ଆଜି ଧରାବତରଣ କରିବେ ମା’ ଲକ୍ଷ୍ମୀ

କେନ୍ଦ୍ରାପଡା: ଶାରଦୀୟ ପାର୍ବଣର ସମାପନ ସହ ଆଜି ଧରାବତରଣ କରିବେ ଧନଦାତ୍ରୀ ମା’ ଲକ୍ଷ୍ମୀ । ଗଣପର୍ବ ପାଇଁ ଉତ୍ସବମୁଖର କେନ୍ଦ୍ରାପଡା ଜିଲ୍ଲା । ଦେବୀ ଦୁର୍ଗାଙ୍କ ମେଲାଣି ପରେ ମା’ ଲକ୍ଷ୍ମୀଙ୍କ ପୂଜା ପାଇଁ ସଜେଇ ହୋଇଛି କେନ୍ଦ୍ରାପଡା ସହର ସମେତ ଜିଲ୍ଲାର ବିଭିନ୍ନ ଅଞ୍ଚଳ । କେବଳ କେନ୍ଦ୍ରାପଡା ସହରରେ ୫୦ରୁ ଊର୍ଦ୍ଧ୍ବ ସ୍ଥାନରେ ମା’ ମହାଲକ୍ଷ୍ମୀଙ୍କ ପ୍ରତିମା ପୂଜା ପାଇବାକୁ ଥିବା ବେଳେ ଜିଲ୍ଲାର ବିଭିନ୍ନ ସ୍ଥାନରେ ଅନ୍ୟୁନ ୩ଶହରୁ ଅଧିକ ମୃଣ୍ମୟୀ ମୂର୍ତ୍ତି ପୂଜା ପାଇବେ ।ସାରା ରାଜ୍ୟରେ ଲକ୍ଷ୍ମୀ ପୂଜା ପାଇଁ କେନ୍ଦ୍ରାପଡା ସହର ଓ ଜିଲ୍ଲାର ରହିଛି ଭିନ୍ନ ପରିଚୟ । ଏହାକୁ ଜିଲ୍ଲାବାସୀ ଗଣପର୍ବ ଭାବେ ପାଳନ କରିଆସୁଛନ୍ତି । ଜିଲ୍ଲାରେ ଲକ୍ଷ୍ମୀ ପୂଜାର ପରମ୍ପରା ପ୍ରାୟ ୯୬ ବର୍ଷ ପୂର୍ବେ ଆରମ୍ଭ ହୋଇଥିଲା ବୋଲି ତଥ୍ୟ ରହିଛି । କେନ୍ଦ୍ରାପଡା ସହର ୧୭ ନଂ ୱାର୍ଡ ‘ଶ୍ରୀ ଶ୍ରୀ କାକଟ ମଙ୍ଗଳା କ୍ଲବ’ର ଜଣେ ମୁରବୀଙ୍କ କହିବା ଅନୁସାରେ, ୧୯୨୮ ମସିହାରୁ କେନ୍ଦ୍ରାପଡାରେ ମା’ ଲକ୍ଷ୍ମୀଙ୍କ ପୂଜା ଆରମ୍ଭ ହୋଇଥିଲା । ପରେ ୧୯୪୪ ମସିହାରେ ‘କାକଟ ମଙ୍ଗଳା କ୍ଲବ’ ପ୍ରତିଷ୍ଠା ହେଲା । ଏହା ପରଠାରୁ ଏଠାରେ ମା' ମଙ୍ଗଳା କର୍ତ୍ତା ରୂପେ ବସିଥାନ୍ତି, ଯାହାକି ଅନ୍ୟ କୌଣସି ମେଢ଼ରେ ଦେଖା ଯାଇନଥାଏ । ସେହିପରି ଏଠାକାର ପାଇକ ଆଖଡା ଖେଳ ସମ୍ପୂର୍ଣ୍ଣ ଭିନ୍ନ । ମେଳଣକୁ ମା'ଙ୍କ ପ୍ରତିମା ଯିବା ଆଗରୁ ଏଠାରେ ବାଡ଼ି ଖେଳ ହେବାର ଭିନ୍ନ ଏକ ପରମ୍ପରା ରହିଛି ।
କେବଳ କେନ୍ଦ୍ରାପଡା ସହରରେ ୬୯ଟି ମଣ୍ଡପରେ ମା’ ପୂଜା ପାଉଛନ୍ତି । ସେହିପରି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନ,ଡେରାବିଶ,ମାର୍ଶାଘାଇ, ମହାକାଳପଡା,ଆଳି,ପଟ୍ଟାମୁଣ୍ଡାଇ, ରାଜନଗର, ରାଜକନିକା, ଗରଦପୁର ପ୍ରାୟ ୧୫୦ରୁ ଅଧିକ ମଣ୍ଡପରେ ଚଳିତବର୍ଷ ମା’ ପୂଜା ପାଉଛନ୍ତି । ସେହିପରି ଜିଲ୍ଲାର ଅନ୍ୟାନ୍ୟ ସ୍ଥାନକୁ ମିଶାଇଲେ ଛୋଟ ବଡ ପ୍ରାୟ ୩ ଶହ ମଣ୍ଡପରେ ମା’ଙ୍କୁ ଅବାହନ କରାଯାଉଛି । ସମଗ୍ର ବିଶ୍ୱକୁ ଧନଧାନ୍ୟ ଓ ଐଶ୍ୱର୍ୟ୍ୟରେ ଭରି ଦେବାକୁ ଭକ୍ତିପୂତ ପ୍ରଣତି ଜଣାଉଛନ୍ତି ଭକ୍ତମାନେ ।