ପଡୋଶିଙ୍କୁ ବନ୍ଧୁକ ଦେଖାଇ ଧମକ - ଅଭିଯୁକ୍ତ ଗିରଫ
ଭୁବନେଶ୍ୱର,୯ ।୯ : ପାଚେରି କାମକୁ ବିରୋଧ କରି ଘରୁ ଚୋରା ବନ୍ଧୁକ ଆଣି ଧମକ । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଏକ ବନ୍ଧୁକ ଓ ୫ଟି ଜୀବନ୍ତ ଗୁଳି ଜବତ କରିଛି । ଗିରଫ ଅଭିଯୁକ୍ତ ହେଲେ, ଝାରପଡ଼ା ଦୋଳ ମଣ୍ଡପ ସାହିର ରମେଶ ବେହେରା ଓରଫ ବାବାଜୀ । ପରେ ପୁଲିସ ଥାନା କେସ ନମ୍ବର ୪୮୭ରେ ମାମଲା ରୁଜୁକରି ଦଫା ୧୨୬(୨), ୨୯୬, ୧୧୫(୨), ୧୦୯/୩(୫), ୩୫୧(୨), ୩୫୧(୩) ବିଏନ୍ଏସ୍ ସେକ୍ସନ ୨୫/୨୭ ଆରମ୍ସ ଆକ୍ଟରେ କୋର୍ଟ ଚାଲାଣ କରାଯାଇଛି । ଅନ୍ୟପଟେ ଅଭିଯୁକ୍ତ ଚୋରାରେ ଖୋର୍ଦ୍ଧା ଓ ପୁରୀ ଜିଲ୍ଲା ଡେଲାଙ୍ଗରୁ ବନ୍ଧୁକ ଭୁବନେଶ୍ୱର ଆଣି ବିକ୍ରି କରୁଥିବା ଜଣେ ବନ୍ଧୁକ ଡ଼ିଲରକୁ ମଧ୍ୟ ପୁଲିସ କାବୁ କରି ଥାନାରେ ଅଟକ ରଖି ପଚରା ଉଚରା ଚଳାଇବା ସହ ଚୋରା ବନ୍ଧୁକ ର୍ୟାକେଟ୍କୁ ଧରିବାକୁ ଉଦ୍ୟମ ଚାଲିଥିବା ଡ଼ିସିପି ପ୍ରତୀକ ସିଂହ ସୂଚନା ଦେଇଛନ୍ତି ।
ସୂଚନା ଯୋଗ୍ୟଯେ, ଅଭିଯୋଗକାରୀ ବିଜୟ କୁମାର ବେହେରା ଓ ତାଙ୍କ ପରିବାର ଝାରପଡ଼ା ଦୋଳ ମଣ୍ଡପ ସାହିର ପ୍ଲଟ ନମ୍ବର-୧୨୭୨ରେ ରୁହନ୍ତି । ତାଙ୍କ ପଡ଼ିଶା ଘର ହେଉଛନ୍ତି ଅଭିଯୁକ୍ତ ରମେଶ ବେହେରା । ଏମାନଙ୍କ ମଧ୍ୟରେ ପୂର୍ବରୁ ଘର ମଝିରେ ଥିବା ପାଚେରୀକୁ ନେଇ ବିବାଦ ଲାଗି ରହିଥିଲା । ଗତ ୫ ତାରିଖ ସନ୍ଧ୍ୟା ୬ଟା ସମୟରେ ଅଭିଯୁକ୍ତ ରମେଶ ବେହେରା ପ୍ରଚୁର ମଦପି ଅଭିଯୋଗକାରୀଙ୍କୁ ଗାଳିଗୁଲଜ କରିଥିଲା । ଏନେଇ ଉଭୟଙ୍କ ମଧ୍ୟରେ ଗଣ୍ଡଗୋଳ ହୋଇଥିଲା । ଏହାପରେ ଗତ ୮ ତାରିଖ ରାତି ୮.୩୦ ସମୟରେ ପୁଣି ପାଚେରୀ କାମକୁ ନେଇ ରମେଶ ଅଭିଯୋଗକାରୀ ବିଜୟ ବେହେରାଙ୍କ ସହ ଗଣ୍ଡଗୋଳ କରିଥିଲା । ଏହି ସମୟରେ ଅଭିଯୁକ୍ତ ରମେଶ ଘରକୁ ଯାଇ ଲୁଚାଇ ରଖିଥିବା ଚୋରା ବନ୍ଧୁକ ଆଣି ଜୀବନରୁ ମାରିଦେବାକୁ ଧମକ ଦେଇଥିଲା । ଏନେଇ ଲକ୍ଷ୍ମୀସାଗର ଥାନାରେ ଅଭିଯୋଗକାରିଙ୍କ ସ୍ତ୍ରୀ ଙ୍କ ଅଭିଯୋଗ ପରେ ପୁଲିସ ଅଭିଯୁକ୍ତକୁ ଗିରଫ କରିବା ସହ ତାଠାରୁ ଏକ ବନ୍ଧୁକ ଓ ୫ଟି ଗୁଳି ଜବତ କରାଯାଇଛି । ପଚରା ଉଚରା ବେଳେ ଅଭିଯୁକ୍ତ ଗତ ଦେଢ଼ ବର୍ଷ ତଳେ ଏହି ଚୋରା ବନ୍ଧୁକ ଖୋର୍ଦ୍ଧାରୁ ଜଣେ ଡିଲର ଠାରୁ ୪୫ ହଜାର ଟଙ୍କାରେ କିଣିଥିବା ଜଣାପଡ଼ିଥିଲା । ପରେ ପୁଲିସ ଅଭିଯୁକ୍ତ କିଣିଥିବା ବନ୍ଧୁକ ବେପାରୀକୁ ଖୋର୍ଦ୍ଧାରୁ କାବୁ କରି ଥାନାରେ ଅଟକ ରଖି ତଦନ୍ତ ଚଳାଇଛି । ଏହାସହ ଏହି ଚୋରା ବନ୍ଧୁକ କାରବାର କେଉଁ ପର୍ଯ୍ୟନ୍ତ ଲମ୍ବିଛି ଓ ଏହି କାରବାରରେ ଆଉ କିଏ କିଏ ରହିଛନ୍ତି ଓ କେଉଁଠାରୁ ଏତେ ପରିମାଣର ଚୋରା ବନ୍ଧୁକ ରାଜଧାନୀରେ ବିକ୍ରି ହେଉଛି ସେ ନେଇ ତଦନ୍ତ ଆରମ୍ଭ କରିଛି ସ୍ପେଶାଲ ସ୍କ୍ୱାର୍ଡ ।