ନୂଆପଡ଼ାରେ ବିଜେପିରୁ ଲଢ଼ିବେ କିଏ ? ବସନ୍ତ, ଅଭିନନ୍ଦନ ନା ଯଦୁମଣି

ଭୁବନେଶ୍ୱର : ନୂଆପଡ଼ା ଉପନିର୍ବାଚନ ପାଇଁ ଧିରେଧିରେ ରାଜନୀତିକ ମାହୋଲ ସରଗରମ ହେବାରେ ଲାଗିଲାଣି । ନଭେମ୍ବରରେ ବିହାର ନିର୍ବାଚନ ଥିବାରୁ ସେହି ସମୟରେ ହିଁ ନୂଆପଡ଼ା ଉପନିର୍ବାଚନ ହୋଇପାରେ । ଅପରପକ୍ଷରେ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ବି ପ୍ରସ୍ତୁତି ଆରମ୍ଭ କରିଦେଲେଣି । ନୂଆପଡ଼ା ଉପନିର୍ବାଚନରେ ତ୍ରିମୁଖୀ ପ୍ରତିଦ୍ୱନ୍ଦ୍ୱିତା ହେବାର ଥିବାବେଳେ ଏବେ ସମସ୍ତଙ୍କ ନଜର କିନ୍ତୁ ବିଜେପି ଉପରେ ରହିଛି ।

୨୦୨୪ରେ ବିଜେପି ନୂଆପଡ଼ାରେ ତୃତୀୟ ସ୍ଥାନରେ ରହିଥିଲା । ଏବେ ଦଳ ସରକାରରେ ଥିବାରୁ ଏହି ଉପନିର୍ବାଚନ ଜିଣିବା ଦଳ ପାଇଁ ସମ୍ମାନର ପ୍ରଶ୍ନ । ଏହି ଉପନିର୍ବାଚନର ଫଳାଫଳ ରାଜ୍ୟ ରାଜନୀତିକୁ ବହୁତ ବଡ଼ ବାର୍ତ୍ତା ବି ଦେବ । ଗତ ନିର୍ବାଚନରେ ବିଜେଡ଼ିର ରାଜେନ୍ଦ୍ର ଢୋଲକିଆ ବାଜିମାତ୍‌ କରିଥିବାବେଳେ ସ୍ୱାଧୀନ ପ୍ରାର୍ଥୀ ଦ୍ୱିତୀୟ ସ୍ଥାନରେ ରହିଥିଲେ । ଯଦି କଂଗ୍ରେସ ସ୍ୱାଧୀନ ପ୍ରାର୍ଥୀ ଘାସିରାମ ମାଝୀଙ୍କୁ ଦଳୀୟ ଟିକେଟ ଦେଇଥା’ନ୍ତା ଫଳାଫଳ କଂଗ୍ରେସ ସପକ୍ଷରେ ଯାଇଥିଲେ ଆଶ୍ଚର୍ଯ୍ୟ ହେବାର ନାହିଁ । ସେହିପରି ନୂଆପଡ଼ାରେ ବସନ୍ତ ପଣ୍ଡା ଦୁଇ ଦୁଇ ଥର ଜିତିଥିବାବେଳେ ୨୦୧୯ରୁ ୨୦୨୪ ଯାଏଁ କଳାହାଣ୍ଡିର ସାଂସଦ ଥିଲେ । ନୂଆପଡ଼ା ନିର୍ବାଚନମଣ୍ଡଳୀ ବି ସେହି କଳାହାଣ୍ଡି ସଂସଦୀୟ କ୍ଷେତ୍ରରୁ ଆସୁଛି । ତେବେ ଶାରୀରିକ ଅସୁସ୍ଥତା ଓ ପୁଅଙ୍କ ଭବିଷ୍ୟତ ପାଇଁ ବସନ୍ତ ନିଜେ ନଲଢ଼ି ପୁଅ ଅଭିନନ୍ଦନଙ୍କ ପାଇଁ ଟିକେଟ ହାତେଇବାରେ ସଫଳ ହୋଇଥିଲେ । ପ୍ରଥମ ନିର୍ବାଚନରେ ଅଭିନନ୍ଦନଙ୍କୁ ତୃତୀୟ ସ୍ଥାନରେ ରହିବାକୁ ପଡ଼ିଥିଲା । ବିଜେପିର ପ୍ରଦର୍ଶନ କିନ୍ତୁ ସନ୍ତୋଷଜନକ ନଥିଲା । କାହିଁକିନା ଦଳ ୪୫ ହଜାରରେ ସୀମିତ ରହି ଯାଇଥିଲା । ଏବେ ଉପନିର୍ବାଚନ ପାଇଁ ବିଗୁଲ୍‌ ବାଜିନଥିଲେବି ବସନ୍ତ ପୁଣି ଟିକେଟ ପାଇବେ ବୋଲି ଆଶା ରଖିଛନ୍ତି । ତେବେ ଏଥର ଉପନିର୍ବାଚନରେ ଅଭିନନ୍ଦନଙ୍କ ବଦଳରେ ସେ ନିଜେ ଲଢ଼ିବାକୁ ଯୋଜନା କରୁଛନ୍ତି । ଶାସକ ଦଳରେ ଥିବାରୁ ଉପନିର୍ବାଚନରେ ଜିତିଲେ ସେ କ୍ୟାବିନେଟ୍‌ ମନ୍ତ୍ରୀ ହେବେବୋଲି ନୂଆପଡ଼ା ବିଜେପି ଅଳିନ୍ଦରେ ଚର୍ଚ୍ଚା ଆରମ୍ଭ ହୋଇଯାଇଛି । ଯାହାଦ୍ୱାରା ବିଜେପିର ଭୋଟ୍‌ ବଢ଼ିପାରିବ ବୋଲି ବସନ୍ତ ଆକଳନ କରୁଛନ୍ତି ।

ଏଭଳି ସମୟରେ ଯଦୁମଣି ପାଣିଗ୍ରାହୀଙ୍କ ନାମ ବି ଚର୍ଚ୍ଚାରେ ରହିଛି । ଯଦୁମଣିଙ୍କର ନୂଆପଡ଼ାରେ ମଜବୁତ୍‌ ସଂଗଠନ ରହିଛି  । ୧୯୭୯ ମସିହାରୁ ସେ ସଂଘ ସହ ଜଡ଼ିତ ଥିବାବେଳେ ଏଯାବତ୍‌ ସଂଗଠନ ଜାରି ରଖିଛନ୍ତି । ତେବେ ବସନ୍ତ ପଣ୍ଡାଙ୍କର ପତିଆରା ପାଇଁ ସେ ଟିକେଟ ପାଇପାରୁନାହାନ୍ତି । ଗତଥର ଅଭିନନ୍ଦନ ହାରିଥିବାବେଳେ ବସନ୍ତ ବି ଅନେକ ବାର ପରାଜୟର ସାମ୍ନା କରିଛନ୍ତି । ତେଣୁ ବିଜେପିର କିଛି ନେତା ଓ କର୍ମୀ ନୂଆ ମୁହଁ ଦେବାକୁ ଦାବି କରିଛନ୍ତି । ସୂଚନାଯୋଗ୍ୟଯେ, ସେ ପୂର୍ବରୁ ସରପଞ୍ଚ ଭାବେ ନିର୍ବାଚିତ ହେବା ସହ ସରପଞ୍ଚ ମହାସଂଘର ବି ନେତୃତ୍ୱ ନେଇଥିଲେ । କେନ୍ଦୁ ପତ୍ର ତୋଳାଳୀ ସଂଘର ଦାୟିତ୍ୱ ନେବା ସହ ନୂଆପଡ଼ା ବିଜେପିର ଦ୍ଭ ଜିଲ୍ଲା ସଭାପତି ହେବାର ସୌଭାଗ୍ୟ ପାଇଥିଲେ । ଏସବୁ ଭିତରେ ଆଉ ଏକ ଖବରକୁ ନେଇ ଚର୍ଚ୍ଚା ହେଉଛି । ନୂଆପଡ଼ାର ଦିବଂଗତ ବିଧାୟକ ରାଜେନ୍ଦ୍ର ଢୋଲକିଆଙ୍କ ପୁଅ ରାଜ ଢୋଲକିଆ ଗୁଜୁରାଟରେ ବ୍ୟବସାୟ କରନ୍ତି । ସେଠାରେ ତାଙ୍କର କିଛି ସମର୍ଥକ ଓ ସହଯୋଗୀ ବିଜେପିକୁ ନେବା ପାଇଁ ପ୍ରୟାସ କରୁଛନ୍ତି । ଏମିତିକି ଅମିତ ଶାହାଙ୍କ ସହ ଯୋଗାଯୋଗ କରାଯାଇଥିବା ନେଇ ଚର୍ଚ୍ଚା ଜୋରଧରିଛି । ତେବେ ଏସମ୍ପର୍କରେ ସବିଶେଷ ତଥ୍ୟ ମିଳିପାରିନାହିଁ । କିନ୍ତୁ ଏହାକୁ ନେଇ ବିଜେଡ଼ିରେ ଆଲୋଡ଼ନ ସୃଷ୍ଟିହୋଇଛି । ବିଜେପୁରରେ ଯେଉଁଭଳି ଦିବଂଗତ କଂଗ୍ରେସ ବିଧାୟକ ସୁବଳ ସାହୁଙ୍କ ପତ୍ନୀ ରୀତା ସାହୁଙ୍କୁ ବିଜେଡ଼ି ପ୍ରାର୍ଥୀ କରି ବାଜିମାତ୍‌ କଲା, ବିଜେପି ବି ସେଭଳି ରଣନୀତି ଆପଣାଇଲେ ଆଶ୍ଚର୍ଯ୍ୟ ହେବାର ନାହିଁ ।