ଆପାର୍ଟମେଣ୍ଟରୁ ଲୁଟିନେଲେ ୪୦ ଲକ୍ଷର ସୁନାଗହଣା
ଭୁବନେଶ୍ୱର, ୧୪ା୧୨ : ପୁଣି ଭୁବନେଶ୍ୱର ଉପକଣ୍ଠ ପାହାଳ ଥାନା ଅଞ୍ଚଳରେ ମାତିଲେ ଲୁଟେରା ଗ୍ୟାଙ୍ଗ୍ । ପାହାଳ ଅଞ୍ଚଳରେ ଥିବା ସିଟି ହୋମ ଡୁପ୍ଲେକ୍ସରେ ପଶି ଝିଅ ବାହାଘର ପାଇଁ ରଖାଯାଇଥିବା ୪୦ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଛନ୍ତି ଲୁଟେରା ଗ୍ୟାଙ୍ଗ୍ । ଏନେଇ ଥାନାରେ ଅଭିଯୋଗ ପରେ ପୁଲିସ ମାମଲା ରୁଜୁକରି ତଦନ୍ତ ଆରମ୍ଭ କରିଛି ।
ସୂଚନା ଯୋଗ୍ୟଯେ, ଗତ କିଛିଦିନ ହେବ ରାଜଧାନୀ ଉପକଣ୍ଠ ଅଞ୍ଚଳରେ ମାତିଛନ୍ତି ଆପାର୍ଟମେଣ୍ଟ ଲୁଟେରା ଗ୍ୟାଙ୍ଗ୍ । କିଛି ବୁଝିବା ପୂର୍ବରୁ ଆପାର୍ଟମେଣ୍ଟରୁ ବୁଲାଇ ଦେଉଛନ୍ତି କଳାକାନା । ନେଇଯାଉଛନ୍ତି ଲକ୍ଷାଧିକ ଟଙ୍କାର ସୁନା, ଟଙ୍କା । ସେହିଭଳି ଗତ କିଛିଦିନ ପରେ ପୁଣି ଭୁବନେଶ୍ୱର ଉପକଣ୍ଠ ପାହାଳରେ ମାତିଲେ ଲୁଟେରା ଗ୍ୟାଙ୍ଗ । ଅଞ୍ଚଳରେ ଥିବା ଏକ ସିଟି ହୋମ ଡୁପ୍ଲେକ୍ସରେ ବିଳମ୍ବିତ ରାତିରେ ପଶି ଝିଅ ବାହାଘର ପାଇଁ ରଖାଯାଇଥିବା ୪୦ଲକ୍ଷ ଟଙ୍କାର ସୁନା ଗହଣା ଲୁଟି ନେଇଯାଇଛନ୍ତି ଲୁଟେରା । ଏନେଇ ଆଜି ସକାଳୁ ଘର ମାଲିକ ପାହାଳ ଥାନାରେ ଅଭିଯୋଗ କରିବା ପରେ ପୁଲିସ ଡିଭିଆରରୁ ଭିଡିଓ ସଂଗ୍ରହ କରି, ତଦନ୍ତ ଆରମ୍ଭ କରିଛି । ହେଲେ ଲୁଟେରାଙ୍କ ଟେର ପାଇପାରୁନାହିଁ କମିଶନରେଟ୍ ପୁଲିସ । କାରଣ ବେଶ କିଛିଦିନ ହେବ ଲୁଟେରାମାନେ ଲଗାତାର ଭାବେ ପାହାଳ ଥାନା, ଧଉଳି ଥାନା, ବାଲିଅନ୍ତା ଥାନା, ଚନ୍ଧକା ଥାନା ଅଞ୍ଚଳରେ ଆତଙ୍କ ଖେଳାଇ ପୁଲିସକୁ ଖୋଲା ଚ୍ୟାଲେଞ୍ଚ୍ ଦେଇଆସୁଛନ୍ତି ।