ନୂତନ ବ୍ଲକ ପ୍ରତିଷ୍ଠା ଦାବି: ଏକଜୁଟ ହେଲେ ୧୧ପଞ୍ଚାୟତର ଅଧିବାସୀ

 ଖଇରା : ରାଜ୍ୟ ସରକାର ବ୍ଲକ ଓ ପଞ୍ଚାୟତ ପୁନର୍ଗଠନ ସମ୍ପର୍କରେ ଘୋଷଣା କରିବା ପରେ ଏବେ ବିଭିନ୍ନ ସ୍ଥାନରେ ନୁଆ ବ୍ଲକ ପ୍ରତିଷ୍ଠା ପାଇଁ ଦାବି ଆରମ୍ଭ ହୋଇଯାଇଛି । ବ୍ଲକ ପୁନର୍ଗଠନ ପ୍ରକ୍ରିୟାରେ ଖଇରା ବ୍ଲକର ଅନ୍ୟତମ ସାଂସ୍କୃତିକ, ଐତିହାସିକ,ବାଣିଜ୍ୟକ ପ୍ରାଣକେନ୍ଦ୍ର ଭାବେ ପରିଚିତ ଡୁଙ୍ଗୁରା ଠାରେ ନୁତନ ବ୍ଲକ ପ୍ରତିଷ୍ଠା ପାଇଁ ଦାବି ଜୋର ଧରିଛି । ଏ ସମ୍ପର୍କରେ ୧୧ ପଞ୍ଚାୟତକୁ ନେଇ ଗଠିତ ଡୁଙ୍ଗୁରା ବ୍ଲକ କ୍ରିୟାନୁଷ୍ଠାନ କମିଟିର ଏକ ବୈଠକ ଶୁକ୍ରବାର ଅପରାହ୍ନରେ ଡଙ୍ଗୁରା ଦୂର୍ଗାମଣ୍ଡପ ଠାରେ ଅନୁଷ୍ଠିତ ହୋଇ ଯାଇଛି । ବରିଷ୍ଠ ନାଗରିକ ବଟକୃଷ୍ଣ ପଣ୍ଡା ଏଥିରେ ପୌରହିତ୍ୟ କରିଥିଲେ । ଏଥିରେ ଡୁଙ୍ଗୁରା ସମେତ,ଝିଙ୍କିରିଆ, ବଡଜୟିପୁର, ଗରସଙ୍ଗ, ସାରଡାଙ୍ଗ, ଗୋଳିହା, ରପେୟା, ବରଦା, ମାଣିତ୍ରୀ, ବଡନୁଆଗାଁ, ଅମରିଆ ଅଗ୍ନିପୁର ଆଦି ପଞ୍ଚାୟତର ଲୋକପ୍ରତିନିଧି, ବୁଦ୍ଧିଜୀବୀ, ଶିକ୍ଷାବିତ୍ ଯୋଗଦେଇ ଡୁଙ୍ଗୁରା ପଞ୍ଚାୟତର କେନ୍ଦ୍ରସ୍ଥଳ ହୋଇଥିବା ବେଳେ ଶିକ୍ଷା, ସ୍ୱାସ୍ଥ୍ୟ, ଗମନାଗମନର ପର୍ଯ୍ୟାପ୍ତ ସୁବିଧା ଥିବାରୁ ସରକାର ଏହାକୁ ପ୍ରାଥମିକତା ଦେଇ ପୁନର୍ଗଠନ ପ୍ରକ୍ରିୟାରେ ବ୍ଲକ ପ୍ରତିଷ୍ଠାର ଆବଶ୍ୟକତା ରହିଛି ବୋଲି ଦାବି କରିଥିଲେ । ଏଥିପାଇଁ ବିଧାୟକ, ପଞ୍ଚାୟତରାଜ ମନ୍ତ୍ରୀ, ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ଦେବାକୁ ନିଷ୍ପତି ନିଆଯାଇଥିଲା । ଯଦି ସରକାର ଏଥିପ୍ରତି ଦୃଷ୍ଟି ନଦିଅନ୍ତି ତେବେ ଆନେ୍ଦାଳନକୁ ଓହ୍ଲାଇବାକୁ ଚେତାବନୀ ଦିଆଯାଇଥିଲା । କୈଳାଶ ଚନ୍ଦ୍ର ମାଝୀ ପରିଚାଳନା କରିଥିଲେ ।