ମୋ’ ଝିଅ ତ ରହିଲାନି, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ : ବଳଙ୍ଗା ଯୁବତୀଙ୍କ ବାପା

ବଳଙ୍ଗା: ପୁରୀରେ ବିଜେଡିର ହରତାଳକୁ ନେଇ ମୃତ ବଳଙ୍ଗା ଯୁବତୀଙ୍କ ବାପା ପୁଣି ପ୍ରତିକ୍ରିୟା ଦେଇଛନ୍ତି। ସେ କହିଛନ୍ତି, ଆମେ ବହୁତ ଦୁଃଖରେ ଅଛୁ, ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ। ମୋ’ ଝିଅ ତ ରହିଲାନି, ଆମେ କାହାକୁ ଦୋଷ ଦେବାକୁ ଚାହୁଁନୁ। ଏଥିରେ ଆଉ ରାଜନୀତି ନ କରି ଆମକୁ ଆମ ଅବସ୍ଥାରେ ଛାଡ଼ି ଦିଅନ୍ତୁ ବୋଲି ପୁଣି ଅନୁରୋଧ କରିଛନ୍ତି ମୃତ ବଳଙ୍ଗା ଯୁବତୀଙ୍କ ବାପା। ସୂଚନା ଥାଉକି, ପୁରୀ ଜିଲାର ବଳଙ୍ଗାଠାରେ ଏକ ଅଭାବନୀୟ ଘଟଣା ଘଟିଥିଲା। ଉକ୍ତ ନାବାଳିକାଙ୍କ ଦେହରେ କେତେଜଣ ଦୁର୍ବୃତ୍ତ ନିଆଁ ଲଗାଇ ଦେଇଥିଲେ। ଏ ଘଟଣାରେ ପୋଲିସ ଆମୂଳଚୂଳ ତଦନ୍ତ ଜାରି ରଖିଥିଲା। ଦିଲ୍ଲୀ ଏମ୍‌ସରେ ବଳଙ୍ଗା ପୀଡିତାଙ୍କ ବୟାନ ରେକର୍ଡ କରାଯାଇଥିଲା। ବୟାନରେ ପୀଡିତା ଅନେକ ଗୁରୁତ୍ୱପୂର୍ଣ୍ଣ କଥା କହିଥିବା ସୂଚନା ମିଳିଥିଲା। ପରେ ଜୀବନ ଯୁଦ୍ଧରେ ହାରିଯାଇଥିଲେ ପୀଡ଼ିତା ଜଣକ।

ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ କହିଥିଲେ, ପୀଡ଼ିତାଙ୍କ ସ୍ବାସ୍ଥ୍ୟ ସ୍ଥିତି ସମ୍ପର୍କରେ ରାଜ୍ୟ ସ୍ବାସ୍ଥ୍ୟ ମନ୍ତ୍ରୀ, ସ୍ବାସ୍ଥ୍ୟ ବିଭାଗ ଏବଂ ସିଏମଓ ଏମ୍ସ କର୍ତ୍ତୃପକ୍ଷଙ୍କ ସହିତ ଯୋଗାଯୋଗରେ ଅଛନ୍ତି। ଏହି ଘଟଣାରେ ଅପରାଧୀ ଯେଉଁଠାରେ ଥିଲେ ବି ନିଶ୍ଚିତ ଧରାପଡ଼ିବେ। ପୋଲିସ ଟିମ ଅପରେଶନ ମୋଡ୍ରେ ଅଛନ୍ତି। ଆଇନ ଅନୁଯାୟୀ ଅପରାଧୀଙ୍କୁ କଠୋରରୁ କଠୋରତମ ଦଣ୍ଡ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀ କହିଥିଲେ।