ନାଳକୂଳ-ଭଗବାନପୁର ବ୍ରିଜ... ଉଠିଲାଣି କଙ୍କ୍ରିଟ୍, ଦିଶିଲାଣି ରଡ୍
ବ୍ରହ୍ମବରଦା : ଧର୍ମଶାଳା ବ୍ଲକ ଅଧିନ ବ୍ରାହ୍ମଣୀ ଶାଖା କେଲୁଅ ନଦୀ ଉପରେ ନିର୍ମିତ ନାଳକୂଳ-ଭଗବାନ ବ୍ରିଜ ଏବେ ବିପଦ ସଙ୍କୁଳ ଅବସ୍ତା ଦେଇ ଗତିକରୁଛି । ବ୍ରିଜ୍ ଉପର ରାସ୍ତାରୁ କଙ୍କ୍ରିଟ୍ ସବୁ ଉଠିଯାଇ ଖାଳଖମା ସୃଷ୍ଟି ହୋଇଥିବା ବେଳେ ରଡ୍ ଗୁଡିକ ପଦାକୁ ଦିଶିଲାଣି । ବ୍ରିଜର ଉଭୟପାର୍ଶ୍ୱରେ ଥିବା ବାଡା ଦ୍ୱୟରୁ ମଧ୍ୟ କଙ୍କ୍ରିଟ୍ ସବୁ ଝଡ଼ି ଦୁର୍ବଳ ହୋଇପଡିଲାଣି । ଯାହାଫଳରେ ଉକ୍ତ ବ୍ରିଜ୍ ଦେଇ ଗାଡି ମୋଟର ଯିବାଆସିବା କରିବା ସମୟରେ ଦୈନିକ ଛୋଟମୋଟ ଦୁର୍ଘଟଣାମାନ ଘଟି ବହୁ ଧନଜୀବନ ହାନି ଘଟୁଛି । ପାଣିକୋଇଲି ପୂର୍ତ୍ତବିଭାଗ ଅଧୀନରେ ଥିବା ଉକ୍ତ ବ୍ରିଜଟି ଏବେ ସ୍ଥାୟି ମରାମତି ଓ ରକ୍ଷଣାବେକ୍ଷଣ ଅଭାବରୁ ଶୋଚନୀୟ ହୋଇପଡ଼ିଛି । ଯାହାକୁ ନେଇ ସ୍ତାନୀୟ ଅଞ୍ଚଳରେ ଜନଅସନ୍ତୋଷ ବଢିବାରେ ଲାଗିଛି । ସୂଚନାନୁଯାୟୀ କି, ବରୁଆଁ-କୃଷ୍ଣଦାସପୁର ମୁଖ୍ୟ ରାସ୍ତାକୁ ସଂଯୋଗ କରୁଥିବା ନାଳକୂଳ-ଭାଗବାନ ବ୍ରିଜ ଦେଇ ଦୈନିକ ସହ ସହ ଗାଡିମଟର, ଚିପ୍ସ ଓ ବାଲି ବୋଝେଇ ହାଇୱା ସାଙ୍ଗକୁ ଆଇରନ ବୋଝେଇ ଭାରିଯାନ ଗୁଡିକ ଯାତାୟତ କରିଥାନ୍ତି । ଏହା ବ୍ୟତୀତ ଉକ୍ତ ବ୍ରିଜଟି ଧର୍ମଶାଳା, ବଡଚଣା, ବରୀ ଓ ରସୁଲପୁର ଆଦି ଚାରୋଟି ବ୍ଲକକୁ ସଂଯୋଗ କରିବା ସହିତ ଉକ୍ତ ବ୍ରିଜ୍ରର ଉଭୟ ପାର୍ଶ୍ୱରେ ଥାନା, ଫାଣ୍ଡି, ଦୁଇଟି ମହାବିଦ୍ୟାଳୟ,ବହୁ ସରକାରୀ ଓ ବେସରକାରୀ ବିଦ୍ୟାଳୟ, ବ୍ୟବସାୟ ପ୍ରତିଷ୍ଠାନ, ସାପ୍ତାହିକ ହାଟ ଆଦି ରହି ଥିବାରୁ ଦୈନନ୍ଦିନ ହଜାର ହଜାର ଲୋକେ, ବ୍ୟବସାୟି, ଛାତ୍ରୀଛାତ୍ର ଆଦି ଉକ୍ତ ବ୍ରିଜ୍ ଦେଇ ଯିବାଆସିବା କରିଥାନ୍ତି । କିନ୍ତୁ ଏହି ବ୍ରିଜଟି ଏବେ ମରଣ ଯନ୍ତା ପାଲଟିଛି । ଅଣଓସାରିଆ ବ୍ରିଜ୍ ସାଙ୍ଗକୁ କୌଣସି ଭାରିଯାନ ଗଲେ ବ୍ରିଜ୍ ଉପରେ ବ୍ରିଜରେ କମ୍ପନ ସୃଷ୍ଟି ହେଉଛି । ପାଣିକୋଇଲି ପୂର୍ତବିଭାଗ ଅଧିନରେ ଥିବା ଏହି ବ୍ରିଜଟି ବାରମ୍ବାର ମରାମତି ହେଇଥିଲେ ମଧ୍ୟ ନିମ୍ନମାନର କାମ ଯୋଗୁ ଦିନ କେଇଟାରେ ଖାଳଖମା ସୃଷ୍ଟି ହେଉଛି । ବ୍ରିଜ୍ ରାସ୍ତା ଉପରେ ସୃଷ୍ଟି ଖାଳଖମାରେ ଠିକାଦାର ଢଳେଇ ବଦଳରେ ପିଚୁ ତାଳି ପକାଯାଉଥିବାରୁ ତାହା ବାରମ୍ବାର ତାହା ଉଠି ପୁଣି ଗର୍ତ ସୃଷ୍ଟି ହେଉଛି । ଏଥିରୁ ସୂଚୀତ ହେଉଛି କି ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ମଧୁଚନ୍ଦ୍ରିକାରେ ସାଧାରଣ ଲୋକେ ନାହିଁନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେଣୁ ଉକ୍ତ ବ୍ରିଜର ସ୍ଥାୟୀ ମରାମତି ନ କଲେ ଆଗାମୀ ଦିନରେ ଜନ ଆନେ୍ଦାଳନ ହେବ ବୋଲି ଉଭୟପାର୍ଶ୍ୱର ଗ୍ରାମବାସୀ ମାନେ ଚେତାବନୀ ଦେଇଛନ୍ତି ।