ନୂଆ ୱାକ୍ଫ ସଂଖ୍ୟାଲଘୁଙ୍କ କଲ୍ୟାଣ ପାଇଁ ଉଦ୍ଦିଷ୍ଟ : ମୁଖ୍ୟମନ୍ତ୍ରୀ

 ଭୁବନେଶ୍ୱର  : ଆମ ସରକାର, ଲୋକଙ୍କ ସରକାର, ସମ୍ବେଦନଶୀଳ ସରକାର; ମୁଁ ସବୁବେଳେ ଆପଣମାନଙ୍କ କଥା ଶୁଣିବାକୁ ପ୍ରସ୍ତୁତ । ନୂଆ ୱାକ୍ଫ ଆଇନ ଗରିବ, ଅସହାୟ ସଂଖ୍ୟାଲଘୁମାନଙ୍କ ପାଇଁ ଉଦ୍ଦିଷ୍ଟ । ଯଦି ଆପଣମାନଙ୍କ କିଛି ପ୍ରସ୍ତାବ ଥାଏ, ତେବେ ଆପଣମାନେ ତାକୁ ସରକାରଙ୍କୁ ଲିଖିତ ଭାବରେ ଦିଅନ୍ତୁ, ସରକାର ତାହାର ସମାଧାନ ଦିଗରେ ଉଦ୍ୟମ କରିବେ । ଲୋକସେବା ଭବନର କନଭେନ୍ସନ ହଲ୍ରେ ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ବିଭାଗ ପକ୍ଷରୁ ନୂଆ ୱାକଫ୍ ଆଇନକୁ ନେଇ ଅନୁଷ୍ଠିତ ଆଲୋଚନାଚକ୍ରରେ ମୁଖ୍ୟଅତିଥି ଭାବେ ଯୋଗ ଦେଇ ଏହା କହିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । 
ଜାତି, ଧର୍ମ ନିର୍ବିଶେଷରେ ଆମେ ସମସ୍ତେ ଓଡ଼ିଆ । ସମସ୍ତେ ମିଶି ସମୃଦ୍ଧ ଓଡ଼ିଶା ଗଠନ କରିବାକୁ ଆଗେଇ ଆସିବାକୁ ମୁଖ୍ୟମନ୍ତ୍ରୀ ଆହ୍ୱାନ ଦେଇଥିଲେ । ଏହି ଆଲୋଚନାଚକ୍ରରେ ୧୦ଟି ଜିଲ୍ଲାର ବିଭିନ୍ନ ସମ୍ପ୍ରଦାୟର ପ୍ରାୟ ୨୫୦ ପ୍ରତିନିଧି ଯୋଗ ଦେଇଥିବା ବେଳେ ନୂଆ ୱାକ୍ଫ ଆଇନ ସମ୍ପର୍କରେ ସମସ୍ତଙ୍କୁ ସଚେତନ କରିବା ତଥା ସଂଖ୍ୟାଲଘୁ ବର୍ଗର ଲୋକଙ୍କ ପାଇଁ ସରକାରଙ୍କ ପ୍ରତିବଦ୍ଧତା ସମ୍ପର୍କରେ ଜଣାଇବା ପାଇଁ ଏହି କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା ବୋଲି କୁହାଯାଇଛି । ଏହି ଆଇନ କାର୍ଯ୍ୟକାରୀ ହେବା ପୂର୍ବରୁ ଜଏଣ୍ଟ ପାର୍ଲାମେଣ୍ଟାରି କମିଟି ଦେଶର ବିଭିନ୍ନ ଧର୍ମୀୟ ଓ ସାମାଜିକ ଅନୁଷ୍ଠାନର ୨୮୪ ଅଂଶୀଦାରଙ୍କ ସହିତ ଆଲୋଚନା କରିଥିଲା । ୫ଟି ସଂଖ୍ୟାଲଘୁ କମିଶନଙ୍କ ସହିତ ପରାମର୍ଶ କରାଯାଇଥିଲା । ତା’ପରେ ଏହି ଆଇନ ସଂଶୋଧିତ କରାଯାଇଥିଲା ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ । ଆଇନ ଅନୁଯାୟୀ ଏହି ସମ୍ପତ୍ତି କେବଳ ଜନହିତକର କାର୍ଯ୍ୟରେ ବ୍ୟବହୃତ ହେବା ଆବଶ୍ୟକ । କୌଣସି ପ୍ରକାରେ ଏହି ସମ୍ପତ୍ତିକୁ ନିଜସ୍ୱ ଲାଭ ପାଇଁ ବ୍ୟବହାର କରାଯାଇପାରିବ ନାହିଁ । 
ରାଜସ୍ୱ ବିପର୍ଯ୍ୟୟ ପରିଚାଳନା ମନ୍ତ୍ରୀ ସୁରେଶ ପୂଜାରୀ ଆଇନର ପରିଧି ଭିତରେ ଥିବା ଲୋକମାନେ କିପରି ଏହି ଆଇନ ଦ୍ୱାରା ଉପକୃତ ହୋଇପାରିବେ, ସେଥିପାଇଁ ଏହି ଆଲୋଚନା ହେଉଛି ବୋଲି କହିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟଶାସନ ସଚିବ ମନୋଜ ଆହୁଜା, ଅନୁସୂଚିତ ଜନଜାତି, ଅନୁସୂଚିତ ଜାତି ଉନ୍ନୟନ, ସଂଖ୍ୟାଲଘୁ ଓ ପଛୁଆ ବର୍ଗ କଲ୍ୟାଣ ସଚିବ ସଞ୍ଜୀବ ମିଶ୍ରଙ୍କ ସମେତ ଭୁବନେଶ୍ୱର ଏକାମ୍ର ବିଧାୟକ ବାବୁ ସିଂହ, ନିଆଳି ବିଧାୟକ ଛବି ମଲ୍ଲିକ, ବିଜେପି ରାଜ୍ୟ ସଭାପତି ମନମୋହନ ସାମଲ ଓ ଅନ୍ୟ ବରିଷ୍ଠ ନେତୃବୃନ୍ଦ ଯୋଗ ଦେଇଥିଲେ ।