ନିମ୍ନମାନର କାମ,ରାସ୍ତା ଶୋଚନୀୟ
ନୂଆପଡ଼ା : ଗାଁ କୁ ଗାଁ ଯୋଡିବା ପାଇଁ ପ୍ରଧାନମନ୍ତ୍ରୀ ସଡ଼କ ଯୋଜନାରେ ତିଆରି ହୋଇଛି ରାସ୍ତା । କିନ୍ତୁ ନିମ୍ନମାନର କାମ ପାଇଁ ଅଳ୍ପ ଦିନରେ ରାସ୍ତା ଅବସ୍ଥା ଶୋଚନୀୟ ହେଉଛି । ଏପରି ଏକ ଅବସ୍ଥା ଦେଖିବାକୁ ମିଳିଛି ନୂଆପଡ଼ା ଜିଲ୍ଲା ଖଡ଼ିଆଳ ବୋଡ଼ନ ବ୍ଲକ ଅନ୍ତର୍ଗତ ଡୁଡକାମୁଣ୍ଡା ଗ୍ରାମରେ । ଡୁଡ଼କାମୁଣ୍ଡା-ସାଲେପଡ଼ା ଗ୍ରାମ ପର୍ଯ୍ୟନ୍ତ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ସଡ଼କର ଅବସ୍ଥା ଶୋଚନୀୟ । ଏହି ସାଢ଼େ ତିନି କିଲୋମିଟର ରାସ୍ତା ପାଇଁ ୧ କୋଟି ୧୯ ଲକ୍ଷ ୮୭ ହଜାର ଟଙ୍କା ଖର୍ଚ୍ଚ ହୋଇଥିଲା । ୨୦୧୯ରେ ରାସ୍ତା କାମ ସରିଥିବା ବେଳେ, ୨୦୨୪ ପର୍ଯ୍ୟନ୍ତ ଏହାର ରକ୍ଷଣାବେକ୍ଷଣ ସମୟ ଥିଲା । ବର୍ତ୍ତମାନ ଏହି ରାସ୍ତାର ଅବସ୍ଥା ନ କହିବା ହିଁ ଭଲ । ନିମ୍ନମାନର କାମ ଯୋଗୁଁ ଦୁଇ ବର୍ଷ ପରେ ହିଁ ରାସ୍ତା ଖରାପ ହୋଇଛି ଓ ମରାମତି ନ ହେବାରୁ ରାସ୍ତାରେ ଯାତାୟାତରେ ଅସୁବିଧା ସୃଷ୍ଟି ହେଉଛି । ଏହି ରାସ୍ତା ଦେଇ ଅନେକ ଛାତ୍ରଛାତ୍ରୀ ସ୍କୁଲ ଓ କଲେଜ ଯାଉଥିବା ବେଳେ, ଲୋକେ ବିଭିନ୍ନ କାମରେ ଖଡ଼ିଆଳ ବୋଡନ ଯାଇଥାନ୍ତି । କିନ୍ତୁ ରାସ୍ତା ସାରା ମେଟାଲ, ଚିପ୍ସ ବାହାର ଖାଲ ଖମା ହୋଇଥିବା ବେଳେ ବର୍ଷା ଦିନେ ରାସ୍ତା ଅବସ୍ଥା କହିଲେ ନସରେ । ଏନେଇ ଅନେକ ଥର ବିଭାଗୀୟ କର୍ମକର୍ତ୍ତାଙ୍କୁ ଜଣାଇଥିଲେ ମଧ୍ୟ କୌଣସି ସୁଫଳ ମିଳିନାହିଁ । ଶୀଘ୍ର ରାସ୍ତା ମରାମତି ପାଇଁ ଲୋକେ ଦାବି କରିଥିବା ବେଳେ, ଏନେଇ ବିଭାଗୀୟ ଅଧିକାରୀ ଅତିଶୀଘ୍ର ରାସ୍ତା କାମ କରାଯିବ ବୋଲି କହିଛନ୍ତି କିନ୍ତୁ କିଛି କହିବା ପାଇଁ ମନା କରିଥିଲେ ।