ରେଡ୍ ବେଳେ ଅବକାରୀ ଅଧିକାରୀଙ୍କୁ ମାଡ଼ : ଗାଡ଼ି ଭଙ୍ଗା ରୁଜା,  ଅଟକ କର୍ମଚାରୀଙ୍କୁ ଉଦ୍ଧାର କଲା ପୁଲିସ

 ନୀଳଗିରି : ନୀଳଗିରି ଅବକାରୀ ବିଭାଗ କର୍ମଚାରୀ ରେଡ୍ କରି ଫେରୁଥିବା ବେଳେ ମଦ ମାଫିଆଙ୍କ ସଂପର୍କୀୟମାନେ ଏକଜୁଟ ହୋଇ ଅବକାରୀ ଅଧିକାରୀ ଜଗନ୍ନାଥ ବେହେରା ସମେତ ସମସ୍ତ କର୍ମଚାରୀଙ୍କୁ ଅଟକାଇ ମାଡ଼ ମାରିବା ସହ ବୋଲେରୋ ଗାଡ଼ିକୁ ଭଙ୍ଗାରୁଜା କରିଥିଲେ । ସେମାନଙ୍କୁ ପ୍ରାୟ ଦୁଇ ଘଣ୍ଟା ଧରି ଅଟକ କରି ରଖିଥିଲେ ସେମାନେ । ପରେ ବରହମ୍ପୁର ପୁଲିସ୍ ଘଟଣା ସ୍ଥଳରେ ପହଞ୍ଚି ସମସ୍ତଙ୍କୁ ଉଦ୍ଧାର କରିଥିଲେ । ସୂଚନା ଅନୁସାରେ ବୁଧବାର ଦିନ ନୀଳଗିରି ଅବକାରୀ ଅଧିକାରୀ ଜଗନ୍ନାଥ ବେହେରା ନିଜ କର୍ମଚାରୀଙ୍କୁ ଧରି ପିଠାଅତା ଗ୍ରାମର ନିରଞ୍ଜନ ବେହେରାଙ୍କ ଠାରୁ ୨୪ଲିଟର ଦେଶୀ ମଦ ସହ ଏକ ବାଇକ୍ ଜବତ କରିବା ସହ ଯମୁନା ଚାପଲ୍ ସାହି ଗ୍ରାମର ଗଙ୍ଗାଧର ସୋରେନ୍ଙ୍କ ଠାରୁ ୪୦ଲିଟର ଦେଶୀ ମଦ ଜବତ କରିଥିଲା । ପୁଣି ମହୁଲବଣୀ ଗ୍ରାମର ରଥ ସୋରେନଙ୍କ ଠାରୁ ୮୦ଲିଟର ଦେଶୀ ମଦ ଜବତ କରିବା ସହ ତିନି ଜଣଙ୍କୁ ଗିରଫ କରି ବୋଲେର ଗାଡ଼ିରେ ଆସୁଥିବା ବେଳେ ତାଙ୍ଗଣା ପୋଲ ନିକଟରେ ୫ରୁ ଅଧିକ ଲୋକ ଅବକାରୀ ଗାଡ଼ିକୁ ଅଟକାଇ ଥିଲେ । ପରେ ସମସ୍ତେ ଏକତ୍ରିତ ହୋଇ ଗାଡ଼ିକୁ ଭଙ୍ଗା ରଜୁା କରିଥିଲେ । ଘଟଣାକ୍ରମରେ ଅବକାରୀ ଅଧିକାରୀ ଜଗନ୍ନାଥ ବେହେରାଙ୍କୁ ମାଡ଼ ମାରିବା ସହ ଡ୍ରେସ୍ ଚିରି ଦେଇଥିଲେ । ଅନ୍ୟ କର୍ମଚାରୀ ତପନ୍ ମଲ୍ଲିକ, ନାହାନ୍ ମୁର୍ମୁ, ଦୁର୍ଯ୍ୟଧନ ବେହେରାଙ୍କୁ ମାଡ଼ ମାରିଥିବା ଅଭିଯୋଗ ହୋଇଛି । ସୂଚନା ଅନୁସାରେ ଦୀର୍ଘ ଦୁଇ ଘଣ୍ଟା ଧରି ଅବକାରୀ ବିଭାଗର ଅଧିକାରୀ ଓ କର୍ମଚାରୀଙ୍କୁ ଅଟକ ରଖିଥିଲେ । ପରେ ବରମ୍ପୁର ପୁଲିସ୍ ପହଞ୍ଚି ଉଦ୍ଧାର କରିଥିଲେ । ଅଜୟ ସୋରେନ, ଜୟନ୍ତୀ ସୋରେନ୍ ବାହାଦୁର ଟୁଡୁ ସମେତ ଅନ୍ୟମାନେ ମାଡ଼ ମାରିଥିବା ନେଇ ଅବକାରୀ ବିଭାଗର ଏତଲା ମୂଳେ ବରମପୁର ପୁଲିସ ଅଜୟ ସୋରେନ୍କୁ ଗିରଫ କରିବା ସହ ଏକ ମାମଲା ରୁଜୁ କରିଛି । ଅଭିଯୁକ୍ତ ଅଜୟକୁ କୋର୍ଟ ଚାଲାଣ କରାଯାଇଛି । ଏପଟେ ନୀଳଗିରି ଅବକାରୀ ବିଭାଗ ତିନି ମଦ ବେପାରୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛନ୍ତି ।  ଘଟଣା ପଛରେ "ଅର୍ଥ ହି ଅନର୍ଥର ମୂଳ କାରଣ' ବୋଲି ଶୁଣିବାକୁ ମିଳୁଛି ।