ଆଜି ମହାସପ୍ତମୀ: ବିଲ୍ୱବରଣୀରୁ ଆରମ୍ଭ ହେଲା ମା’ଙ୍କ ପୂଜାବିଧି

 ଯାଜପୁର ଟାଉନ: ଆସନ୍ତାକାଲି ସୋମବାର ମହାସପ୍ତମୀ ପୂଜା  । ବିଲ୍ୱବରଣୀରୁ ମା’ ଜଗତଜନନୀ ଦୁର୍ଗାଙ୍କ ପୂଜାବିଧି ଆରମ୍ଭ ହୋଇଛି ।  ଧରାପୃଷ୍ଟକୁ ମା’ଙ୍କ ଆଗମନକୁ ଭକ୍ତ ଚାତକ ପରି ଅନାଇ ରହିଥିବା ବେଳେ ମୃଣ୍ମୟୀ ମୂର୍ତ୍ତିକୁ ଶେଷ ସ୍ପର୍ଶ ଦେଇଛନ୍ତି ଶିଳ୍ପୀ  । ଜଗତ ଜନନୀ ମା’ଦୁର୍ଗା ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପୁରପଲ୍ଲୀ  । ମା’କୁ ସ୍ୱାଗତ କରିବା ପାଇଁ ଚାଲିଛି ପୂଜା ମଣ୍ଡପରେ ସଜବାଜ  । ରବିବାର ମା’ଦୁର୍ଗାଙ୍କ ଷଷ୍ଠୀ ପୂଜା ଅନୁଷ୍ଠିତ ହେବା ପୂର୍ବକ ବେଲଗଛ ମୂଳେ ପୁଜାପାଠ ବିଧି ମୁତାବକ ସଂପନ୍ନ ହୋଇଛି  । ଯାଜପୁର ସହରର ସମସ୍ତ ପୂଜା ମଣ୍ଡପରେ ମା’ ଦୁର୍ଗାଙ୍କର ମୃଣ୍ମୟୀ ପ୍ରତିମାରେ କାରିଗର ତୂଳୀର ଶେଷ ସ୍ପର୍ଶ ଦେଇସାରିଛି । ସେହିପରି ମଣ୍ଡପରେ ରଙ୍ଗୀନ ଆଲୋକମାଳା ଓ ଫୁଲରେ ସାଜସଜ୍ଜା ମଧ୍ୟ କରାଯାଇଛି  । ପୂଜା କମିଟିର କର୍ମକର୍ତ୍ତା ପୂଜା ପାଇଁ ସମସ୍ତ ପ୍ରସ୍ତୁତି ସାରିଲେଣି । ମା’ଦୁର୍ଗାଙ୍କୁ କିଛି ମଣ୍ଡପରେ ଚାନ୍ଦିର ଆଭୂଷଣରେ ସାଜସଜ୍ଜା କରାଯାଇଥିବା ଦେଖିବାକୁ ମିଳିଛି  । ମା’ ଦୁର୍ଗାଙ୍କ ସମେତ ଲକ୍ଷ୍ମୀ, ସରସ୍ୱତୀ, ଗଣେଶ, କାର୍ତ୍ତିକ ପ୍ରମୁଖ ପାଶ୍ୱର୍ ଦେବାଦେବୀଙ୍କ ସାଜସଜ୍ଜା ଅତି ଚିତ୍ତାକର୍ଷକ ହୋଇଛି  । ଯାଜପୁର ସହରର ଅନେକ ଘରୁଆ ପୂଜା ମଣ୍ଡପରେ ମଧ୍ୟ ମା’ ଦୁର୍ଗାଙ୍କୁ ଅତି ସୁନ୍ଦର ଭାବେ ସାଜସଜ୍ଜା କରି ସାରିଲେଣି  । ସହରର ଅତି ପ୍ରାଚୀନ କୁହାଯାଉଥିବା ସିଂହଘର, ବଲ୍ଲଭଘର, ସେନ୍ ଘରର ଦୁର୍ଗାଙ୍କୁ ବଙ୍ଗୀୟ ରୀତିରୀତିରେ ପୂଜା କରାଯାଉଥିବାରୁ ସେଠାରେ ମା’ଙ୍କର ଆଭୂଷଣ ମଧ୍ୟ ଅତି ସୌନ୍ଦର୍ଯ୍ୟ ଭାବେ ସାଜସଜ୍ଜା କରାଯାଇଛି  । ରବିବାର ଷଷ୍ଠୀ ସନ୍ଧ୍ୟାରେ ବେଲବରଣୀ ପୂଜା ଅନୁଷ୍ଠିତ ହେବାର କାର୍ଯ୍ୟକ୍ରମ ରହିଛି । ମହାବୀର ଛକ ପୂଜା କମିଟି ଚଳିତ ଥର ପୂଜା ସମୟରେ ପାଲା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ କରିବ ବୋଲି କମିଟିର କର୍ମକର୍ତ୍ତା ସୂଚନା ଦେବା ସହ ଓଡ଼ିଶାର ପାରମ୍ପରିକ ପାଲା ସଂସ୍କୃତି ହଜିଯାଉଥିବାରୁ ଏହାକୁ ଉଜ୍ଜୀବିତ ରଖିବା ଓ ଯୁବପୀଢ଼ିଙ୍କର ମନରେ ପାଲା ସଂସ୍କୃତିକୁ ସୂଚାଇବା ଉଦେ୍ଦଶ୍ୟରେ ମହାବୀର ଛକ ପୂଜା କମିଟି ପକ୍ଷରୁ ପାଲା ପରିବେଷଣ କରିବାକୁ ନିଷ୍ପତ୍ତି ନେଇଛନ୍ତି ।