ଗନ୍ଧମାର୍ଦ୍ଧନରେ ୨୦୨ ନିୟୁତ ଟନ୍ ବକ୍ସାଇଟ୍
ଭୁବନେଶ୍ୱର : ବଲାଙ୍ଗିର ଓ ବରଗଡ଼ ଜିଲ୍ଲା ସୀମାନ୍ତରେ ଥିବା ପୁରାଣ ପ୍ରସିଦ୍ଧ ଗନ୍ଧମାର୍ଦ୍ଧନ ପର୍ବତରେ ୨୦୨.୨୬ ନିୟୁତ ଟନ ପରିମାଣର ବକ୍ସାଇଟ ମହଜୁଦ ରହିଛି । ଭାରତ ସରକାରଙ୍କ ଅଧୀନ ଏମ୍ଇସିଏଲ୍ ଓ ରାଜ୍ୟ ସରକାରଙ୍କର ଖଣି ଓ ଭୂତତ୍ତ୍ୱ ନିଦେ୍ର୍ଦଶାଳୟ ଦ୍ୱାରା ୧୯୭୫ରୁ ୧୯୭୯ ମଧ୍ୟରେ ଏହି ପର୍ବତରେ ଉପରୋକ୍ତ ପରିମାଣର ବକ୍ସାଇଟ୍ ଆକଳନ କରଯାଇଥିଲା । ଗୁରୁବାର ଗୃହରେ ଏହି ତଥ୍ୟ ଦେଇଛନ୍ତି ଇସ୍ପାତ ଓ ଖଣି ମନ୍ତ୍ରୀ ବିଭୁତି ଭୂଷଣ ଜେନା ।
ମନ୍ତ୍ରୀ ଆହୁରି କହିଛନ୍ତି ଯେ, ୧୧.୦୯.୧୯୮୧ରେ କେନ୍ଦ୍ର ସରକାରଙ୍କ ଅଧୀନ ବାଲ୍କୋ କମ୍ପାନୀକୁ ଖଣି ଏମ୍ସି ରୁଲ୍, ୧୯୬୦ ନିୟମ ୨୨ ଅନୁସାରେ ଏହି ଖଣି ଖନନ ପାଇଁ ଖଣି ପଟ୍ଟା ପ୍ରଦାନ କରଯାଇଥିଲା । ମାତ୍ର, ଏହି କମ୍ପାନୀ ସମ୍ପୃକ୍ତ ଖଣି ଅଞ୍ଚଳ ପାଇଁ ଉଦ୍ଦିଷ୍ଟ ବୈଧାନିକ ଅନୁମତି ପତ୍ର ମୁଖ୍ୟତଃ ବନବିଭାଗ ଠାରୁ ଅନୁମତି ଆଣିପାରିଲା ନାହିଁ । ଏଣୁ ଖଣି ପଟ୍ଟା ସମ୍ପାଦାନ ହେବାଠାରୁ ଦୀର୍ଘ ୨ ବର୍ଷରୁ ଅଧିକ ସମୟ ଧରି ଖଣି କାର୍ଯ୍ୟ ବନ୍ଦ ରହିଥିଲା । ୫.୦୧.୧୯୯୦ରେ ରାଜ୍ୟ ସରକାର ଉପରୋକ୍ତ ଖଣି ଅଞ୍ଚଳକୁ ଏମ୍ଏମ୍ଡିଆର୍ ଆକ୍ଟ, ୧୯୫୭ ଧାରା ୪ଏ (୪) ଅନୁଯାୟୀ ଅସିଦ୍ଧ ଘୋଷଣା କରାଯାଇଥିଲା । ସମ୍ପ୍ରତି ଗନ୍ଧମାର୍ଦ୍ଧନରୁ ଖଣିଜ ଉତ୍ତୋଳନ ଲାଗି କୌଣସି ସଂସ୍ଥାକୁ ନିୟୋଜିତ କରିବାପାଇଁ କୌଣସି ପ୍ରସ୍ତାବ ନାହିଁ ।
ସୂଚନାଯୋଗ୍ୟ ଉକ୍ତ ଅଞ୍ଚଳରେ ଗଛିତ ଥିବା ବକ୍ସାଇଟ ଖଣିଜ ପଦାର୍ଥକୁ ଉତ୍ତୋଳନ କରିବା ନିମନ୍ତେ, କେନ୍ଦ୍ର ସରକାରଙ୍କ ଅଧୀନ ଭାରତ ଆଲୁମିନିୟମ୍ କମ୍ପାନୀକୁ ଖଣିଜ ଅଧିନିୟମ, ୧୯୬୦ ର ଧାରା ୨୨ ଆଧାରରେ ବଲାଙ୍ଗିର ଓ ବରଗଡ ଜିଲ୍ଲା ଅନ୍ତର୍ଗତ ପାଟଣାଗଡ଼ ଓ ପଦ୍ମପୁର ଉପ ଉପଜିଲ୍ଲାର ଗନ୍ଧମାର୍ଦ୍ଧନ ରିଜର୍ଭ ଫରେଷ୍ଟର ୨୩୫୫.୧୪ ଏକର / ୯୫୩.୦୯୧ ହେକ୍ଟର ପରିମିତି ଅଞ୍ଚଳକୁ ଖଣିପଟ୍ଟା ମଞ୍ଜୁର ପାଇଁ ବଲାଙ୍ଗିର ଜିଲ୍ଲାପାଳଙ୍କ ଜରିଆରେ ରାଜ୍ୟ ସରକାରଙ୍କୁ ଆବେଦନ କରିଥିଲେ । ରାଜ୍ୟ ସରକାର ତାଙ୍କର ପତ୍ର ସଂଖ୍ୟା ୧୦୨୩୪/ଏମ୍ଜି ୧୧.୦୯.୧୯୮୧ରେ ଏମ୍/ଏସ୍ ଭାରତ ଆଲୁମିନିୟମ କମ୍ପାନୀ ସପକ୍ଷରେ ଉପରୋକ୍ତ ଅଞ୍ଚଳକୁ ଖଣିପଟ୍ଟା ମଞ୍ଜୁର କରିଥିଲେ ।