ନିଶାମୁକ୍ତ ହେଉ ରାଜ୍ୟ ଆମର

ଡ.ଅରୁନ୍ଧତୀ ଦେବୀ : କାହା ମୁଣ୍ଡରୁ ସିନ୍ଦୁର ପୋଛି ଦେଉଛି ତ କାହାର ଭେଣ୍ଡିଆ ପୁଅକୁ ଅକାଳରେ ଛଡ଼ାଇ ନେଉଛି, କେଉଁଠି ବାପା ପୁଅ ଲଢେ଼ଇ ତ କେଉଁଠି ସ୍ୱାମୀ-ସ୍ତ୍ରୀ ପିଟାପିଟି, ପୁଣି ରାସ୍ତାରେ ଗାଡ଼ି ଧକ୍କାରେ ଝଡ଼ିଯାଉଛି ବହୁ ଅମୂଲ୍ୟ ଜୀବନ । ମଦ ପାଇଁ ନିଇତି ଏମିତି ଅଘଟଣ ଘଟୁଛି ରାଜ୍ୟରେ । କେବଳ ବ୍ୟକ୍ତିଗତ କ୍ଷେତ୍ରରେ ନୁହେଁ ସାମାଜିକ କ୍ଷେତ୍ରରେ ବି ମଦ କେତେ ଗୁଣ କ୍ଷତି କରୁଛି ତାହା ଆକଳନ କରିବା ମୁସ୍କିଲ । ଏକ ଗୁରୁତ୍ୱପୂର୍ଣ୍ଣ ରାୟରେ ମାନ୍ୟବର ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଥିଲେ ଯେ ଜାତୀୟ ଓ ରାଜ୍ୟ ରାଜପଥର ସନ୍ନିକଟରେ କୌଣସି ମଦ ଦୋକାନ ରହିବ ନାହିଁ । ଆମ ରାଜ୍ୟରେ ପ୍ରାୟ ୩୮ ପ୍ରତିଶତ ଅନୁସୂଚିତ ଜାତି ଓ ଜନଜାତି ବାସ କରନ୍ତି । ମଦ୍ୟପାନ କରିବା ଏମାନଙ୍କର ଦୈନନ୍ଦିନ ଅଭ୍ୟାସ । ପର୍ବପର୍ବାଣିମାନଙ୍କରେ ଏମାନେ ନିଶାସକ୍ତ ରହିବା ସ୍ୱାଭାବିକ ଘଟଣା । ଗତ କେତେବର୍ଷର ପ୍ରକୃତ ରାସ୍ତା ଦୁର୍ଘଟଣା ବିଚାରକୁ ନେଲେ ଦେଖାଯିବ ଯେ ଯେଉଁସବୁ ଦୁର୍ଘଟଣା ଚାଳକମାନଙ୍କର ତ୍ରୁଟିରୁ ଘଟିଛି ସେସବୁର ଅଧିକାଂଶ ଗାଡ଼ି ଚାଳକମାନଙ୍କ ମଧ୍ୟରୁ ଅଧିକାଂଶ ନିଶାସକ୍ତ ଥିଲେ। ସରକାରୀ ତଥ୍ୟରୁ ଜଣାଯାଏ ଯେ ଓଡ଼ିଶା ଓ ବିହାର ପରି ରାଜ୍ୟ ଦାରିଦ୍ର୍ୟର ସବାତଳେ ଅଛି ଏବଂ ଦାରିଦ୍ର୍ୟ ସୀମାରେଖା ତଳେ ପ୍ରାୟ ସବୁ ଅନୁସୂଚିତ ଜାତି ଓ ଜନଜାତି ଲୋକମାନେ ଅଛନ୍ତି । ଏହାର ଅର୍ଥ ନୁହେଁ ଯେ ଉଚ୍ଚବର୍ଗର ଲୋକମାନଙ୍କ ମଧ୍ୟରେ ନିଶା ସେବନ ନାହିଁ । ବରଂ ଦେଖାଯାଏ ଯେ ଶିକ୍ଷା ଓ ଆର୍ଥିକ ସ୍ୱଚ୍ଛଳତା ବୃଦ୍ଧି ପାଇବା ସଙ୍ଗେ ସଙ୍ଗେ ଉଚ୍ଚବର୍ଗର ଲୋକମାନଙ୍କ ମଧ୍ୟରେ ମଦ୍ୟପାନ ବଢ଼ିବାରେ ଲାଗିିଛି । ଦିନ ଥିଲା ଯେତେବେଳେ ମଦ୍ୟପମାନଙ୍କ ବିରୋଧରେ ସାମାଜିକ କଟକଣା ରହୁଥିଲା । କିନ୍ତୁ ଏବେ ତାହା ନାହିଁ । ଗରିବମାନଙ୍କୁ ମିଳୁଥିବା ଏକ ଟଙ୍କିଆ ଚାଉଳ ଓ ଅନ୍ୟମାନଙ୍କୁ ମିଳୁଥିବା ରିହାତି ଦରର ଚାଉଳ ଲାଗୁ ହେବା ଦିନୁ ଦେଶୀ ମଦ ବ୍ୟବହାର ବଢ଼ିଛି । 

   ଗୁଜୁରାଟ, କେରଳ ଓ ବିହାର ପରି ରାଜ୍ୟ ନିଶାମୁକ୍ତ ହେବା ପରେ ଅନୁଭବ କରାଯାଉଛି ଯେ ଗରିବ, ନିମ୍ନମଧ୍ୟବିତ୍ତ ଓ ମଧ୍ୟବିତ୍ତମାନଙ୍କ ମଧ୍ୟରେ ପୂର୍ବରୁ ଥିବା ମଦ୍ୟପାନର ଅଭ୍ୟାସ ଆଉ ନାହିଁ । ମଦ୍ୟପମାନଙ୍କର ସଂଖ୍ୟା ଏଇ ରାଜ୍ୟମାନଙ୍କରେ ଅନେକ କମୁଥିବାରୁ ପାରିବାରିକ ହିଂସା ନିୟନ୍ତ୍ରଣ ଭିତରକୁ ଆସୁଛି ଏବଂ ବଡ଼ ବଡ଼ ହତ୍ୟା ଓ ଅନ୍ୟାନ୍ୟ ଘୃଣ୍ୟ ଅପରାଧ ମଧ୍ୟ କମୁଛି । ଏଇ ତିନୋଟି ରାଜ୍ୟରେ ମଦ ବିରୋଧୀ ଆଇନ ଚାଲୁ ହେବା ପରେ ଓଡ଼ିଶା ପରି ଏକ ଗରିବ ରାଜ୍ୟରେ ସମାନ କାରଣରୁ ମଦ୍ୟପାନ ନିଷେଧ କରିବା ବେଳ ଆସିଛି । ଶିକ୍ଷା ଓ ସାମାଜିକ ସଚେତନତା ବଢ଼ୁଥିବାରୁ ଗ୍ରାମାଞ୍ଚଳର ଲୋକମାନଙ୍କ ମଧ୍ୟରେ ମଦ୍ୟପାନ ପ୍ରତି ଅନାସକ୍ତ ଭାବ ହେଲା ପରେ ବି ମଦ୍ୟପାନ କରୁଥିବା ଲୋକମାନେ ମଧ୍ୟ ଅଭ୍ୟାସ ଛାଡ଼ିପାରୁ ନାହାନ୍ତି । ସୁଖର କଥା ଯେ ଓଡ଼ିଶାରେ ବିଶେଷକରି ଗ୍ରାମାଞ୍ଚଳ ଓ ସହରତଳି ଅଞ୍ଚଳରେ ମଦ ବିରୋଧୀ ସଂଗଠନର ନେତୃତ୍ୱ ନେଇଛନ୍ତି ମହିଳାମାନେ । ଫୁଲବାଣୀ, ସୁନ୍ଦରଗଡ଼, ବାଲେଶ୍ୱର, କୋରାପୁଟ ପ୍ରଭୃତି ପଛୁଆ ଜିଲ୍ଲାମାନଙ୍କରେ ମହିଳାମାନେ ସଂଘବଦ୍ଧ ଭାବରେ ମଦ ଦୋକାନ ବା ମଦଘାଟି ଉପରେ ସଂଘବଦ୍ଧ ଆକ୍ରମଣ କରିବା ଫଳରେ ମଦ ଦୋକାନୀ ମଦ ପ୍ରସ୍ତୁତ କରୁଥିବା ବ୍ୟବସାୟୀମାନେ ଆଉ ନିଜକୁ ନିଷ୍କଣ୍ଟକ ମନେକରୁ ନାହାନ୍ତି । ମଦ ବିରୋଧୀ ଆନ୍ଦୋଳନ ସହର ଓ ଗ୍ରାମାଞ୍ଚଳରେ ବ୍ୟାପୁଥିôବାରୁ ଏଇ ସମୟରେ ଜନସାଧାରଣଙ୍କୁ ଏ ବିଷୟରେ ସଚେତନ ଓ ସଂଗଠିତ କଲେ ସେମାନେ ମଦ ଅଭ୍ୟାସ ଛାଡ଼ିବେ ଏବଂ ମଦ ପାଇଁ ଖର୍ଚ୍ଚ କରୁଥିବା ଅର୍ଥ ଶିକ୍ଷା ଓ ସ୍ୱାସ୍ଥ୍ୟର ଉନ୍ନତି ପାଇଁ ବ୍ୟୟ କରିବେ ।

    ଏଇ ଶ୍ରେଣୀର ଲୋକମାନଙ୍କର ସାମାଜିକ ଲକ୍ଷ୍ୟ ନାହିଁ । ପୁଅ ଓ ଝିଅଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ନିଜେ ମଦ୍ୟପାନ କରିବାକୁ ଅଧିକ ସୁଖକର ମନେକରନ୍ତି । ଓଡ଼ିଶା ସରକାରଙ୍କ ଅବକାରୀ ବିଭାଗର ଆୟ ପ୍ରାୟ ବହୁ ଗୁଣ ବଢ଼ିଥିଲେ ମଧ୍ୟ ଏହା ଯେ ଅଳ୍ପଶିକ୍ଷିତ ଓ ଗରିବ ଲୋକମାନଙ୍କୁ ମଦ୍ୟପୀ ଓ ଅସାମାଜିକ ହେବା ପାଇଁ ବାଧ୍ୟ କରୁଛି ତାହା ପ୍ରତିହତ କରି ହେବ । ମହାତ୍ମା ଗାନ୍ଧି ସ୍ୱାଧୀନତା ଆନ୍ଦୋଳନରେ ନେତୃତ୍ୱ ନେଇଥିଲାବେଳେ ସେସବୁ କାର୍ଯ୍ୟଠାରୁ ମଦ ବିରୋଧୀ ଆନ୍ଦୋଳନକୁ ଅଧିକ ଗୁରୁତ୍ୱ ଦେଉଥିଲେ । ମଦ୍ୟପାନ ବନ୍ଦ ହେଲେ ଅପରାଧ ପ୍ରବଣତା ଆପେ ଆପେ କମିଯିବ । କିନ୍ତୁ ଗାନ୍ଧିଜୀଙ୍କର ବିଦାୟ ପରେ ଆଉ ସେପରି ପ୍ରଭାବଶାଳୀ ନେତା ନାହାନ୍ତି ଯେଉଁମାନେ ଲୋକଙ୍କୁ ଏ ମନ୍ଦ ଅଭ୍ୟାସରୁ ମୁକ୍ତ କରିବା ପାଇଁ ନିଜର କର୍ତ୍ତବ୍ୟ ମନେକରିବେ । ସାହିବସ୍ତି, ରାଜପଥ, ହୋଟେଲ, ରେସ୍ତୋଁରା, ଢ଼ାବା ପ୍ରଭୃତିରେ ମଦ୍ୟପାନ କରିବା ସୁବିଧା ଥିବାରୁ ମଦ୍ୟପାନ ବଢ଼ୁଛି ଏବଂ ତା ସହିତ ଅସାମାଜିକତା ଏବଂ ଅପରାଧ ପ୍ରବଣତା ବଢ଼ୁଛି । ସୁତରାଂ ରାଜ୍ୟ ସରକାର ଏଇ ସୁଯୋଗରେ ରାଜପଥ ପାଖରୁ ମଦ ଦୋକାନ ହଟାଇବା ସହିତ ସାହିବସ୍ତି, ଶିକ୍ଷାନୁଷ୍ଠାନ, ଧର୍ମାନୁଷ୍ଠାନ ପାଖରେ ଥିବା ମଦ ଦୋକାନ ମଧ୍ୟ ଉଠାଇ ଦିଅନ୍ତୁ । 
ମୋ : ୯୯୩୭୧୭୨୮୧୦