚାଲିଥିବା ଏପରି ମହତ କାର୍ଯ୍ୟ ଦୀର୍ଘ ୨୧ ବର୍ଷ ଆୟୋଜନ କରାଯାଉ ଥିବାରୁ ସଂଗଠନର କର୍ମକର୍ତା ଙ୍କୁ ସାଧୁ ବାଦ ଦେଇଥିଲେ । ସଂଗଠନର ସମ୍ପାଦକ ନରେନ୍ଦ୍ର କୁମାର ସାମଲ, ଉପ ସଭାପତି ଆନନ୍ଦ ଚନ୍ଦ୍ର ପଲ୍ଲାଇ, ସନାତନ ଜେନା, ଦେବେନ୍ଦ୍ର ଭଞ୍ଜ ଓ ରାଜା ଉପାଧ୍ୟାୟ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।