ନୂଆପଡ଼ା ପାଇଁ ବିଜେପିର ସମରସଜ୍ଜା : ବୁଝିବେ କେଭି, ସୁରେଶ ଓ ଜୟ

ନୂଆପଡ଼ା ପାଇଁ ବିଜେପିର ସମରସଜ୍ଜା : ବୁଝିବେ କେଭି, ସୁରେଶ ଓ ଜୟ

୮ ମନ୍ତ୍ରୀଙ୍କୁ ମଣ୍ଡଳ ଦାୟିତ୍ୱ
‘ପଦ୍ମ’ ଧରିଲେ ବିଜେଡ଼ି ଓ କଂଗ୍ରେସ କର୍ମୀ

ଭୁବନେଶ୍ୱର/ନୂଆପଡା : ନୂଆପଡ଼ା ପାଇଁ ବିଜେଡ଼ି ଢାଞ୍ଚାରେ ସମରସଜ୍ଜା କରିଛି ବିଜେପି । ଉପନିର୍ବାଚନମାନଙ୍କରେ ଯେଭଳି ବିଜେଡ଼ି ସରକାର ଅମଳରେ ମନ୍ତ୍ରୀମାନେ ମୁଖ୍ୟ ଦାୟିତ୍ୱରେ ରହୁଥିଲେ ଠିକ୍‌ ସେମିତି ବିଜେପି ମଧ୍ୟ ମନ୍ତ୍ରୀଙ୍କୁ ଦାୟିତ୍ୱ ବାଣ୍ଟିଛି । ଉପମୁଖ୍ୟମନ୍ତ୍ରୀ କନକବର୍ଦ୍ଧନ ସିଂହଦେଓ, ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ଓ ବରିଷ୍ଠ ବିଧାୟକ ଜୟ ନାରାୟଣ ମିଶ୍ରଙ୍କୁ ଦଳ ସାମଗ୍ରୀକ ଦାୟିତ୍ୱ ଦେଇଛି । ଅତଏବ ଏହି ୩ ନେତା ନୂଆପଡ଼ା ଉପନିର୍ବାଚନର ମୁଖ୍ୟ ପରିଚାଳନା ଦାୟିତ୍ୱରେ ରହିବେ ।

     ସେହିପରି ୮ ମନ୍ତ୍ରୀଙ୍କୁ ମଣ୍ଡଳ ଦାୟିତ୍ୱ ଦିଆଯାଇଛି । ବଂଜାରୀ ମଣ୍ଡଳରେ ରବି ନାରାୟଣ ନାୟକ, ସୁନାଦେଇ ମଣ୍ଡଳରେ ଗଣେଶ ରାମସିଂ ଖୁଣ୍ଟିଆ, ପାତଲେଶ୍ୱର ମଣ୍ଡଳରେ ଗୋକୁଳା ନନ୍ଦ ମଲ୍ଲିକ, ଜୟଜଙ୍ଘା ମଣ୍ଡଳରେ କୃଷ୍ଣଚନ୍ଦ୍ର ପାତ୍ର, କାନାଭବଏରା ମଣ୍ଡଳରେ ବିଭୂତି ଭୂଷଣ ଜେନା, ଯୋଗେଶ୍ୱର ମଣ୍ଡଳରେ ନିତ୍ୟାନନ୍ଦ ଗଣ୍ଡ, ନୂଆପଡ଼ା ଏନଏସିରେ ମୁକେଶ ମହାଲିଙ୍ଗ, ଖରିଆର ରୋଡ ପାଇଁ କୃଷ୍ଣଚନ୍ଦ୍ର ମହାପାତ୍ରଙ୍କୁ ପ୍ରମୁଖ ଦାୟିତ୍ୱ ଦିଆଯାଇଛି । ଗାଏମୋଟ୍‌ କହିଲେ ନୂଆପଡ଼ା ଉପ ନିର୍ବାଚନ ପାଇଁ ଏବେ ମନ୍ତ୍ରୀ ଛାଉଣୀ ହୋଇଯାଇଛି । ଅପରପକ୍ଷରେ ନୂଆପଡା ଜିଲ୍ଲା ବିଜେପି କାର୍ଯ୍ୟାଳୟ ଠାରେ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଯାଇଛି । ରାଜ୍ୟ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ବିଜେଡ଼ି ଓ କଂଗ୍ରେସ କର୍ମୀମାନେ ବିଜେପିରେ ଯୋଗଦାନ କରିଛନ୍ତି । ପ୍ରଧାନମନ୍ତ୍ରୀ ଏବଂ ମୁଖ୍ୟମନ୍ତ୍ରୀଙ୍କ ବିକାଶ ମୂଳକ କାର୍ଯ୍ୟରେ ଅନୁପ୍ରାଣିତ ହୋଇ ସେମାନେ ଦଳରେ ଯୋଗଦେଇଥିବାବେଳେ ଆସନ୍ତା ଉପ ନିର୍ବାଚନରେ ଏହା ସହାୟକ ହେବ ବୋଲି ବିଜେପି ନେତା ତଥା ମନ୍ତ୍ରୀ ନିତ୍ୟାନନ୍ଦ ଗଣ୍ଡ ପ୍ରକାଶ କରିଛନ୍ତି ।