ଅଧ୍ୟକ୍ଷଙ୍କୁ ପିଟି ଲହୁଲୁହାଣ କଲେ ଠିକାଦାର : ଧାରଣାରେ ବସିଲେ ଶିକ୍ଷକ/ଶିକ୍ଷୟିତ୍ରୀ

ଦାନଗଦୀ:  ଠିକାଦାରଙ୍କ ବିରୁଦ୍ଧରେ ଉପରିସ୍ଥ ବିଭାଗୀୟ ଅଧିକାରୀଙ୍କୁ ଅଭିଯୋଗ କରି ଲହୁଲୁହାଣ ହୋଇଛନ୍ତି ଏକଲବ୍ୟ ଆଦର୍ଶ ବିଦ୍ୟାଳୟ ରାମ୍ପିଲୋର ଅଧ୍ୟକ୍ଷ ଅମ୍ବିକା ପ୍ରସାଦ ପାଢୀ । ଆକ୍ରମଣ ଘଟଣାଟି ମଙ୍ଗଳବାର ରାତି ୮ଘଟିକା ସମୟରେ ଘଟିଥିବା ବେଳେ ଏନେଇ ତାଙ୍କ ପତ୍ନୀ ଭାର୍ଗଭୀ ଯାଜପୁର ରୋଡ଼ ଥାନାରେ ଲିଖିତ ଅଭିଯୋଗ କରିଥିବା ବେଳେ ଅଧ୍ୟକ୍ଷଙ୍କୁ ହୋଇଥିବା ଆକ୍ରମଣ ପ୍ରତିବାଦ୍ରେ ଶିକ୍ଷକ/ଶିକ୍ଷୟତ୍ରୀ ବିଦ୍ୟାଳୟ ସମ୍ମୁଖରେ ଧାରଣାରେ ବସିଛନ୍ତି । ଧାରଣାରେ ବସିଥିବା ଶିକ୍ଷକ/ଶିକ୍ଷୟତ୍ରୀ ଠିକାଦାରଙ୍କ ବିରୁଦ୍ଧରେ ଦୃଢ କାର୍ଯ୍ୟାନୁଷ୍ଠାନ ସହ ସୁରକ୍ଷା ଦାବି କରି ଜିଲାପାଳଙ୍କୁ ପତ୍ର ଲେଖିଛନ୍ତି । 
ଅଭିଯୋଗ ମତେ ଦାନଗଦୀ ବ୍ଲକ ପଲ୍ଲୀ ଅଞ୍ଚଳ ଓଲ୍ଲଳ ପଞ୍ଚାୟତର ରାମ୍ପିଲୋ ଗାଁରେ ଥିବା ଏକଲବ୍ୟ ଆଦର୍ଶ ଆବାସିକ ବିଦ୍ୟାଳୟର କିଛି ମାସ ପୂର୍ବେ ଶୌଚାଳୟଓ ଅନ୍ୟ କିଛି କାମ ନିର୍ମାଣ ପାଇଁ ଅର୍ଥ ଅନୁଦାନ ଆସିଥିଲା । କାର୍ଯ୍ୟାଦେଶ ପାଇଥିବା ଠିକାଦାରଙ୍କ ମନମୁଖୀ କାମ ଯୋଗୁଁ ଦୀର୍ଘ ମାସ ହେବ ସେ କାମ କଚ୍ଛପ ଗତିରେ ଚାଲିଥିଲା । ଯାହା ଫଳରେ ହଷ୍ଟେଲରେ ଥିବା ଅନ୍ତେବାସୀ ନିତ୍ୟକର୍ମ ପାଇଁ ଦୈନିକ ବହୁ ହଇରାଣ ହରକତ ହେଉଥିଲେ । ଏ ବିଷୟରେ ବାରମ୍ବାର ଠିକାଦାରଙ୍କୁ ଅଧ୍ୟକ୍ଷ ଅବଗତ କରିଥିଲେ ମଧ୍ୟ ସେ  କର୍ଣ୍ଣପାତ କରୁନଥିଲେ ।  ତେଣୁ ଅଧ୍ୟକ୍ଷ ଏ କଥାକୁ ନେଇ ଉପରିସ୍ଥ ପ୍ରଶାସନିକ ଅଧିକାରୀଙ୍କୁ ଅବଗତ କରାଇଥିଲେ । ଗତକାଲି ରାତି ୮ ଟା ସମୟରେ ପ୍ରଭୂପ୍ରୀୟ ସାମଲ ଏବଂ ଅନ୍ୟଜଣେ ବିଦ୍ୟାଳୟ ପରିସରରେ ପଶି ଅଧ୍ୟକ୍ଷଙ୍କୁ ତଳେ ପକାଇ ମାରିବା ସହ ଅଶ୍ଳୀଳ ଭାଷାରେ ଗାଳିଗୁଲଜ କରି ପରିବାରକୁ ଜୀବନରୁ ମାରିଦେବାକୁ ଧମକ ଦେଇଥିଲେ । ଠିକାଦାରଙ୍କ ମାଡ଼ରେ ଅଧ୍ୟକ୍ଷ ଲହୁଲୁହାଣ ହୋଇଥିଲେ ।  ଏହି ଘଟଣାକୁ ନେଇ ଆଜି ଅଧ୍ୟକ୍ଷଙ୍କ ପତ୍ନୀଯାଜପୁର ରୋଡ଼ ଥାନାରେ ଏକ ଲିଖିତ ଅଭିଯୋଗ କରିଥିବା ବେଳେ ବିଦ୍ୟାଳୟ ପକ୍ଷରୁ ଜିଲ୍ଲାପାଳଙ୍କୁ ୪୭୬/୨୫ ଚିଠି ନମ୍ବରରେ ଏହାର ବିଚାର କରିବା ପାଇଁ ନିବେଦନ କରିଛନ୍ତି । ଉକ୍ତ ପତ୍ରରେ ସେ ମରଣାନ୍ତକ ଆକ୍ରମଣ କରିଥିବା ଠିକାଦାରଙ୍କୁ ଗିରଫ ସହ ତାଙ୍କ ଠିକାଦାର ଲାଇସେନ୍ସ ରଦ୍ଦ କରିବା ଓ ବିଦ୍ୟାଳୟରେ ସୁରକ୍ଷା ବ୍ୟବସ୍ଥା ପାଇଁ ସୁରକ୍ଷା କର୍ମୀ ଦେବା, ପାଇଖାନା କାମ ଶୀଘ୍ର ନୂତନ ଠିକାଦାରଙ୍କ ଦ୍ୱାରା ଶୀଘ୍ର ସାରିବା, ବିଦ୍ୟାଳୟ ପରିଚାଳନା କମିଟିର ସଭାପତିଙ୍କ ଦ୍ୱାରା ଏହି ଘଟଣା ପାଇଁ ଏକ ବୈଠକ ଡାକି ଏହାର ସମାଧାନ କରିବା ସହ ଏକ ସୁସ୍ଥ ସୁନ୍ଦର ଶୈକ୍ଷିକ ବାତାବରଣ ଫେରାଇ ଆଣିବା, ଏକ ଉଚ୍ଚ ସ୍ତରୀୟ ତଦନ୍ତ କରି ଠିକାଦାରଙ୍କୁ କେତେ ଟଙ୍କାର ବିଲ ଦିଆଯାଇଛି ତାର ହିସାବ କରିବାକୁ ଅନୁରୋଧ କରାଯାଇଛି । ଅନ୍ୟ ପଟେ ବିଦ୍ୟାଳୟ ଫାଟକ ସମ୍ମୁଖରେ ଏହାର ବିଚାର କରି ନ୍ୟାୟ ପାଇଁ କର୍ମଚାରୀ ଧାରଣାରେ ବସିରହିଛନ୍ତି । ସୂଚନା ଥାଉକି ୨୦୦୮ ମସିହାରୁ ଆରମ୍ଭ ହୋଇଥିବା ଏହି ବିଦ୍ୟାଳୟର ହଷ୍ଟେଲରେ ଷଷ୍ଠ ଶ୍ରେଣୀରୁ +୨ ପ୍ରଯ୍ୟନ୍ତ ୩୫୦ ଅନ୍ତେବାସୀ ରହି ପାଠ ପଢ଼ନ୍ତି । ଦେଖାଯାଉ ଏହି ଘଟଣାରେ ଜିଲ୍ଲା ପ୍ରଶାସନ କି କାର୍ଯାନୁଷ୍ଠାନ ନେଉଛନ୍ତି ଆଉ ବିଦ୍ୟାଳୟରେ ଶାନ୍ତି ଫେରୁଛି ।