ଅଜଣା ଜଗତର ଡାକ
ଅଶୋକ ବିଶ୍ୱାଳ:
ପଥୁରିଆ ବେଳାର ଉପରେ କଳା ପକ୍ଷୀଟିଏ ଉଡିଯାଉଥିଲା । ବୋଧହୁଏ ହେରୋନ ପ୍ରଜାତିର ପକ୍ଷୀ । ସାମାନ୍ୟ ମୋଟା ଦେହ ଆଉ ବଙ୍କେଇ ଯାଇଥିବା ସରୁଆ ବେକ । ଏ ପକ୍ଷୀର ବେକ ମାଛ ଧରିଲା ବେଳେ ହଠାତ୍ ବେଶ ଲମ୍ବେଇ ଯାଏ ଯେମିତି ସ୍ପ୍ରିଙ୍ଗ ଏବେ ଚିପିଯାଇଛି ଆଉ ଏବେ ଲମ୍ବ ହୋଇଯିବ ।ପଥୁରିଆ ସମୁଦ୍ରକୂଳରେ ଖାଇବା ସହଜରେ ମିଳିଯାଏ । ପକ୍ଷୀଟି ଶେଷରେ ଡେଣା ଝାଡି ପାଣି ଧାରରେ ଓହ୍ଲାଇି ପଡିଲା । ସମୁଦ୍ରର ଗୁରୁ ଗର୍ଜନ ଧ୍ୱନି ସେମିତି ଶୁଣାଯାଉଥିଲା । ସମୁଦ୍ରର ଡାକ ଆଗରେ ଆଉ ସବୁ ଡାକ ତୁଚ୍ଛ । ଅନ୍ୟ କେଉଁବି ଶବ୍ଦ କିଛି ସମୟ ଜୋରରେ ଡାକି ଡାକି ବନ୍ଦ ହୋଇଯିବ, କିନ୍ତୁସମୁଦ୍ରର ଗର୍ଜନ କେବେ ବନ୍ଦ ହେବନି । ସେମିତି ଚାଲିଥିବ । ଏହାହିଁ ସମୁଦ୍ରର ଗୁରୁତ୍ୱର ଲକ୍ଷଣ । ସମୟ ଗଡିଯିବ, ଦିନ ସରିଯିବ, ଦିନ ଆସିଯିବ କିନ୍ତୁ ଡାକ ସେମିତି ରହିବ । ହୁଏତ ଗର୍ଜନ ବଢିପାରେ, ବା କମିପାରେ ନିଶବ୍ଦ ହେବନି କେବେ । ଏଣେ ପକ୍ଷୀଟିଏ ସମୁଦ୍ରର ଡାକ ସହ ତାଳ ପକାଇ ଚାଲୁଥିଲା । କୂଳରେ ଢେଉ ଭାଙ୍ଗି ପଡିଲା ବେଳେ ତା’ ଗତି ସାମାନ୍ୟ ଜୋର ହୋଇଯାଉଥିଲା । ଶେଷରେ ସେ ଏକ ଯାଗାରେ ଠିଆ ହୋଇ ବେକକୁ ଲମ୍ବ କରି ପାଣିକୁ ଅନାଇ ରହିଲା । ତା’କୁ ଦେଖି ସେହି ପ୍ରଜାତିର ଆଉ ଏକ ପକ୍ଷୀ ଟିକେ ଦୂରରେ ଓହ୍ଲାଇ ଖାଦ୍ୟ ଖୋଜିବାରେ ଲାଗିଗଲା ।
ଅସୀମଙ୍କ ଆଖି ସମୁଦ୍ରକୂଳରେ ଜମିଥିବା ପାଣି ଭିତରକୁ ଚାଲିଯାଉଥିଲା । ସିଧା ଢେଉ ଏ ଭିତରକୁ ଆସୁନି, ଏବେ ପାଣି କିଛି ଦୂରରେ ଅଛି ଆଉ ଠାଆ ଠାଆକରେ ଆଣ୍ଠୁଏ ଜଙ୍ଘେ ପାଣି ଜମି ଯାଇଛି । ସେ ଭିତରେ ପଡିଛନ୍ତି ସି କୁକୁମ୍ବର ଆଉ ସେହି ଜାତୀୟ ଧୀରେ ଗତି କରୁଥିବା ପ୍ରାଣୀ । ଏକ ଲମ୍ବା ସାପ ଭଳି କିଛି ପଡିଥିବାର ଦେଖାଗଲା । ସେଇଟା ବାଡି କିି ସାପ ତା’କୁ ପରଖିବାର ଇଚ୍ଛା ଅସୀମଙ୍କର ନଥିଲା । ଯିଏ ବି ହେଉ ନିଜ ପରିସ୍ଥିତିରେ ସାଧାରଣ ଭାବରେ ରହୁ । କିଛି କିଛି ପଥର ସନ୍ଧିରେ ପୋର୍ସିଲିନ ଭଳି ଲାଗୁଥିବା ଆଉ ଉପର ମୋଟା ଏଲିପସ ପରି ହୋଇଥିବା ସବୁଜ-ମାଟିଆ ରଙ୍ଗର ମଧ୍ୟମ ଆକାରର କଙ୍କଡାମାନ ଗୋଟିକ ଉପରେ ଗୋଟିଏ ଚିପି ହୋଇରହିଥିଲେ । ଏ ସମୟ ପାଣି ଭିତରେ ଖାଦ୍ୟ ଖୋଜିବାର ନୁିହେଁ । ଢେଉ ଆସୁ, ସେମାନେ ଖାଦ୍ୟ ପାଇଁ ବୁଲିବେ । ସେମାନଙ୍କର ଥିଲା ଲମ୍ବା ସବୁଜ ଗୋଡ ଆଉ ଗାଢ ବାଦାମୀ ରଙ୍ଗର ଧଳା ତୂଳା ଭଳି ଦେଖାଯାଉଥିବା ଆଖିମାନ ।ଆଉ ଏକ ଜାଗାରେ ପାଣି ଭିତରେ ଥିଲା ସେମିତି ଛାପି ଛପିକିଆ କିନ୍ତିୁ ସାମାନ୍ୟ ବାଇଗେଣୀ ରଙ୍ଗର ଆଉ ଏକ ପ୍ରକାରର ପୋର୍ସିଲିନ କ୍ରାବ । ତା’ ରଙ୍ଗ ଆଖପାଖର କୋରାଲ ସହ ପ୍ରାୟ ମିଳିଯାଉଥିଲା । ଅସୀମଙ୍କୁ ସମୁଦ୍ରକୂଳିଆ ଦୃଶ୍ୟ ଭଲ ଲାଗୁଥିଲା । ସେ ଭାବିଲେ ମଣିଷ ଯେଉଁଠି ପହଞ୍ଚôଛି ନିଜ ହିସାବରେ ବହୁତ କିଛି ଭାଙ୍ଗିଛି, ଗଢିଛି । ମଣିଷକ’ଣପାଇଁ ପ୍ରକୃତିର ରୂପ ପରିବର୍ତ୍ତନ କରିବାକୁ ଚାହେଁ କେଜାଣି? ବୋଧହୁଏ ପ୍ରକୃତିର ରୂପ ଆହରଣ କରିବାକୁ ନିଜର ସାମର୍ଥ ନାହିଁ, ସେଇଥି ପାଇଁ ପ୍ରକୃତିକୁ ନିଜ ହିସାବରେ ଛୋଟାଇ ଦେବାକୁ ଚାହୁଁଛି । ପ୍ରକୃତିର ରୂପ ଅସୀମଙ୍କୁ ଲାଗେ ଭଗବାନ ଶ୍ରୀକୃଷ୍ଣଙ୍କ ଭିତରେ ଦେଖାଯାଉଥିବା ବିଶ୍ୱରୂପ । ଅଗଣିତ ଗ୍ରହ, ସୂର୍ଯ୍ୟ, ଧୂମକେତୁ ସେଇଠାରେ ବୁଲୁଛନ୍ତି । ତା’କୁ ସାଧାରଣ ଚକ୍ଷୁରେ ଦେଖି ହେବନାହିଁ । ତେଣୁ ପ୍ରକୃତିକୁ ଦେଖିବାକୁ ହେଲେ ନିଜର ସବୁ ଜ୍ଞାନେନ୍ଦ୍ରିୟ ଦେଇ ରୂପକୁ ଆହରଣ କରିବାକୁ ପଡିବ । ଆଗର ରୂପ ଭୀମକାୟ କିନ୍ତୁ ସୁନ୍ଦର ଲାଗୁଥିଲା । ଲହଡି ଏଡେ ଜୋରରେ ଭାଙ୍ଗି ପଡୁଛି । ଏକଦମ ଧଳା ଫେଣ, ସେପଟ କେତେଟା ପାହାଡର ମୂଳକୁ କିଏ ଫୁଲରେ ଯେମିତି ବନ୍ଧାଇ ଦେଇଛି । ଧଳା ଫୁଲର ମାଳା । ଆଉ କମନୀୟ ଏଇଥି ପାଇଁ ଲାଗୁଥିଲା ଯେ ସେପଟେ କିଛି ପଥରଖଣ୍ଡ ମଧ୍ୟରେ କେତେଟି ସବୁଜ ଗଛ ଉଠି ଆସିଛି । ସେ ଭିତରେ ମଧ୍ୟ ଏକ ନଡିଆ ଗଛ ଅଛି । କେଉଁଠି ସାମାନ୍ୟ ମାଟି, ଆଉ ନଡିଆ ଗଛଟି ମଧ୍ୟ ଜାଗା ପାଇଛି ନିଜ ମୁଣ୍ଡ ଉଠାଇବାକୁ । ସାମାନ୍ୟ ବାଲି ଆଉ ମାଟି, ପଥର ଚଟାଣ ଆଉ ବଡ ପଥର ମଝିରେ ସ୍ଥାନ ପାଇଛନ୍ତି ଆଉ ଗଛ କେତୋଟି ।ତା’ପରେ ଥିଲା ଲମ୍ବା ସମୁଦ୍ର, ଶେଷରେ ଦୂରରେ ଭୂମି ବୁଲିଯାଇ ଏକ ଅତି ଛୋଟ ଉପସାଗରଟିଏ ତିଆରି କରିଛି । ଡ୍ରଇଁ ରୁମର କାନ୍ଥରେ ଟଙ୍ଗା ହୋଇଥିବା ପେଣ୍ଟିଙ୍ଗ ପରି ଲାଗୁଥିଲା ସେ ଚିତ୍ର । ଜୁଆର ପରେ ରହିଯାଇଥିବା ମନ୍ଦାଏ ମନ୍ଦାଏ ପାଣିରେ ଆକାଶର ପ୍ରତିବିମ୍ବ ପଡିଥିଲା । ପାଣି ଛାଡିଯାଇଥିବାରୁ କେଉଁଠି କେଉଁଠି ବାଲି ଶୁଖି ଆସୁଥିଲା । ଆଉ ସେଇଠି ଦେଖାଯାଉଥିଲେ ଗୋଜିଆ ଛୋଟ ଛୋଟ ଶାମୁକାମାନ । ପ୍ରାୟ ପଥର ଭଳି ଦେଖାଯାଉଥିବା ଶାମୁକାର ଜୀବନ ଅଛି । ବୋଧହୁଏ କିଛି ପ୍ରଜାତିର କ୍ରାବ । ଜୀବଟି ନିିଜର ବଙ୍କା ଗୋଡରେ ଧୀରେ ନିଜ ରାସ୍ତାରେ ଯାଉଥିଲା ଆଉ ପଛରେ ରହି ଯାଉଥିଲା ତା’ ଯାତ୍ରାର ଚିହ୍ନ, କିଛିଟା ଗାର । ତାପରେ ଦିନେ ସେମାନେ ଦୂର ସମୁଦ୍ରକୂଳରେ ଏକଦମ ସ‘ା ବାଲି ଦେଖିଲେ । ପଛକୁ ଥିଲା କୂଳର ସବୁଜ ଗଛମାନ କିନ୍ତୁ ଆଗରେ କେତେଟା ଗଛ ଉପୁଡି ପଡିଥିଲା । ଏମିତି ନିର୍ଜ୍ଜନ ଜାଗାମାନଙ୍କରେ ଶହ ଶହ ଗଛମାନ ସମୁଦ୍ରକୂଳରେ ଉପୁଡି ପଡିଥିବ, ହଜାର ହଜାର ନୂଆ ଗଛ ତିଆରି ହେଉଥିବ ଆଉ ପ୍ରକୃତିର ଦୁନିଆରେ ଦିନ ଗଡିଚାଲିଥିବ, ବଡ ଲହଡି ହେଉଥିବ । ସେମାନେ ଦେଖୁଥିବା ଉପୁଡା ଗଛଟିରେ ଥିଲା ଅସଂଖ୍ୟ ଚେର । ନରମ ଅଂଶ କେବେଠୁ ଧୋଇ, ସଢି ନଷ୍ଟ ହୋଇଗଲାଣି । ଏବେ ଅଛି ଜାଲ ଭଳି ଛନ୍ଦି ହୋଇଥିବା ଆଙ୍ଗୁଠି ମୋଟାରୁ ବାହୁ ମୋଟା ଚେରମାନ । ଗଛତଳେ ତାହାହେଲେ ଏମିତି ଜାଲଥାଏ । ସେଇଥି ପାଇଁ ଗଛ ମାଟିକୁ ତ ଜାବୁଡି ଧରିଥାଏ । ଗଛଟି ଧଳା ବାଲି ଉପରେ ଏକ ସୁନ୍ଦର ଚିତ୍ର ତିଆରି କରିଥିଲା, କେହି ଯେମିତି ଯତ୍ନରେ ସ୍କେଚ କରିଛି । “ଅସୀମ, ଅଜଣା, ଅଛୁଆଁ ଦୁନିଆ କେତେ ସୁନ୍ଦର ଲାଗୁଛି ।”- ଶୋଭନା କହିଲେ ଅଭିଭୂତ ହୋଇ । ମଣିଷ କେଉଁ ନୂଆ ଜାଗାକୁ ଆସିଲେ ସବୁବେଳେ ନିଜ ହିସାବରେ ରୂପ ବଦଳାଇଦେବାକୁ ଚାହେଁ । ପ୍ରକୃତିର ଦୁନିଆରେ ଥିବା ଜିନିଷର ସୌନ୍ଦର୍ଯ୍ୟ, ମହତ୍ତ୍ୱ ବୁଝିପାରେନା, ହୁଏତ ଏତେ ବେଶି ଗ୍ରହଣ କରିବାକୁ ତା’ ପାଖରେ ଭାବନା ବା ଇନ୍ଦ୍ରିୟ ନଥାଏ । ଅକ୍ଷମ ବ୍ୟକ୍ତି ସବୁ ପଦାର୍ଥକୁ ମୂଲ୍ୟହୀନ ଭାବେ । ପ୍ରକୃତରେ ବୁଝିପାରିଲେ ପ୍ରକୃତିର ସବୁ ଜିନିଷର ଉପଯୋଗିତା ଜଣାପଡେ ।
ଶୋଭନାଙ୍କ ଆଖି ସମୁଦ୍ର ଆଡକୁ ବୁଲିଗଲା ।
“ଅପୂର୍ବ ଅସୀମ, ଅତି ଅପୂର୍ବ ।”– ଶୋଭନା କହି ବାଲିରେ ଡେଇଁ ପଡିଲେ । ତାଙ୍କ ଆଖି ଲାଗିଥିଲା ସମୁଦ୍ରକୂଳରେ ଥିବା କୋରାଲ ବା ପ୍ରବାଳ ବଗିଚାରେ, ସାଗର ରାଜ୍ୟର ଇନ୍ଦ୍ରଉଦ୍ୟାନ ଉପରେ ।
ସେତେବେଳକୁ ଜୁଆର ଛାଡିଯାଇଥିଲା ଆଉ ମଝିରେ ମଝିରେ ଅଳ୍ପ ଅଳ୍ପ ପାଣି ମାଡ଼ିଆସୁଥିଲା । ପ୍ରାୟ ଆଣ୍ଠୁଏରୁ ଜଙ୍ଘେ ପାଣିକୁ ପଶିଗଲେ ସେମାନେ କୋରାଲ ଦୁନିଆକୁ ପାଖରୁ ଦେଖିାପରିବେ । ଗଭୀର ପାଣିକୁ ଯାଇ କୋରାଲ ଦେଖିବା ସେମାନଙ୍କ ପାଖରେ ସମ୍ଭବ ନଥିଲା । ସ୍ନୋରକେଲ ନାହିଁ ଆଉ ମଧ୍ୟ ଗ୍ଲାସ ବଟମ ବୋଟ ନାହିଁ । ତେଣୁ ଉପରୁ କୋରାଲ ଦେଖିବାର ସମ୍ଭାବନା ନଥିଲା । କିନ୍ତୁ ଜଙ୍ଘେ ପାଣିରେ ପଶିଲେ କୋରାଲ ଦେଖିହେଉଛି । କୋରାଲ ବେଡ ତ ଫୁଲ ବଗିଚା ଲାଗୁଥିଲା ।“ଶୋଭନା, ମାଟି ଉପରେ ସମୁଦ୍ରକୂଳିଆ ଗଛରେ ଅସଂଖ୍ୟ ଫୁଲ ଆଉ କୂଳ ସମୁଦ୍ରରେ ପାଣିରେ ଅତି ମନୋହର ଫୁଲର ବଗିଚା । ଅପୂର୍ବ, ଅବିଶ୍ୱାସନୀୟ, ଅବର୍ଣନୀୟ, ଅତୁଳନୀୟ ଶୋଭନା ।”- ଅସୀମ କହିଲେ । ତାଙ୍କ ମୁହଁ ଉଜ୍ଜ୍ୱଳ ହୋଇଆସୁଥିଲା । ଆଗରେ ଏକ ମଣି ମାଣିକ୍ୟର ଉଦ୍ୟାନ ନିଜ ରୂପଛଟାରେ ଗର୍ବରେ ଝଲସୁଥିଲା । ଅସୀମ ଆଉ ଶୋଭନା ନିଜକୁ ଅଟକାଇ ନପାରି ପ୍ରାୟ ଜଙ୍ଘେ ପାଣି ଭିତରକୁ ପଶିଗଲେ । ସେତେବେଳକୁ ଆକାଶ ଥିଲା ଉଜ୍ଜ୍ୱଳ । କିଛି ବାଦଲ ଯଦିଓ ଥିଲା, ଆକାଶର ଖୋଲା କୋଣରୁ ଆଲୋକ ବିଚ୍ଛୁରିତ ହେଉଥିଲା ଆଉ ତାହା କୋରାଲ ଉଦ୍ୟାନକୁ ଶୋଭା ପ୍ରଦାନ କରୁଥିଲା । ଶୋଭନାଙ୍କ ମୁହଁରେ ଯେମିତିି ଆକାଶର ଉଜ୍ଜ୍ୱଳତା ଆସିଯାଇଥିଲା ଏତେ ରୂପ ଦେଖି ଆଉ ସେ ନିଜକୁ ସମ୍ଭାଳି ପାରୁନଥିଲେ । (କ୍ରମଶଃ)
ଭୁବନେଶ୍ୱର