ସଡ଼କ ସୁରକ୍ଷା ସପ୍ତାହ ପାଇଁ ପ୍ରସ୍ତୁତି 

ବାଲେଶ୍ୱର: ବାଲେଶ୍ୱର ଜିଲ୍ଲା ପ୍ରଶାସନ ଅନ୍ତର୍ଗତ ଜିଲ୍ଲା ସଡ଼କ ସୁରକ୍ଷା କମିଟି ଆନୁକୂଲ୍ୟରେ ଜାନୁଆରୀ ୧ ତାରିଖରୁ ୭ ତାରିଖ ପର୍ଯ୍ୟନ୍ତ ପାଳନ ହେବାକୁ ଥିବା ସଡ଼କ ସୁରକ୍ଷା ସପ୍ତାହ ୨୦୨୫ ନିମନ୍ତେ ଜିଲ୍ଲାପାଳଙ୍କ ସମ୍ମିଳନୀ କକ୍ଷରେ ଜିଲ୍ଲାପାଳ ସୂର୍ଯ୍ୟବଂଶୀ ମୟୂର ବିକାଶ ଓ ଆରକ୍ଷୀ ଅଧିକ୍ଷକ ରାଜ ପ୍ରସାଦଙ୍କ ଅଧ୍ୟକ୍ଷତାରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଞ୍ଚଳିକ ପରିବହନ ଅଧିକାରୀ ରଶ୍ମି ରଞ୍ଜିତ ଦଳ ବେହେରାଙ୍କ ପରିଚାଳନାରେ ଅନୁଷ୍ଠିତ ଏହି ବୈଠକରେ ପୁଲିସ, ଜାତୀୟ ରାଜପଥ, ପୂର୍ତ୍ତ, ଶିକ୍ଷା, ବିଭିନ୍ନ ମୋଟର ଯାନ ସଂଘର କର୍ମକର୍ତ୍ତା, ଅବକାରୀ, ସ୍ୱାସ୍ଥ୍ୟ ସୂଚନା ଓ ଲୋକସମ୍ପର୍କ ଓ ଅନ୍ୟ ସମ୍ପୃକ୍ତ ବିଭାଗ ଏବଂ ନିମନ୍ତ୍ରିତ ସଭ୍ୟମାନେ ଯୋଗ ଦେଇ ପାଳନ ହେବାକୁ ଥିବା ଏହି ସଡ଼କ ସୁରକ୍ଷା ସପ୍ତାହକୁ ଶୂନ୍ୟ ମୃତୁ୍ୟ ଭାବେ ସଫଳ ରୂପାୟନ ଦେବା ନିମନ୍ତେ ଏହାର ବିଭିନ୍ନ ଦିଗ ଉପରେ ଆଲୋଚନା କରିଥିଲେ । ମଦ୍ୟପ ଚାଳକ, ବିନା ହେଲମେଟ ଓ ବିନା ଲାଇସେନ୍ସ ଚାଳକ ଆଦି ଟ୍ରାଫିକ ନିୟମ ଭଙ୍ଗକାରୀମାନଙ୍କ ଉପରେ ଏହି ଅବସରରେ ଯାଞ୍ଚ ଓ ଜୋରିମାନା ଜୋରଦାର କରାଯିବ । ଜାତୀୟ ରାଜପଥ ବିଭାଗ, ବିଶେଷ କରି ଜାତୀୟ ରାଜପଥ ୧୬ କର୍ତ୍ତୃପକ୍ଷ ରାସ୍ତାରେ ଥିବା ଖାଲଖମା ପୂରଣ ସହ ଅନ୍ୟ ସମସ୍ୟା ତୁରନ୍ତ ସୁଧାରି ନେବାକୁ ଜିଲ୍ଲାପାଳ ତାଗିଦ୍ କରିଥିଲେ । ଟ୍ରାଫିକ୍ ନିୟମ କଡ଼ା କଡି ପାଳନ କରିବାକୁ ମୋଟର ଯାନ ସଂଘମାନଙ୍କୁ ନିଦେ୍ର୍ଦଶ ଦିଆଯାଇଥିଲା । ରାଜପଥ ଉପରୁ ଅଯଥା ହମ୍ପସ୍ ଅପସାରଣ, ନିୟମ ଅନୁଯାୟୀ ହମ୍ପସର ରଙ୍ଗ କରିବା, ଟୋଲ୍ ଗେଟ୍ ନିକଟରେ ଆମ୍ବୁଲାନ୍ସ ଏବଂ କ୍ରେନ୍ ମହଜୁଦ ରଖିବା ଆଦି ବିଷୟ ଉପରେ ଜିଲ୍ଲାପାଳ ଗୁରୁତ୍ୱ ଆରୋପ କରିଥିଲେ । ଏହି ସପ୍ତାହ ପାଳନ କାର୍ଯ୍ୟକ୍ରମ ଅନ୍ତର୍ଗତ ବିଦ୍ୟାଳୟ ଓ ମହାବିଦ୍ୟାଳୟରେ ସଡ଼କ ସୁରକ୍ଷା ବିଷୟରେ ଚିତ୍ରକଳା ଓ ସ୍ଲୋଗାନ ପ୍ରତିଯୋଗିତା ଆୟୋଜନ, ଫିଲ୍ମ ପ୍ରଦର୍ଶନ, ଆଞ୍ଚଳିକ ପରିବହନ ବିଭାଗ ପକ୍ଷରୁ କାର୍ଯ୍ୟାଳୟ କାନ୍ଥରେ ସଡ଼କ ସୁରକ୍ଷା ବାର୍ତ୍ତା ସମ୍ବଳିତ ପୋଷ୍ଟର ଆଦି ଲଗାଇବା, ପିକନିକ୍ ସ୍ପଟ୍ ରାସ୍ତାର ପ୍ରବେଶ ଓ ପ୍ରସ୍ଥାନ ପଥରେ ଅଧିକ ପୋଲିସ ମୁତୟନ, ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପେଟ୍ରୋଲ ପମ୍ପ ନିକଟରେ ଚାଳକମାନଙ୍କର ଚକ୍ଷୁ ଓ ଅନ୍ୟ ସ୍ୱାସ୍ଥ୍ୟ ପରୀକ୍ଷା କରାଇବା, ବିଳମ୍ବିତ ରାତ୍ରୀରେ ଜାତୀୟ ରାଜପଥରେ ଚାଳକମାନଙ୍କୁ ନିଦ ନ ଆସିବା ପାଇଁ ସରକାରଙ୍କ ନିଦେ୍ର୍ଦଶ ମୁତାବକ ମାଗଣା ଚା’ ଯୋଗାଇବା, ବିଭିନ୍ନ ବ୍ଲାକ୍ସ୍ପଟ୍ ମାନଙ୍କରେ ପାଟ୍ରୋଲିଂ ବଢ଼ାଇବା, ଗୃହପାଳିତ ପଶୁମାନଙ୍କୁ ରାସ୍ତା ଉପରେ ନ ଛାଡ଼ିବା ପାଇଁ ରାଜପଥ ନିକଟ ଗ୍ରାମବାସୀଙ୍କୁ ସଚେତନ କରାଇବା, ସଡ଼କ ସୁରକ୍ଷା ମୂଳକ ବିଭିନ୍ନ ସାଇନ୍ ବୋର୍ଡ ଲଗାଇବା ତଥା ସକାଳ ଓ ସନ୍ଧ୍ୟାରେ ଚେକିଂ ତୀବ୍ର କରିବା ଆଦି ବିଷୟ ଉପରେ ନିଷ୍ପତ୍ତି ନିଆଯାଇଥିଲା । ବିଶେଷ କରି ଚିହ୍ନିତ ଦୁର୍ଘଟଣା ପ୍ରବଣ ସ୍ଥାନ ମାନଙ୍କରେ ଦାୟିତ୍ୱ ବହନକାରୀ ସମ୍ପୃକ୍ତ ବିଭାଗମାନେ ଅଧିକ ଯନôବାନ୍ ହେବାକୁ ଜିଲ୍ଲାପାଳ ଶ୍ରୀ ବିକାଶ ନିଦେ୍ର୍ଦଶ ଦେଇଥିଲେ ।