ପଦ୍ମକେଶରୀପୁର ହିଂସା ଘଟଣା, ଆଉ ୩ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ୧୦

ପଦ୍ମକେଶରୀପୁର ହିଂସା ଘଟଣା, ଆଉ ୩ ଗିରଫ, ପୂର୍ବରୁ ଗିରଫ ହୋଇଥିଲେ ୧୦

  •  ଭୁବନେଶ୍ୱର,୨୧ା୮ : ସୁଧ ଟଙ୍କାକୁ କେନ୍ଦ୍ର କରି ପଦ୍ମକେଶରୀପୁର ଗାଁରେ ଗୋଷ୍ଠୀ ସଂଘର୍ଷ ଘଟଣାରେ ଆଉ ୩ ଜଣଙ୍କୁ ଗିରଫ କରିଛି ପୁଲିସ । ଗିରଫ ୩ ଅଭିଯୁକ୍ତ ହେଲେ, ସୌଦାମିନୀ ଦାଶ, କାବେରୀ ଦାଶ ଓ ସୁରଥ ଦାଶ । ପୂର୍ବରୁ ୧୦ ଜଣଙ୍କୁ ଗିରଫ କରାଯାଇ କୋର୍ଟ ଚାଲାଣ କରିଥିଲା ମଞ୍ଚେଶ୍ୱର ଥାନା ପୁଲିସ ।
     ସୂଚନା ଯୋଗ୍ୟଯେ, ଗତ ୮ ମାସ ତଳେ ରଣଖେତ୍ର ପାଲଟିଥିବା ପଦ୍ମକେଶରୀପୁର । ଗତ ଜୁଲାଇ ୬ ତାରିଖ ଶନିବାର ରାତି ୧୧ରେ ପଦ୍ମକେଶରୀପୁର ତଳ ସାହି ଓ ମଝି ସାହିରେ ସୁଧ କାରବାର ଓ ପଞ୍ଚାୟତ ନିର୍ବାଚନକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ । ଏହି ସମୟରେ ମଝିସାହିର ଜଣଙ୍କ ଘରକୁ କିଛି ଯୁବକ ପେଟ୍ରୋଲ ବୋମା ମାଡ କରିଥିଲେ । ବୋମାମାଡ ଶଦ୍ଦ ଶୁଣି ମଝିସାହିର ଶତାଧିକ ଲୋକେ ଏକାଠି ହୋଇ ଠେଙ୍ଗା, ଖଣ୍ଡା, କଟୁରୀ, ଭୁଜାଲି ଧରି ସାମ୍ନାସାମ୍ନି ହୋଇଥିଲେ । ଏହି ସମୟରେ ତଳ ସାହିର ଯୁବକଙ୍କ ଘର ଉପରକୁ ମଧ୍ୟ ବୋମା ମାଡ କରିଥିଲେ ମଝିସାହି ଲୋକେ । ଏହାସହ ଘଟଣା ପୂର୍ବରୁ ବିଦୁ୍ୟତ ସରବରାହ ମଧ୍ୟ କାଟି ଦେଇଥିଲେ । ଏହି ଖବର ପାଇ ମଞ୍ଚେଶ୍ୱର ପୁଲିସ ଗାଁରେ ପହଞ୍ଚିବା ପରେ ଲୋକେ ପୁଲିସକୁ ମଧ୍ୟ ଛାଡ଼ିନଥିଲେ । ପୁଲିସ ଉପରକୁ ହୋଇଥିବା ଟେକା ପଥର ମାଡ଼ । ପରେ ପୁଲିସ ମଧ୍ୟ ନିଜଆଡୁ ଲାଠି ଧରି ଗୋଡାଇବା ସହ ଆହତଙ୍କୁ ଉଦ୍ଧାର କରି ହସ୍ପିଟାଲକୁ ପଠାଇଥିଲା । ପରେ ଗାଁର ୨୦ ଜଣଙ୍କୁ ଉଠାଇବା ସହ ଗାଁର ମୁରବୀଙ୍କ ସହାୟତାରେ ଡାକବାଜି ଯନ୍ତ୍ର ସାହାର୍ଯ୍ୟରେ ଉତ୍ୟକ୍ତ ଲୋକଙ୍କୁ ଶାନ୍ତ କରିବାକୁ ଚେଷ୍ଟା କରିଥିଲେ । ହେଲେ ଗାଁରେ ଚାପା ଉତ୍ତେଜନା ଥିବାରୁ ଗାଁରେ ପୁଲିସ ଫୋର୍ସ ମୁତୟନ କରାଯାଇଥିଲା । ଏହି ସମୟରେ ପୁଣି ଅଞ୍ଚଳରେ ବୋମାମାଡ ଆରମ୍ଭ ହୋଇଥିଲା । ଯାହାଫଳରେ ପୁଲିସ ମାମଲା ରୁଜୁକରି ପୂର୍ବରୁ ଗ୍ରାମର ୧୦ ଜଣଙ୍କୁ ଗିରଫ କରିଥିବା ବେଳେ ଆଜି ପୁଣି ଆଉ ୩ ଜଣଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ସଂଖ୍ୟା ସମୁଦାୟ ୧୩କୁ ବୃଦ୍ଧି ପାଇଛି ।