ନିର୍ମାଣ ଶ୍ରମିକ ସହାୟତା ପ୍ରଦାନରେ ଅହେତୁକ ବିଳମ୍ବ
ବାଲେଶ୍ୱର : ବାଲେଶ୍ୱର ଜିଲ୍ଲା ନିର୍ମାଣ ଶ୍ରମିକ ସଂଘ ସମୂହ ସମନ୍ୱୟ ସମିତି ପକ୍ଷରୁ ଏକ ଜରୁରୀ ବୈଠକ ଉଠାଜଳ ସେଚନ କର୍ମଚାରୀ ଭବନରେ ଅନୁଷ୍ଠିତ ହୋଇଯାଇଛି । କାର୍ଯ୍ୟକାରୀ ସଭାପତି ପୀତାମ୍ବର ମାଝିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ସଂପାଦକ ବିଜୟ ପାତ୍ର ନିର୍ମାଣ ଶ୍ରମିକମାନଙ୍କ ପଞ୍ଜିକରଣ ଓ ସହାୟତା ରାଶି ପ୍ରଦାନରେ ଅହେତୁକ ବିଳମ୍ବ ହେଉଥିବାର ଜଣାଇଥିଲେ । ଗତ ମଇ ପହିଲା ଦିନ ଜିଲ୍ଲାସ୍ତରରେ ଶ୍ରମିକ ଦିବସ ପାଳନ ଅବସରରେ ଜିଲ୍ଲା ଶ୍ରମ ଦପ୍ତର ପକ୍ଷରୁ ବାଲେଶ୍ୱରର କୌଣସି ଶ୍ରମିକ ନେତାଙ୍କୁ ଆନୁଷ୍ଠାନିକ ଭାବେ ନିମନ୍ତ୍ରଣ କରି ନଥିବାର ସେ ଦର୍ଶାଇଥିଲେ । ଉପରୋକ୍ତ ବିଷୟ ଉପରେ ଆଲୋଚନାରେ ଅଂଶଗ୍ରହଣ କରି ବରିଷ୍ଠ ଉପଦେଷ୍ଠା ଗୌରାଙ୍ଗ ପାଣିଗ୍ରାହୀ ଓ ଶାନ୍ତନୁ ଦାସ ପ୍ରମୁଖ ଉଦ୍ବେଗ ପ୍ରକାଶ କରିଥିଲେ । ଦୀର୍ଘ ମାସ ଓ ବର୍ଷ ଧରି ପଞ୍ଜିକରଣ ପାଇଁ ଆବେଦନ କରିଥିବା ଯୋଗ୍ୟ ନିର୍ମାଣ ଶ୍ରମିକମାନଙ୍କର ପଞ୍ଜିକରଣ ଓ କନ୍ୟା ବିବାହ, ପୁଅ, ଝିଅଙ୍କ ପାଠପଢ଼ା, ମୃତୁ୍ୟକାଳୀନ ବାବଦକୁ ସହାୟତା ରାଶି ପ୍ରଦାନ କରାଯାଉ ନ ଥିବା ସଂପର୍କରେ କେତେକ ସଂଘର କର୍ମକର୍ତ୍ତା ଅଭିଯୋଗ କରିଥିଲେ । ସେହିପରି ନବୀକରଣ ପାଇଁ ମଧ୍ୟ ବିଳମ୍ବ ହେଉଥିବାର ଅଭିଯୋଗ ହୋଇଥିଲା । ପ୍ରବଳ ଗ୍ରୀଷ୍ମରେ ଶ୍ରମ ଦପ୍ତରକୁ ଆସୁଥିବା ଶ୍ରମିକମାନଙ୍କ ବସିବା ପାଇଁ କୌଣସି ସୁବନେ୍ଦାବସ୍ତ କରାଯାଇନାହିଁ । ତେଣୁ ଆସନ୍ତା ସପ୍ତାହରେ ଡିଭିଜନାଲ୍ ଶ୍ରମ ଆୟୁକ୍ତ ଓ ଜିଲ୍ଲା ଶ୍ରମ ଅଧିକାରୀଙ୍କୁ ସାକ୍ଷାତ କରି ଏହିସବୁ ସମସ୍ୟାର ତୁରନ୍ତ ସମାଧାନ ପାଇଁ ଅବଗତ କରାଯିବ ବୋଲି ବୈଠକରେ ନିଷ୍ପତ୍ତି ନିଆଯାଇଛି । ଏହି ସାକ୍ଷାତକାର ପାଇଁ ଏକ ପ୍ରତିନିଧି ଦଳ ମନୋନୟ କରାଯାଇଛି । ଏହି ଆଲୋଚନାରେ ସର୍ବଶ୍ରୀ ସଂଜୟ କୁମାର ସାମଲ, ବେଣୁଧର ମହାନ୍ତି, ହରିଶ ଚନ୍ଦ୍ର ପାତ୍ର, ମୃତୁ୍ୟଞ୍ଜୟ ରାଉତ, କୃଷ୍ଣ ଚରଣ ଜେନା, ପ୍ରଦୀପ ବେହେରା, ମିନତୀ ବେହେରା ଓ କୃଷ୍ଣଚନ୍ଦ୍ର ଜେନା ପ୍ରମୁଖ ଆଲୋଚନାରେ ଅଂଶଗ୍ରହଣ କରିଥିଲେ । ଶେଷରେ ପୂର୍ଣ୍ଣଚନ୍ଦ୍ର ପାତ୍ର ଧନ୍ୟବାଦ ପ୍ରଦାନ କରିଥିଲେ ।