ଟପ୍ପର ଶ୍ରୀୟାଂଶିଙ୍କୁ ସମ୍ବର୍ଦ୍ଧନା

 ଭବାନୀପାଟଣା : ଚଳିତ ବର୍ଷ ମାଟ୍ରିକ ପରୀକ୍ଷାରେ ରାଜ୍ୟରେ ତୃତୀୟ ସ୍ଥାନ ତଥା କଳାହାଣ୍ଡି ଜିଲ୍ଲା ଟପ୍ପର  ଶ୍ରୀୟାଂଶୀ ସାହୁଙ୍କୁ ନିଜ ଜନ୍ମମାଟି ମ.ରାମପୁରରେ ଭବ୍ୟ ସ୍ୱାଗତ ସମ୍ବର୍ଦ୍ଧନା ଜ୍ଞାପନ କରାଯାଇଛି । ମ.ରାମପୁର ପ୍ରେସ କ୍ଲବ ପକ୍ଷରୁ ସ୍ଥାନୀୟ ସରସ୍ୱତୀ ଶିଶୁ ବିଦ୍ୟାମନ୍ଦିରରେ ସମ୍ବର୍ଦ୍ଧନା ସଭା  ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଜିଲ୍ଲା ପରିଷଦ ଅଧ୍ୟକ୍ଷ ପୁଷ୍ପେନ୍ଦ୍ର ସିଂହଦେଓ, ମ.ରାମପୁର ବିଡ଼ିଓ ସବ୍ୟସାଚୀ ବେହେରା, ରାଜ୍ୟ ସରପଞ୍ଚ ସଂଘ ସଭାପତି ରୋମାଞ୍ଚ ସାହୁ, ଏ ସି ଏଫ୍ ଅସିତ୍ କୁମାର ଦାଶ, ପ୍ରଶାନ୍ତ ସାମନ୍ତରା ସମ୍ବର୍ଦ୍ଧିତ ପ୍ରତିଭା ଶ୍ରୀୟାଂଶି ସାହୁ ମଞ୍ଚାସିନ ରହିଥିବା ବେଳେ ସାମ୍ବାଦିକ ହେମନ୍ତ ସାହୁ ସଭା ପରିଚାଳନା କରିଥିଲେ  । ଏହି ଅବସରରେ ମେଧାବୀ ଛାତ୍ରୀ ଶ୍ରୀୟାଂଶିଙ୍କ ଏହି ସଫଳତା କଳାହାଣ୍ଡି ପାଇଁ ଗର୍ବ ଓ ଗୌରବର ବିଷୟ ବୋଲି ଅତିଥି ମାନେ ମତ ବ୍ୟକ୍ତ କରିଥିଲେ । ଛାତ୍ରୀଙ୍କୁ ପ୍ରେସ କ୍ଳବ୍ ସମେତ ମ.ରାମପୁର ବ୍ଲକ, ମ,ରାମପୁର ଗ୍ରାମ ପଞ୍ଚାୟତ, ମଦନପୁର ଗ୍ରାମ ପଞ୍ଚାୟତ, ମ.ରାମପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର, ସେବା ଜଗତ, ମହାଶକ୍ତି ଫାଉଣ୍ଡେସନ, କଳାହାଣ୍ଡି ଜ୍ୟୋର୍ତିବିତ ସଂଘ, ମ.ରାମପୁର ବିଜେପି ଦଳ ଭଳି ବିଭିନ୍ନ ଅନୁଷ୍ଠାନ ଓ ବ୍ୟକ୍ତି ବିଶେଷଙ୍କ ପକ୍ଷରୁ ଶୁଭ କାମନା ଜଣାଇବା ସହ ସମ୍ବର୍ଦ୍ଧିତ କରାଯାଇଥିଲା । ଶ୍ରୀୟାଂଶି ପିତା ଅଧ୍ୟାପକ ଶିଶିର କୁମାର ସାହୁ ଓ ମାତା ଶିକ୍ଷୟିତ୍ରୀ ସନ୍ଧ୍ୟା ରାଣୀ ସାହୁଙ୍କ ବଡ଼ ଝିଅ ହୋଇଥିବା ବେଳେ ସେ କଳାହାଣ୍ଡି ଜିଲ୍ଲା ଜୟପାଟଣା ବ୍ଲକ ମୁଖିଗୁଡ଼ା ସରସ୍ୱତୀ ଶିଶୁ ମନ୍ଦିରର ଛାତ୍ରୀ ଅଟନ୍ତି  । ତେବେ ଏହି ସଫଳତା ପରେ ଆଜି ଜନ୍ମ ମାଟିରେ ପହଞ୍ଚି ଏହି ସମ୍ବର୍ଦ୍ଧନା ମୋତେ ଆଗକୁ ଯିବାରେ ପୂର୍ଣ୍ଣ ସହଯୋଗ କରିବ ବୋଲି ନିଜ ପ୍ରତିକ୍ରିୟାରେ ପ୍ରକାଶ କରିଛନ୍ତି । ଛାତ୍ରୀଙ୍କୁ ଏକ ବିଶାଳ ଶୋଭାଯାତ୍ରା ରେ ତଳ ସାଗର ପଡ଼ା ସ୍ଥିତ ନିଜ ବାସ ଭବନ ପର୍ଯ୍ୟନ୍ତ ନିଆଯାଇଥିଲା  । ଏହି ସମୟରେ ଗ୍ରାମବାସୀ ମାନେ ତାଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ୱାଗତ କରିଥିଲେ ।