କାହାକୁ ମିଳିବ ମନ୍ତ୍ରୀ ମୁକୁଟ, ଅମର ନାଁ ଆକାଶ?
: ସଭାପତି ଚୟନ ପରେ ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବ । ଏଭଳି ଚର୍ଚ୍ଚା ଭିତରେ ଗଲାକାଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ରାଜ୍ୟପାଳ ଡ଼. ହରିବାବୁ କମ୍ଭମପରର୍ଟିଙ୍କୁ ଭେଟିବା ଏବଂ ଆଜି ବିଜେପି ସଭାପତି ମନମୋହନ ସାମଲ ଏବଂ ସଂଗଠନ ସଂପାଦକ ମାନସ ମହାନ୍ତି ଦିଲ୍ଲୀଗସ୍ତ ଚର୍ଚ୍ଚାକୁ ଖୋରାକ ଯୋଗାଇଛି । ମନ୍ତ୍ରୀ ମଣ୍ଡଳ ସଂପ୍ରସାରଣ ହେବ ଏଭଳି ଆଭାସ ମିିଳିବା ପରେ ଯାଜପୁରରେ କାହାକୁ ମିଳିବ ମନ୍ତ୍ରୀ ମୁକୁଟ ତାହାକୁ ନେଇ ଚର୍ଚ୍ଚା ଏବଂ ଆଲୋଚନା ହେବାରେ ଲାଗିଛି । ୨୪ବର୍ଷର ବିଜେଡ଼ି ସରକାରର ପତନ ଘଟାଇ କ୍ଷମତାକୁ ଆସିଥିବା ଭାରତୀୟ ଜନତା ପାର୍ଟି ସରକାରକୁ ବର୍ଷ ପୁରିଗଲାଣି । ସରକାର ଗଠନ ସମୟରେ ପୂର୍ଣ୍ଣାଙ୍ଗ ମନ୍ତ୍ରୀ ମଣ୍ଡଳ ହୋଇ ପାରିନଥିବାରୁ ୧୪ ମାସର ସରକାରରେ ଖାଲିପଡ଼ିଥିବା ୬ଟି ମନ୍ତ୍ରୀ ପଦ ପୂରଣ କୈାଣସିବି ସମୟରେ ହୋଇପାରେ । ଏକଥାକୁ ଭଲ ଭାବେ ବୁଝିଥିବା ଆଶାୟୀ ପାର୍ଟିର ସଭାପତି ହୁଅନ୍ତୁ କି ମୁଖ୍ୟମନ୍ତ୍ରୀଙ୍କ ନିକଟତର ହେବା ସ୍ୱାଭାବିକ୍ । ସରକାର ଗଠନ ସମୟରେ ଯାଜପୁର ଜିଲାରୁ ଜଣକୁ ମାତ୍ର ମନ୍ତ୍ରୀ ପଦ ମିଳିଥିବାରୁ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଜିଲାରୁ ଆଉ ଜଣଙ୍କୁ ସୁଯୋଗ ମିଳିପାରେ ବୋଲି ରାଜନୈତିକ ମହଲ ବିଶ୍ୱାସ ରଖିଛି । ଯାଜପୁର ଏକ ମହତ୍ୱ ପୂର୍ଣ୍ଣ ଜିଲ୍ଲା ହୋଇଥିବା ଏବଂ ଅତୀତରେ ରାଜ୍ୟ ମନ୍ତ୍ରୀ ମଣ୍ଡଳରେ ଯାଜପୁର ଜିଲ୍ଲାରୁ ଏକାଧିକଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଇଥିବାରୁ ମୋହନ ସରକାର ଅନ୍ତତପକ୍ଷେ ଆଉ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରିବେ ବୋଲି ବିଜେପି ନେତା-କର୍ମୀ ଆଶାବାନ୍ଧି ବସିଛନ୍ତି ।
ଏହାକୁ ଯଦି ବିଚାରକୁ ନିଆଯାଏ ତେବେ ମୋହନ ସରକାରର ହେବାକୁ ଥିବା ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ ଯାଜପୁର ଜିଲ୍ଲାରୁ କାହାକୁ ମନ୍ତ୍ରୀ ମୁକୁଟ ମିଳିବ ତାହା ମୁଖ୍ୟ ଚର୍ଚ୍ଚାରେ ରହିଛି । ଯଦି ଦେଖିବା ତେବେ ଦଳୀୟ ବିଧାୟକ ଭାବେ ଦୁଇଜଣ ବଡ଼ଚଣାର ଅମର ନାୟକ ଓ କୋରେଇ ନିର୍ବାଚନ ମଣ୍ଡଳୀର ଆକାଶ ଦାସ ନାୟକ ରହିଛନ୍ତି । ଏହି ଦୁଇ ବିଧାୟକଙ୍କ ମଧ୍ୟରୁ ଯଦି କାହାକୁ ମନ୍ତ୍ରୀମଣ୍ଡଳରେ ସାମିଲ କରାଯାଏ, ତେବେ କିଏ ହେବେ ପ୍ରଥମ ପସନ୍ଦ, ଅମର ନାଁ ଆକାଶ? ଯଦି ଏହି ଦୁଇ ନେତାଙ୍କ ନିରିଖେଇ ଦେଖିବା ତେବେ କେହି କାହାକୁ କମ ହେବେ ନି । ଉଭୟ ଅମର ଏବଂ ଆକାଶ ବିଜେଡି ଦଳରେ ବିଧାନସଭାକୁ ଦ୍ୱିତୀୟବାର ନିର୍ବାଚିତ ଆକାଶଙ୍କ ରାଜନୈତିକ ଅଭିଜ୍ଞତା ରହିଥିବା ବେଳେ, ପ୍ରଥମଥର ନିର୍ବାଚିତ ଅମର ମଧ୍ୟ ଜଣେ ପୋଖତ ରାଜନେତା । ଅମର ବିଜୁ ଜନତା ଦଳରୁ ଆରମ୍ଭ କରି ବିଜେପି ପାର୍ଟି ପର୍ଯ୍ୟନ୍ତ ଦଳ ସହିତ କାମ କରିଛନ୍ତି । ୨୦୧୭ ମେ ୮ରେ ବିଜେପିରେ ଯୋଗ ଦେବା ପରେ ଦଳ ତାଙ୍କୁ ବଡ଼ଚଣାରୁ ସୁଯୋଗ ଦେଇଥିଲା । ବରିଷ୍ଟ ନେତା ଅମର ଶତପଥୀଙ୍କ ଠାରୁ ସ୍ୱଳ୍ପ ଭୋଟରେ ପରାସ୍ତ ହୋଇଥିଲେ ହେଁ ସାଂଗଠନିକ ଦକ୍ଷତା ଦେଖାଇ ପାରିଥିଲେ । ପଞ୍ଚାୟତ ନିର୍ବାଚନ ହେଉ କି ବିଧାନସଭା ନିର୍ବାଚନର ଲମ୍ବା ଅଭିଜ୍ଞତା ଥିବା ପୁଣି ସିନେ ଅଭିନେତ୍ରୀ ବର୍ଷା ପ୍ରିୟଦର୍ଶିନୀ ପରି ସେଲିବ୍ରେଟିକୁ ହରାଇଥିବାରୁ ତାଙ୍କୁ ମନ୍ତ୍ରୀ ମଣ୍ଡଳରେ ସୁଯୋଗ ମିଳିପାରେ ବୋଲି ବଡ଼ଚଣାବାସୀ ବିଶ୍ୱାସ କରୁଛନ୍ତି । ଆକାଶ ଦାସ ନାୟକ ମଧ୍ୟ କିଛି କମ୍ରେ ନାହାଁନ୍ତି । ସେ ମଧ୍ୟ ରାଜ୍ୟ ରାଜନୀତିରେ ଅଭିଜ୍ଞତା ହାସଲ କରିଛନ୍ତି । ସିନେ ତାରକାରୁ ସିଧାସଳଖ ବିଜୁ ଜନତା ଦଳରୁ କୋରେଇ ନିର୍ବାଚନ ମଣ୍ଡଳୀରୁ ବିଧାୟକ ହୋଇଛନ୍ତି । ତା ସହିତ ୨୦୧୯ ମସିହାରେ ନିର୍ବାଚନ ଲଢ଼ିବା ପାଇଁ ବିଜେଡିରୁ ଟିକେଟ ପାଉ ପାଉ ବଞ୍ଚିତ ହୋଇଥିଲେ ବି ମୋ’ କଲେଜ ଅଧ୍ୟକ୍ଷ ପଦବୀରେ ୫ବର୍ଷ ସୁଚାରୁ ରୂପେ ସମ୍ପାଦନା କରିଥିଲେ । ତା ସହିତ ବିଜୁ ଜନତା ଦଳର ଅନେକ ବଡ଼ବଡ଼ ସଭା ସମିତିରେ ତାଙ୍କୁ ମଞ୍ଚ ପରିଚାଳନା ଦାଇତ୍ୱ ଦିଆଯାଇଥିଲା । ଯେହେତୁ ଓଡ଼ିଶା ରାଜନୀତିରେ ସିନେ ତାରକାଙ୍କୁ ପ୍ରାଧାନ୍ୟ ରହିଛି, ସେହି ଦୃଷ୍ଟିରୁ ବିଜୁ ଜନତା ଦଳରେ ତାଙ୍କୁ ସେଲିବ୍ରେଟିର ମାନ୍ୟତା ଦିଆଯାଇଥିଲା । ଦେଖିବାକୁ ଗଲେ ତାଙ୍କ ନିକଟରେ ଅନେକ ଅଭିଜ୍ଞତା ରହିଛି । ଚଳିତ ନିର୍ବାଚନରେ ସେ ମଧ୍ୟ ବିଜେଡିର ତୁଙ୍ଗ ନେତା ତଥା ବିଜେଡି ସଂଗଠନ ସମ୍ପାଦକ ବବି ଦାସଙ୍କ ମା’ଙ୍କୁ ହରାଇ ଚର୍ଚା ସାଉଁଟିଥିଲେ । ବବି ଦାସଙ୍କ ମା’ଙ୍କୁ ହରାଇବା ଛୋଟ କଥା ନଥିଲା । ସେହି ଦୃଷ୍ଟିରୁ ମନ୍ତ୍ରୀ ପଦ ପାଇଁ ଚର୍ଚ୍ଚାରେ ରହିଛନ୍ତି ଆକାଶ । ଏହା ସହ ଦୀର୍ଘ ଦଶନ୍ଧୀ ଧରି କୋରେଇ ନିର୍ବାଚନ ମଣ୍ଡଳୀ ଉପେକ୍ଷିତ ହୋଇ ଆସୁଥିବାରୁ ମୋହନ ସରକାରରେ ନିରାଶ ହେବାକୁ ପଡ଼ିବନି ବୋଲି ଦଳୀୟ ସମର୍ଥକ ଆଶା ରଖିଛନ୍ତି । ମନ୍ତ୍ରୀ ମଣ୍ଡଳରେ ମୁଖ୍ୟମନ୍ତ୍ରୀ କାହାକୁ ନେବେ ନନେବେ ତାହା ତାଙ୍କ ଇଛାଧିନ ବ୍ୟାପାର ବୋଲି କୁହାଯାଇଥିଲେ ହେଁ ଯେହେତୁ ଆଗକୁ ପଞ୍ଚାୟତ ନିର୍ବାଚନ ଆସିବ ସେଦୃଷ୍ଟିରୁ ତୃଣମୂଳ ସଂଗଠନକୁ ଆହୁରି ମଜବୁଦ କରିବାକୁ ଅଭିଜ୍ଞ, ଦକ୍ଷ ଏବଂ ସମସ୍ତଙ୍କୁ ସାଙ୍ଗରେ ନେଇପାରୁଥିବା ନେତାଙ୍କୁ ସୁଯୋଗ ଦେବାକୁ ଦଳ ପରାମର୍ଶ ଦେବ । ବିଜେପି ଏକ କ୍ୟାଡର ଭିତିକ ଦଳ ହୋଇଥିବାରୁ ଦଳ ନିଷ୍ପତି ମଧ୍ୟ ଗୁରୁତ୍ୱ ରଖିବ । ଏହାବାଦ ଯାଜପୁରରେ ଅମର ଧର୍ମେନ୍ଦ୍ର ବ୍ରାଣ୍ଡ ଏବଂ ଆକାଶ ମନମୋହନ ବ୍ରାଣ୍ଡ ବୋଲି ଚର୍ଚା ହେଉଛି । ଯାଜପୁର ଜିଲ୍ଲାରୁ ଏକମାତ୍ର ମନ୍ତ୍ରୀ ପଦ ପାଇଥିବା ସୁକିନ୍ଦା ନିର୍ବାଚନ ମଣ୍ଡଳୀର ପ୍ରଦୀପ ବଳ ସାମନ୍ତ ଧର୍ମେନ୍ଦ୍ର ବ୍ରାଣ୍ଡ ହୋଇଥିବାରୁ ଯଦି ତାଙ୍କୁ ସୁରକ୍ଷିତ ରଖି ଆଉ ଜଣଙ୍କୁ ମନ୍ତ୍ରୀ ମଣ୍ଡଳରେ ସାମିଲ କରାଯାଏ, ତେବେ ଆକାଶଙ୍କ ନାଁ ଆଗରେ ରହିବ । ଦେଖାଯାଉ ଆଗାମୀ ଦିନରେ ମୋହନ ସରକାର ମନ୍ତ୍ରୀ ମଣ୍ଡଳ ସମ୍ପ୍ରସାରଣରେ କିଏ ମନ୍ତ୍ରୀ ମୁକୁଟ ପିନ୍ଧୁଛି ଆଉ କାହାକୁ ମନ୍ତ୍ରୀ ପଦ ହରାଇବାକୁ ପଡୁଛି ।