ଯୁବକଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ ଘଟଣା; ୫ ଗିରଫ

ଯୁବକଙ୍କୁ ଅପହରଣ ପରେ ହତ୍ୟା ଉଦ୍ୟମ ଘଟଣା; ୫ ଗିରଫ

ଭୁବନେଶ୍ୱର,୪ା୧୨ : ରାଜଧାନୀ ଉପକଣ୍ଠ ଗଣ୍ଡପୁର ନଦୀପଠାରେ ସନ୍ତୋଷ ପଣ୍ଡା ନାମକ ଜଣେ ବ୍ୟକ୍ତିଙ୍କୁ ଗୁରୁତର ଅବସ୍ଥାରେ ସୋମବାର ସନ୍ଧ୍ୟାରେ ପୁଲିସ ଉଦ୍ଧାର କରିଥିଲା । ପୁଲିସ ପ୍ରାଥମିକ ତଦନ୍ତରୁ ଜାଣିବାକୁ ପାଇଥିଲା କି, ଜମି ଭାଗବଣ୍ଟାକୁ ନେଇ ସନ୍ତୋଷଙ୍କୁ କିଛି ଲୋକ ଏପରି ମରଣାନ୍ତକ ଆକ୍ରମଣ କରି ଗୁରୁତର ଅବସ୍ଥାରେ ଫୋଫାଡ଼ି ଦେଇଛନ୍ତି । ଏହି ମାମଲାରେ ସନ୍ତୋଷକୁ ମରଣାନ୍ତକ ଆକ୍ରମଣ କରିଥିବା ୫ ଜଣ ଅଭିଯୁକ୍ତଙ୍କୁ ମଞ୍ଚେଶ୍ୱର ଥାନା ପୁଲିସ ବୁଧବାର ଗିରଫ କରିବାରେ ସଫଳ ହୋଇଛି । ଗିରଫ ଅଭିଯୁକ୍ତମାନେ ହେଲେ ପୂର୍ଣ୍ଣଚନ୍ଦ୍ର ସେନାପତି ଓରଫ ଟିକିରା (୪୪),ମହେନ୍ଦ୍ର ସାସମଲ ଓରଫ ଡାକୁଆ (୬୦),ସତ୍ୟଜିତ ସାସମଲ ଓରଫ ଦିଲୁ (୨୭),ଶୈଳନ୍ଦ୍ର ରାଉତ ଓରଫ ସିଲୁ (୫୨) । ଗିରଫ ସମସ୍ତ ଅଭିଯୁକ୍ତଙ୍କ ଘର ନନ୍ଦନକାନନ ଥାନା ଅନ୍ତର୍ଗତ ଗଣ୍ଡରପୁରରେ ବୋଲି ଜଣାପଡ଼ିଛି । ଏମାନଙ୍କ ବ୍ୟତୀତ ମଞ୍ଚେଶ୍ୱର ଥାନା ପାଣ୍ଡରା ଗାଁର ରୋହିତ ଭଞ୍ଜ ଓରଫ ରୋହିତ (୨୬)କୁ ମଧ୍ୟ ପୁଲିସ ଗିରଫ କରିଛି ।
ସୂଚନା ଅନୁଯାୟୀ, କଲ୍ୟାଣପୁର ଗାଁର ଜଳନ୍ଧର ପରିଡ଼ାଙ୍କ ମାମୁଁ ପୁଅ ହେଉଛନ୍ତି କାଳିଆ ମହାନ୍ତି । ଜଳନ୍ଧର ନିଜର ମା’ ସମ୍ପତ୍ତି ଭାଗ ମାମୁଁ ପୁଅ କାଳିଆ ପାଖରୁ ନେବାକୁ ଚାହୁଁଥିଲେ । ଏଥିପାଇଁ ସେ କାଳିଆକୁ ବାରମ୍ବାର ଅନୁରୋଧ କରୁଥିଲେ ମଧ୍ୟ କାଳିଆ କିଛି ବି ଶୁଣୁ ନଥିଲେ । ଫଳରେ ଏନେଇ କୋର୍ଟରେ ଏକ ସିଭିଲ ମାମଲା ମଧ୍ୟ ରୁଜୁ ହୋଇଛି । ଏହାରି ମଧ୍ୟରେ କାଳିଆ ଏହି ଜମିଜମା ମାମଲାକୁ ବୁଝିବା ନିମନ୍ତେ ନିଜ ଶଳା ସଞ୍ଜୟ ସାସମଲକୁ ଦାୟିତ୍ୱ ଦେଇଥିଲେ । ସଞ୍ଜୟ ପ୍ରାଥମିକ ପର୍ଯ୍ୟାୟରେ ଜଳନ୍ଧରଙ୍କ ସହ କଥା ହୋଇଥିଲେ ମଧ୍ୟ ଏଥିରେ କିଛି ସମାଧାନର ସୂତ୍ର ବାହାରି ପାରିନଥିଲା । ଫଳରେ ଜଳନ୍ଧର ଏହି ମାମଲାକୁ ତାଙ୍କ ବନ୍ଧୁ ସନ୍ତୋଷ ପଣ୍ଡାକୁ ବୁଝିବାକୁ କହିଥିଲେ । ସନ୍ତୋଷ ଏହି ମାମଲାକୁ ବୁଝାବୁଝି କରିବାରୁ ଏଥିରେ ଉତ୍ତ୍ୟକ୍ତ ହୋଇ ଜଳନ୍ଧର ହିଁ ବାହାରୁ କିଛି ଯୁବକଙ୍କୁ ଆଣି ତାଙ୍କୁ ଘଟଣାଦିନ ମରଣାନ୍ତକ ଆକ୍ରମଣ କରିଥିବା ପୁଲିସ ତଦନ୍ତ ବେଳେ ଜାଣିବାକୁ ପାଇଛି । ତେବେ ଏହି ମାମଲାର ମୁଖ୍ୟ ମାଷ୍ଟରମାଇଣ୍ଡ ସଞ୍ଜୟ ଘଟଣା ପରଠାରୁ ଫେରାର ରହିଛି ।