ପୁଣି ଗର୍ଜିଲେ ଦେବାଶିଷ
- ଦଳର ନିଷ୍ପତ୍ତିକୁ ଚ୍ୟାଲେଞ୍ଜ
- ଶ୍ରୀମୟୀ, ପ୍ରଫୁଲ୍ଲ ଓ ଭାସ୍କରଙ୍କ ସପକ୍ଷରେ ବ୍ୟାଟିଂ
ଭୁବନେଶ୍ୱର / କଟକ : ପୁଣି ଦଳର ମାମଲତକାରଙ୍କ ବିରୋଧରେ ଗର୍ଜିଛନ୍ତି ରାଜ୍ୟସଭା ସାଂସଦ ଦେବାଶିଷ ସାମନ୍ତରାୟ । ସିଧାସିଧା କହିଛନ୍ତି, ପ୍ରଫୁଲ୍ଲ ମଲ୍ଲିକ ଓ ଭାସ୍କର ରାଓଙ୍କ ସହ ଦଳ ଯାହା କରିଛି ତାହା ଠିକ୍ ହୋଇନି । ଶ୍ରୀମୟୀଙ୍କୁ ନିର୍ଯ୍ୟାତନା ଦିଆଯାଇଛି । ଦେବାଶିଷଙ୍କ ଏହି ବିସ୍ଫୋରଣ ଦଳରେ କମ୍ପନ ସୃଷ୍ଟିକରିଛି ।
ସେ କହିଛନ୍ତିଯେ, ଅବିଭକ୍ତ କୋରାପୁଟ ଜିଲ୍ଲାରେ ବିଜେଡି କହିଲେ ଭାସ୍କର ରାଓଙ୍କୁ ବୁଝାଏ । ସେହିପରି ପ୍ରଫୁଲ୍ଲ ମଲ୍ଲିକ ହେଉଛନ୍ତି ସ୍ୱାଧୀନତା ସଂଗ୍ରାମୀ ପରିବାରର ଦାୟାଦ । ପ୍ରଫୁଲ୍ଲ ହାରିଗଲେ କ’ଣ ହେଲା, ନବୀନ ପଟ୍ଟନାୟକ ତ ପୁଣି କଣ୍ଟାବାଞ୍ଜିରେ ହାରିଯାଇଛନ୍ତି । ଉଭୟ ପ୍ରଫୁଲ୍ଲ ଓ ଭାସ୍କରଙ୍କର ଦଳ ପ୍ରତି ବହୁତ ଅବଦାନ ରହିଛି । କିନ୍ତୁ ସେମାନଙ୍କ ଅଭିଯୋଗ ଶୁଣିବା ପରିବର୍ତ୍ତେ ଆକ୍ସନ ନିଆଗଲା । ପ୍ରଫୁଲ୍ଲଙ୍କୁ ନିନ୍ଦିତ କରି ବୟାନ ଦେଇଥିବା ପ୍ରତାପ ଜେନାଙ୍କର ଜ୍ଞାନ ନାହିଁ । ସେ ପରବର୍ତ୍ତୀ ସମୟରେ ଅନୁତାପ ମଧ୍ୟ କରିଥିବେ ବୋଲି ଦେବାଶିଷ କହିଛନ୍ତି ।
ସେହିପରି ଦଳୀୟ ନେତ୍ରୀ ଶ୍ରୀମୟୀ ମିଶ୍ରଙ୍କୁ ଦଳରେ ନିର୍ଯାତନା ଓ ଅପମାନ ଦିଆଯାଇଛି ବୋଲି କହି ସମାଲୋଚନା କରିଛନ୍ତି । ସେ କହିଛନ୍ତିଯେ, ଶ୍ରୀମୟୀଙ୍କୁ ଦଳ ନିର୍ଯାତନା ଦେଇଛି, ଅପମାନିତ କରିଛି । ଶ୍ରୀମୟୀଙ୍କୁ ସାଂସଦ ପ୍ରାର୍ଥୀ କରିବ କହି ଦଳ ବୁଲାଇଲା । ବିଧାୟକମାନଙ୍କୁ ଡାକି ଶ୍ରୀମୟୀ ସାଂସଦ ପ୍ରାର୍ଥୀ ବୋଲି ପରିଚିତ କରାଇ ପରେ ତାଙ୍କୁ ଟିକେଟ୍ ଦେଲାନି । ତେଣୁ ଶ୍ରୀମୟୀଙ୍କ କ୍ଷୋଭ ରହିବା ସ୍ୱାଭାବିକ । ସେ ଯାହା ଲେଖୁଛନ୍ତି ତାହା ସମ୍ପୂର୍ଣ୍ଣ ଠିକ୍ ବୋଲି ଦେବାଶିଷ କହିଛନ୍ତି ।
ସେହିପରି ବିଜେଡିର ବିଏମସି କର୍ପୋରେଟର ଅଜିତ୍ ବେହେରାବି ଶ୍ରୀମୟୀଙ୍କ ସପକ୍ଷରେ ଯୁକ୍ତି ବାଢ଼ିଛନ୍ତି । ସେ କହିଛନ୍ତି ଯେ, ଦଳର ତତକାଳୀନ ବିଧାୟକ ତଥା ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ନିର୍ଦ୍ଦେଶରେ ଶ୍ରୀମୟୀ ମିଶ୍ରଙ୍କୁ ଦଳର ସାଂସଦ ପ୍ରାର୍ଥୀ ଭାବେ ଘରକୁ ଘର ବୁଲାଇ ପ୍ରଚାର କରିଥିଲୁ । କିନ୍ତୁ ପରେ ତାଙ୍କ ବଦଳରେ ଅନ୍ୟଜଣକୁ ଟିକେଟ୍ ଦିଆଗଲା । ଯାହାର ପ୍ରଭାବ ନିର୍ବାଚନ ଫଳାଫଳ ଉପରେ ପଡିଲା । ଶ୍ରୀମୟୀଙ୍କ ମନରେ ଅସନ୍ତୋଷ ରହିବା ସ୍ୱାଭାବିକ । ସେହିପରି ଜଣେ ନେତା ଭିଡିଓ କଥା କହି ବ୍ଲାକମେଲ୍ କରୁଛନ୍ତି । ଘରଭଙ୍ଗା କଥା କହୁଛନ୍ତି । ନବୀନ ପଟ୍ଟନାୟକଙ୍କ ଇମେଜକୁ ନଷ୍ଟ କରୁଛନ୍ତି ବୋଲି ଶ୍ରୀ ବେହେରା କହିଛନ୍ତି ।