ସ୍ପେଶାଲ ସ୍କ୍ୱାର୍ଡ ଜାଲରେ ଗଞ୍ଜାମର ଏରାଗୋଲା ଗ୍ୟାଙ୍ଗ୍


ଭୁବନେଶ୍ୱର : ଭୁବନେଶ୍ୱର ସମେତ ବିଭିନ୍ନ ଜିଲ୍ଲା ଓ ରାଜ୍ୟ ବାହାରେ ଆତଙ୍କ ଖେଳାଉଥିବା ଗଞ୍ଜାମ ଜିଲ୍ଲାର ଏରାଗୋଲା ଗ୍ୟାଙ୍ଗର ୧୧ ଜଣ ସଦସ୍ୟଙ୍କୁ ଗିରଫ କରିଛି କମିଶନରେଟ୍ ପୁଲିସର ସ୍ପେଶାଲ ସ୍କ୍ୱାର୍ଡ । ଏମାନଙ୍କର ଲୁଟର ତରିକା ହେଉଛି, ଏହି ଗ୍ୟାଙ୍ଗର ସଦସ୍ୟମାନେ ବାଟୁଳି ମାରି କାର କାଚ ଭାଙ୍ଗନ୍ତି ଓ ଏହାପରେ ଯାହା ପାରନ୍ତି ଲୁଟପାଟ୍ କରିଥାନ୍ତି । ସ୍ପେଶାଲ ସ୍କ୍ୱାର୍ଡ ଏହି ୧୧ ଜଣ ଲୁଟେରାଙ୍କ ଠାରୁ ୧୭ଟି ସୁନା ଚେନ, ୨୫ ଗ୍ରାମ ସୁନା ଅଳଙ୍କାର, ୨ଲକ୍ଷ ୫୦ ହଜାର ଟଙ୍କା, ୬ଟି ବାଇକ ଓ ୫୦ଟି ମୋବାଇଲ ଫୋନ୍ ଜବତ କରାଯାଇଛି । ଏହି ଗ୍ୟାଙ୍ଗ୍ ନିଛାଟିଆ ରାସ୍ତା ହେଉ ଅବା ଜନଗହଳିପୂର୍ଣ୍ଣ ମାର୍କେଟ, ସବୁଠି ଲୁଟପାଟ କରି ବେଶ କିଛି ମାସ ହେବ ପୁଲିସର ନିଦ ହଜାଇ ଦେଇଥିଲେ । ପ୍ରାୟତ ଆନ୍ତଃରାଜ୍ୟ ଲୁଟ ପାଇଁ ଏରାଗୋଲା ଗ୍ୟାଙ୍ଗ ସବୁବେଳେ ଚର୍ଚ୍ଚାରେ ରହିଥିଲା । ଏମାନେ ପାର୍କିଂ ହୋଇଥିବା ବିଭିନ୍ନ କାର୍ ଓ ଗାଡ଼ି ଡିକିରେ ଟଙ୍କା ରଖୁଥିବା ଲୋକ ବିଶେଷ କରି ବ୍ୟାଙ୍କରୁ ବାହାରୁଥିବା ଲୋକଙ୍କୁ ମୁଖ୍ୟତଃ ଟାର୍ଗେଟ କରୁଥିଲେ । ଖାଲି ସେତିକି ନୁହେଁ, ଏମାନେ ରାସ୍ତାରେ ଯାଉଥିବା ଲୋକଙ୍କ ସୁନା ଚେନ ମଧ୍ୟ ଝାମ୍ପି ନେଉଥିଲେ । ଏମାନଙ୍କର ଲୁଟ ତରିକା ମଧ୍ୟ ଭିନ୍ନ ରହିଛି । ପାର୍କିଂ ହୋଇଥିବା କାରର କାଚକୁ ବାଟୁଳି ମାରି ଭାଙ୍ଗୁଥିଲେ ଏବଂ ଲୁହା କଣ୍ଟା ସାହାଯ୍ୟରେ ବାଇକ ଡିକି ଭାଙ୍ଗି ଟଙ୍କା,ସୁନା ନେଇ ଯାଉଥିଲେ । ୧୧ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଯାଜପୁର ଜିଲ୍ଲାର ସମିର ପ୍ରଧାନ ହୋଇଥିବା ବେଳେ ଅନ୍ୟ ସମସ୍ତେ ବିନୋଦ ଦାସ, ଅନିଲ ଦାସ, ଏମ ରାଜୁ, ସିବ ଦାସ, ଏ ପ୍ରସାଦ, ପି ଅଜୟ, ଏ ଅଶୋକ, ପି ସୁବାସ, ଡି ଶ୍ରୀନୀବାସ, ଏନ୍ ରାଜେଶକାହାର ଆଚାରୀ ହେଉଛନ୍ତି ଗଞ୍ଜାମ ଜିଲ୍ଲାର । କମିଶନରେଟ ପୁଲିସ ଅନ୍ତର୍ଗତ ବିଭିନ୍ନ ଥାନାରେ ଏମାନଙ୍କ ନାଁରେ ୨୩ ଟି ମାମଲା ଥିବା ବେଳେ ସାଲେପୁର, ରାଜନଗର, ଗୋଳନ୍ଥରା ଓ ଆନ୍ଧ୍ର ପ୍ରଦେଶରେ ମଧ୍ୟ ଏହି ଅଭିଯୁକ୍ତମାନଙ୍କ ନାଁରେ ସଙ୍ଗୀନ ମାମଲା ରହିଛି ବୋଲି ପୁଲିସ କମିଶନର ସଞ୍ଜୀବ ପଣ୍ଡା ସୂଚନା ଦେଇଛନ୍ତି ।
 ସେ କହିଛନ୍ତି ଯେ ଏରାଗୋଲା ଗ୍ୟାଙ୍ଗର ସଦସ୍ୟମାନେ ବାଟୁଳି ସାହାଯ୍ୟରେ ବଡ଼ ବଡ଼ିଆଙ୍କ ଗାଡିର କାଚ ଭାଙ୍ଗି ସେଥିରେ ଥିବା ଟଙ୍କା ଓ ଦାମୀ ଜିନିଷ ଲୁଟି ବାଇକ ଯୋଗେ ଚମ୍ପଟ ମାରୁଥିଲେ । ଧରା ପଡ଼ିଯିବା ଭୟରେ ଗାଡ଼ିରେ ବ୍ୟବହୃତ ନମ୍ବରକୁ ସେମାନେ ଟ୍ୟାମ୍ପର କରି ନିୟମିତ ବଦଳାଉଥିଲେ । ଖଣ୍ଡଗିରି ଅଞ୍ଚଳର ଜଣେ ବ୍ୟକ୍ତି ଗତ ୧୬ ତରିଖ ଦିନ ସାଢ଼େ ୩ ଲକ୍ଷ ଟଙ୍କା ନେଇ ବ୍ୟାଙ୍କରୁ ଫେରୁଥିବା ବେଳେ ଏହି ଗ୍ୟାଙ୍ଗର ଦୁଇ ଜଣ ଟଙ୍କା ବ୍ୟାଗ ଝାମ୍ପି ନେଇ ଫେରାର ହୋଇଯାଇଥିଲେ । ଏବେ ପୁଲିସ ୧୧ ଜଣଙ୍କୁ ଗିରଫ କରି ନଗଦ ଟଙ୍କା ଜବତ କରିଛି । ଏହା ମଧ୍ୟରୁ ଖଣ୍ଡଗିରି ଅଞ୍ଚଳରୁ ଲୁଟର ଶିକାର ହୋଇଥିବା ବ୍ୟକ୍ତିଙ୍କୁ ଲକ୍ଷେ ଟଙ୍କା ପୁଲିସ ଫେରସ୍ତ କରିଛି । ତେବେ ଏହି ଗ୍ୟାଙ୍ଗର ଆହୁରି ୫ରୁ ୬ ସଦସ୍ୟ ଏବେ ବି ବାହାରେ ରହିଛନ୍ତି । ସେମାନଙ୍କୁ ଗିରଫ କରିବା ପାଇଁ କମିସନରେଟ ପୁଲିସର ଉଦ୍ୟମ ଜାରି ରଖିଛି ।
.