ନିର୍ବାଚନ ସମୟରେ ଅବକାରୀ ଧରପଗଡ଼
ଭୁବନେଶ୍ୱର, ୨୪ା୫ : ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ଅବକାରୀ ମଦ ମାଫିଆ, ବେଆଇନ୍ ବ୍ରାଉନସୁଗାର ବେପାରୀ ଓ ଗଞ୍ଜେଇ ମାଫିଆଙ୍କ ବିରୋଧରେ କାର୍ଯ୍ୟାନୁଷ୍ଟାନକୁ ଜୋରଦାର କରିଛି । ଏଥି ଯୋଗୁ ରାଜ୍ୟରେ ମଦ, ଗଞ୍ଜେଇ ଓ ହେରୋଇନ ଜବତ ପରିମାଣ ଯଥେଷ୍ଟ ବୃଦ୍ଧି ପାଇଛି ।
ଚଳିତ ମାସରେ ୨୩ ତାରିଖ ପର୍ଯ୍ୟନ୍ତ ୨,୪୯,୫୧୦ ଲିଟର ଦେଶୀ ମଦ, ୭୮ ଲିଟର ନକଲି ବିଦେଶୀ ମଦ, ୫୩ ଲିଟର ଟିକସ ଫାଙ୍କି ବିଦେଶୀ ମଦ, ୨,୬୧୩ ଲିଟର ଭାରତ ଆସ୍କା ଫଟି ଓ ୮୪,୧୬୩ କେଜି ମହୁଲ ଫୁଲ ଏବଂ ୪୩୪ଟି ଗାଡି ଜବତ ହୋଇଛି । ଏହିସବୁ ଘଟଣାରେ ୪୯୭୬ଟି ମାମଲା ରୁଜୁ କରିବା ସହିତ ୪୧୪୧ ଜଣ ମଦ ମାଫିଆଙ୍କୁ ଗିରଫ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦିଆଯାଇଛି । ବେଆଇନ୍ ଗଞ୍ଜେଇ, ହେରୋଇନ୍ ଓ କଫ ସିରପ୍ ମାଫିଆଙ୍କ ବିରୋଧରେ ଜଚାଲିଥିବା ନିରନ୍ତର ଓ ଜୋରଦାର ଅଭିଯାନ ମଧ୍ୟ ବହୁତ ଭଲ ଫଳାଫଳ ଦେଇଛି । ଏହି ଘଟଣାରେ ୧୧୪ଟି ମାମଲା ରୁଜୁ ହୋଇଥିବା ବେଳେ ୧୩୦ ଜଣ ମାଫିଆଙ୍କୁ ଗିରଫ କରାଯାଇଛି । ୨୯୫୧ କେଜି ଗଞ୍ଜେଇ, ୬୬ ଲିଟର କଫ ସିରପ ଓ ୨୫୫୮ ଗ୍ରାମ ହେରୋଇନ୍ ଜବତ କରାଯାଇଛି । ଜବତ ମଦ, ଗଞ୍ଜେଇ ଓ ହେରୋଇନ୍ ଇତ୍ୟାଦିର ମୋଟ ମୂଲ୍ୟ ୨୫ କୋଟି ଟଙ୍କା ହେବ ବୋଲି ଆକଳନ କରାଯାଇଛି । ଏହି ସମୟ ମଧ୍ୟରେ ଯେଉଁ କେତକ ଗୁରୁତ୍ୱପୂର୍ଣ୍ଣ ଚଢ଼ାଉ ଓ ସାମଗ୍ରୀ ଜବତ ହୋଇଛି ସେଥି ମଧ୍ୟରେ ସମ୍ବଲପୁର ସ୍ପେଶାଲ ସ୍କ୍ୱାର୍ଡ ପକ୍ଷରୁ ୨୩୫୨ ଲିଟର ବିୟର ଓ ଗୋଟିଏ ଟ୍ରକ୍, କଟକ ଅଧିକାରୀଙ୍କ ଦ୍ୱାରା ୨୮୦୦ ଲିଟର ବେଆଇନ୍ ମଦ, ଗୋଟିଏ ଚାରି ଚକିଆ ଯାନ ଓ ବାଲେଶ୍ୱର ଅବକାରୀ ଅଧିକାରୀଙ୍କ ଦ୍ୱାରା ୧୪୫୦ ଲିଟର ଓ ୧୦୫୦ ଲିଟର ବେଆଇନ୍ ମଦ ସହ ଗୋଟିଏ ଚାରି ଚକିଆ ଓ ୨ଟି ଦୁଇ ଚକିଆ ଯାନ ଏବଂ ବୌଦ୍ଧ କର୍ମଚାରୀଙ୍କ ଦ୍ୱାରା ୧୦୭୫ କେଜି ଗଞ୍ଜେଇ ଜବତ କରାଯାଇଛି । ବିଭିନ୍ନ ଜିଲ୍ଲାରେ ରେକର୍ଡ ପରିମାଣର ୧୫ ଲକ୍ଷ ୮୪ ହଜାର ୪୫୦ ଲିଟର ମହୁଆ/ମଦ ପ୍ରସ୍ତୁତି ପାଇଁ ଥିବା ପୋଚ ନଷ୍ଟ କରାଯାଇଛି, ଯାହା ବେଆଇନ୍ ମଦ କାରବାରକୁ ବହୁ ମାତ୍ରାରେ ରୋକିବାରେ ସହାୟକ ହୋଇଛି ।