ପଞ୍ଚାୟତ କାର୍ଯ୍ୟାଳୟରେ ଜମୁଛି ପାଣି
ପାପଡାହାଣ୍ଡି: ବର୍ଷା ପୂର୍ବରୁ ଜଳ ଓ ପରିମଳ ପାଇଁ କୌଣସି ପ୍ରସ୍ତୁତି ହେଉନଥିବାବେଳେ ଡ୍ରେନ୍ ଗୁଡିକ ସଫା କରାଯାଉନି । ଯାହା ଫଳରେ ବର୍ଷା ହେଲେ ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ ଜମୁଛି ବର୍ଷା ପାଣି । ଏ ଭଳି ଦୃଶ୍ୟ ଦେଖିବାକୁ ମିଳିଛି ପାପଡାହାଣ୍ଡି ବ୍ଲକ ଚନ୍ଦ୍ରପୁର ପଞ୍ଚାୟତ କାର୍ଯ୍ୟାଳୟ ସମ୍ମୁଖରେ । ଗତ କିଛିଦିନ ହେଲା ଲଘୁଚାପ ଯୋଗୁଁ ଅଞ୍ଚଳରେ ସପ୍ତାହରୁ ଅଧିକ ଦିନ ହେଲାଣି ବର୍ଷା ଲାଗି ରହିଛି । ଏହି ପଞ୍ଚାୟତରେ ବର୍ଷା ପୂର୍ବରୁ ରାସ୍ତାଘାଟ, ଡ୍ରେନ ଇତ୍ୟାଦି ସଫା କରାଯିବା କଥା କିନ୍ତୁ ସଫା ହୋଇ ନଥିବାରୁ ଏଭଳି ସମସ୍ୟା ଦେଖିବାକୁ ମିଳୁଛି । ଗତ କିଛି ଦିନ ତଳେ ବିଶୋଇ ସାହିରେ ମଧ୍ୟ ବର୍ଷା ପାଣି ଘରେ ପଶୁଥିବା ଦେଖିବାକୁ ମିଳିଛି । ପଞ୍ଚାୟତ କାର୍ଯ୍ୟାଳୟରେ ଅଭିଯୋଗ କରି ଥିଲେ ମଧ୍ୟ କେହି ନ ଶୁଣିବାରୁ ଲୋକ ବାଧ୍ୟ ହୋଇ ଉକ୍ତ ସାହିର ଡ୍ରେନ ସଫା କରିଥିଲେ । ଜିଲ୍ଲା ପ୍ରଶାସନ ଉକ୍ତ ପଞ୍ଚାୟତର ପରିମଳ ଉପରେ ଦୃଷ୍ଟି ଦେବାକୁ ପଞ୍ଚାୟତ ବାସୀ ଦାବି କରିଛନ୍ତି ।