ପଞ୍ଚଲିଙ୍ଗେଶ୍ୱର ପୀଠରେ ବାବାଙ୍କ ସ୍ପର୍ଶ ଦର୍ଶନ ବନ୍ଦ
ନୀଳଗିରି : ଉତ୍ତର ଓଡିଶାର ପ୍ରସିଦ୍ଧ ଶୈବପୀଠ ବାବା ପଞ୍ଚଲିଙ୍ଗେଶ୍ୱର ପୀଠରେ ସ୍ପର୍ଶ ଦର୍ଶନ ବନ୍ଦ । ଲଗାଣ ବର୍ଷାରେ ଯୋଗୁଁ ଦେବଗିରି ପାହାଡ଼ର ଆଠଫୁଟ ଉଚ୍ଚର ଝରଣା ପାଣିର ପ୍ରଖର ସ୍ରୋତ ଆସି ଶୈବପୀଠସ୍ଥଳୀ ଓ ପୂଜାମଣ୍ଡପର ଦୀପ ଜାଳିବା ସ୍ଥାନରେ ଲହଡ଼ି ମାରୁଛି । ପାଣିର ସ୍ରୋତ ଏତେ ପ୍ରଖର ଯେ, ପଥର ଖୋଲ ମଧ୍ୟରେ ଆବିର୍ଭୁତ ହୋଇଥିବା ପାଞ୍ଚଟି ଲିଙ୍ଗଙ୍କୁ ଭକ୍ତ ଓ ପର୍ଯ୍ୟଟକ ସ୍ପର୍ଶ ଓ ଦର୍ଶନ କରିବା ବନ୍ଦ ରଖାଯାଇଛି । ନୀଳଗିରିରେ ଲଘୁଚାପ ବର୍ଷା ସୋମବାର ରାତ୍ରି ଠାରୁ ଲାଗି ରହିଥିବା ବେଳେ ବୁଧବାର ରାତ୍ରିରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା । ଫଳରେ ଗୁରୁବାର ନୀଳଗିରି ସହରର ବିଭିନ୍ନ ରାସ୍ତାରେ ଦୀର୍ଘ ସମୟ ଧରି ବର୍ଷା ପାଣିର ସୁଅ ଛୁଟିଥିଲା । ଏହି ଲଗାଣ ବର୍ଷା ପାଣିର ସ୍ରୋତ ଏତେ ପ୍ରଖର ଥିଲା ଯେ, ସେଠାରେ ଛିଡା ହୋଇ ଆଳତୀ କରିବା ମଧ୍ୟ କରିବା କଷ୍ଟକର ହୋଇପଡ଼ିଛି । ଯେଉଁସ୍ଥାନରେ ଭକ୍ତମାନେ ଛିଡ଼ା ହୋଇ ବାବାଙ୍କୁ ପୂଜାର୍ଚ୍ଚନା କରନ୍ତି, ସେହି ଚଟାଣରେ ପାଣି ଲହଡ଼ି ମାରୁଥିବା ଦେଖିବାକୁ ମିଳିଥିଲା । ଏପରି ସମୟରେ ଭକ୍ତଙ୍କ ସୁରକ୍ଷା ଦୃଷ୍ଟିରୁ ପଞ୍ଚଲିଙ୍ଗେଶ୍ୱର ଶୈବ ପୀଠରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଝରଣା ଭିତରେ ପଞ୍ଚଲିଙ୍ଗ ସ୍ପର୍ଶ ଦର୍ଶନ ବନ୍ଦ ରଖାଯାଇଛି ।