ହସ୍ପିଟାଲରେ ଛିଡିଲା ଲିଫ୍ଟ : ଅଳ୍ପକେ ବର୍ତ୍ତିଲେ ଲୋକେ

 ମାଲକାନଗିରି:  ମାଲକାନଗିରି ସଦର ମହକୁମାର ମୁଖ୍ୟ ଚିକିତ୍ସାଳୟରେ ଥିବା ଲିଫ୍ଟ ଛିଡି ଦୁର୍ଘଟଣା ଘଟିଥିବାବେଳେ ଅଳ୍ପକେ ବର୍ତ୍ତିଲେ ରୋଗୀଙ୍କ ସମ୍ପର୍କୀୟ । ଲିଫ୍ଟରେ କ୍ଷମତା ଠାରୁ ମାତ୍ରାଧିକ ଲୋକ ଥିବାରୁ ଲିଫ୍ଟ ଛିଡ଼ି ଯାଇଥିବା ଜଣା ପଡିଛି । ସୂଚନା ଅନୁଯାୟୀ, ଜିଲ୍ଲା ସଦର ମହକୁମାରେ ଥିବା ମୁଖ୍ୟ ଚିକିତ୍ସାଳୟରେ ରୋଗୀ ଓ ସେମାନଙ୍କ ସମ୍ପର୍କୀୟଙ୍କ ସହ ଡାକ୍ତର ଏବଂ କର୍ମଚାରୀମାନେ ବିଭିନ୍ନ ମହଲାକୁ ଯାତାୟତ ଲାଗି ୩ଟି ଲିଫ୍ଟ ରହିଛି । ସେଥିମଧ୍ୟରୁ ପ୍ରଥମ ମହଲାରୁ ଦ୍ୱିତୀୟ ମହଲାକୁ ଯାଉଥିବାବେଳେ ଲିଫ୍ଟଟି ଛିଡ଼ି ଯାଇଥିଲା । ତେବେ ଲିଫ୍ଟରେ ୧୦ରୁ ୧୨ ଜଣ ଯିବା ପାଇଁ କ୍ଷମତା ଥିବାବେଳେ ପ୍ରାୟ ୨୭ଜଣ ଲୋକ ଲିଫ୍ଟରେ ଯାଉଥିବା ସମୟରେ ଏହି ଦୁର୍ଘଟଣା ଘଟିଥିଲା । ସୌଭାଗ୍ୟବଶତଃ ଏହି ଦୁର୍ଘଟଣାରେ କାହାର କିଛି କ୍ଷତି ହୋଇ ନଥିବା ବେଳେ ଚିକତ୍ସାଳୟ କର୍ତ୍ତୃପକ୍ଷ ଲିଫ୍ଟ ସାଇରନ୍ ବାଜିବା ପରେ ଏହାକୁ ମାନୁଆଲି ଭାବେ ଖୋଲି ଭିତରୁ ଲୋକଙ୍କୁ ସୁରକ୍ଷିତ ଉଦ୍ଧାର କରିଛନ୍ତି ।