ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମନମୋହନ: ବିଜେଡି

ଚାଷୀଙ୍କ ପାଇଁ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ମନମୋହନ: ବିଜେଡି

ଭୁୁବନେଶ୍ୱର : ନିର୍ବାଚନ ଆସିଲେ ଓଡିଶା ବିଜେପିର ଚାଷୀଙ୍କ କଥା ମନେ ପଡେ । ଏବେ ମୁଣ୍ଡ ଉପରେ ଭୋଟ ଥିବାରୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଚାଷୀଙ୍କ ପ୍ରସଙ୍ଗ ଉଠାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ବୋଲି ବିଜେଡି ରାଷ୍ଟ୍ରୀୟ ମୁଖପାତ୍ର ତଥା ସାଂସଦ ସସ୍ମିତ ପାତ୍ର କହିଥିଲେ । 
ଡକ୍ଟର ପାତ୍ର ଗୁରୁବାର  ଗଣମାଧ୍ୟମକୁ କହିଛନ୍ତି ଯେ ୨୦୧୭ ମସିହାରେ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ କୁଇଣ୍ଟାଲ ପିଛା ୨୯୩୦ଟଙ୍କା କରିବା ପାଇଁ ଓଡିଶା ବିଧାନସଭାରେ ସର୍ବସମ୍ମତ ସଙ୍କଳ୍ପ ପାରିତ ହୋଇଥିଲା । ବିଜେପି ବିଧାୟକମାନେ ଏଥିରେ ସମ୍ମତି ପ୍ରକାଶ କରିଥିଲେ । ହେଲେ କେନ୍ଦ୍ର ସରକାର ଧାନର ଦରବୃଦ୍ଧି କଲେ ନାହିଁ । ଓଡିଶା ବିଜେପି ମଧ୍ୟ କେନ୍ଦ୍ରରେ ଥିବା ନିଜ ଦଳର ସରକାରଙ୍କ ନିକଟରେ ଏହି ଦାବି ଉଠାଇଲା ନାହିଁ । ଏହି ସଙ୍କଳ୍ପ ପାରିତକୁ ସାତ ବର୍ଷ ପୂରିଥିବା ବେଳେ ମନମୋହନ ସାମଲ ଦିନଟିଏ ହେଲେ ଏହି ପ୍ରସଙ୍ଗରେ ମୁହଁ ଖୋଲିନଥିଲେ । ଏବେ ନିର୍ବାଚନକୁ ଦୃଷ୍ଟିରେ ରଖି ଶ୍ରୀ ସାମଲ ଚାଷୀଙ୍କ ପ୍ରସଙ୍ଗ ଉଠାଇ କୁମ୍ଭୀର କାନ୍ଦଣା କାନ୍ଦୁଛନ୍ତି ।
ଡକ୍ଟର ପାତ୍ର କହିଛନ୍ତି ଯେ ଶ୍ରୀ ସାମଲଙ୍କର ଏଭଳି ବକ୍ତବ୍ୟ ବିଜେପିର ଦୋମୁହାଁ ନୀତିକୁ ଦର୍ଶାଉଛି । ଶ୍ରୀ ସାମଲ ଏହି ପ୍ରସଙ୍ଗ ଉଠାଇ ଏବେ ନିଜ ଦଳର ବିଧାୟକମାନଙ୍କର ଅପରାଗତାକୁ ପଦାରେ ପକାଇ ଦେଇଛନ୍ତି । ଓଡିଶାରେ ଚାଷୀଙ୍କ ମେରୁଦଣ୍ଡ ମଜବୁତ ଅଛି ଓ ସେମାନଙ୍କ ହାତମୁଠା ଟାଣ ରହିଛି । ରାଜ୍ୟ ବିଜେପି ସେମାନଙ୍କୁ ରାଜନୀତି ରଣାଙ୍ଗନରେ ମୋହରା ବନାଇବକୁ ଚେଷ୍ଟା ନକରୁ । 
ଅମିତ ଶାହାଙ୍କ ୧୬ଟି ଲୋକସଭା ଆସନ ଜିତିବା ପ୍ରସଙ୍ଗରେ ଡକ୍ଟର ପାତ୍ର କହିଛନ୍ତି ଯେ କେନ୍ଦ୍ର ବିଜେପି ଭଲ ଭାବେ ଜାଣିଛି ଏଥର ନିର୍ବାଚନରେ ବିଜେପି ଶୋଚନୀୟ ଭାବେ ହାରିବାକୁ ଯାଉଛି । ହତାଶ କର୍ମୀଙ୍କ ମନୋବଳ ବଢାଇବାକୁ ଶ୍ରୀ ଶାହା ଏଭଳି ମନ୍ତବ୍ୟ ରଖିଛନ୍ତିି । ଗତ ପଞ୍ଚାୟତ ଓ ପୌର ନିର୍ବାଚନରେ ବିଜେଡି ୯୦ ପ୍ରତିଶତ ସ୍ଥାନରେ ଜିତିଥିଲା । ୩୦ରୁ ୩୦ ଜିଲ୍ଲା ପରିଷଦ ଆସନ ବିଜେଡି ଖାତାକୁ ଆସିଥିଲା । ଚଳିତ ନିର୍ବାଚନରେ ବିଜେଡି ୧୭ଟି ଲୋକସଭା ଆସନରେ ବିଜୟ ଲାଭ କରିବ । ସେହିଭଳି ୨୦୧୯ ନିର୍ବାଚନରେ ବିଜେଡି ଯେତିକି ବିଧାନସଭା ଆସନ ପାଇଥିଲା ଏଥର ତାହାଠାରୁ ଢେର ଅଧିକ ଆସନରେ ଜିତିବ ବୋଲି ଡକ୍ଟର ପାତ୍ର କହିଛନ୍ତି ।