ଆଇଏଏସସ୍ତରରେ ବଡ଼ ଅଦଳବଦଳ

IAS resuffle

ଆଇଏଏସସ୍ତରରେ ବଡ଼ ଅଦଳବଦଳ

ଦେଓ ରଞ୍ଜନ ରାଜସ୍ୱ ଓ ସତ୍ୟବ୍ରତ ହେଲେ ଗୃହ ବିଭାଗ ଏସିଏସ
 ଭୁବନେଶ୍ୱର : ରାଜ୍ୟ ସରକାର ଆଜି ଆଇଏଏସସ୍ତରରେ ଏକ ବଡ଼ ଧରଣର ଅଦଳବଦଳ କରିଛନ୍ତି  । ବରିଷ୍ଠ ଆଇଏଏସ ଅଧିକାରୀ ସତ୍ୟବ୍ରତ ସାହୁଙ୍କୁ ଗୃହ ବିଭାଗର ଏସସିଏସ ଭାବେ ନିଯୁକ୍ତି ମିଳିଛି  । ସେହିପରି ଜଙ୍ଗଲ, ପରିବେଶ ଓ ଜଳବାୟୁ ପରିବର୍ତନ ବିଭାଗର ଏସିଏସ ଭାବେ ମଧ୍ୟ ସେ ଅତିରିକ୍ତ ଦାୟିତ୍ୱ ତୁଲାଇବେ  । ଦେଓରଞ୍ଜନ ସିଂହଙ୍କୁ ରାଜସ୍ୱ ଓ ବିପର୍ଯ୍ୟୟ ପରିଚାଳନା ବିଭାଗର ଏସିଏସ ଭାବେ ନିଯୁକ୍ତି ଦିଆଯାଇଛି  । ସେହିପରି ତାଙ୍କୁ ସ୍ୱତନ୍ତ୍ର ରିଲିଫ କମିଶନର ଏବଂ ଓସଡ଼ମାର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ମଧ୍ୟ ମିଳିଛି  । ଅପରପକ୍ଷରେ ସୁରେନ୍ଦ୍ର କୁମାରଙ୍କୁ ଇସ୍ପାତ ଓ ଖଣି ବିଭାଗର ଏସିଏସ ଭାବେ ନିଯୁକ୍ତି ମିଳିଛି  । ଏହାଛଡ଼ା ସେ ସାଧାରଣ ପ୍ରଶାସନ ଓ ଅଭିଯୋଗ ଶୁଣାଣୀ ବିଭାଗ, ସଂସଦୀୟ ବ୍ୟାପାର ବିଭାଗ, ଓଏମସି ଅଧ୍ୟକ୍ଷ, ଇଡ଼କୋର ଅଧ୍ୟକ୍ଷ ଭାବେ ପୂର୍ବଭଳି ଦାୟିତ୍ୱରେ ରହିବେ  ।
ହେମନ୍ତ ଶର୍ମାଙ୍କୁ ଶକ୍ତି ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ମିଳିଛି  । ସେ ପୂର୍ବଭଳି ଶିଳ୍ପ ବିଭାଗର ପ୍ରମୁଖ ସଚିବ, ଇପିକଲର ଅଧ୍ୟକ୍ଷ ଏବଂ ଏମଏସଏମଇ ବିଭାଗର ଦାୟିତ୍ୱରେ ମଧ୍ୟ ରହିବେ  । ସାମାଜିକ ସୁରକ୍ଷା ଏବଂ ଭିନ୍ନକ୍ଷମ ସଶକ୍ତିକରଣ ବିଭାଗର ପ୍ରମୁଖ ସଚିବ ଥିବା ବିଷ୍ଣୁପଦ ସେଠୀଙ୍କୁ  ଅତିରିକ୍ତ ଭାବେ ଏସଟିଏସି ବିକାଶ ବିଭାଗ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ପ୍ରମୁଖ ସଚିବ ଭାବେ ନିଯୁକ୍ତି ମିଳିଛି  । ଉଷା ପାଢ଼ୀଙ୍କୁ ଗୃହ ଓ ନଗର ଉନ୍ନୟନ ବିଭାଗର ପ୍ରମୁଖ ସଚିବ କରାଯାଇଛି  । ଏହାଛଡ଼ା ସେ ପୂର୍ବଭଳି ବାଣିଜ୍ୟ ଓ ପରିବହନ ବିଭାଗର ପ୍ରମୁଖ ସଚିବ ଭାବେ ମଧ୍ୟ କାର୍ଯ୍ୟ କରିବେ  ।
ଶିଳ୍ପ ବିଭାଗର ସ୍ୱତନ୍ତ୍ର ସଚିବ ଥିବା ବିଶାଳ ଗଗନଙ୍କୁ ନୂଆଦିଲ୍ଲୀସ୍ଥିତ ଆବାସିକ କମିଶନର କାର୍ଯ୍ୟାଳୟର ପ୍ରମୁଖ ଆବାସିକ କମିଶନର ଭାବେ ନିଯୁକ୍ତି ମିଳିଛି  । ଅପରପକ୍ଷରେ ରାଜ୍ୟପାଳଙ୍କ ପ୍ରମୁଖ ସଚିବ ଥିବା ଏନବିଏସ ରାଜପୁତଙ୍କୁ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗର ପ୍ରମୁଖ ସଚିବ ଭାବେ ଅତିରିକ୍ତ ଦାୟିତ୍ୱ ପ୍ରଦାନ କରାଯାଇଛି  । 
ଶାଳିନୀ ପଣ୍ଡିତଙ୍କୁ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ପ୍ରମୁଖ କମିଶନର ସଚିବ ଭାବେ ନିଯୁକ୍ତି ଦିଆଯାଇଥିବାବେଳେ ମିଶନ ଶକ୍ତିର ଅତିରିକ୍ତ ଦାୟିତ୍ୱରେ ମଧ୍ୟ ରହିବେ  । ଅଶ୍ୱସ୍ଥି ଏସଙ୍କୁ ସ୍ୱାସ୍ଥ୍ୟ ବିଭାଗର କମିଶନର ସଚିବ ଭାବେ ନିଯୁକ୍ତି ଦିଆଯାଇଛି  । ରୁପା ରୋଷନ ସାହୁଙ୍କୁ ବ୍ରହ୍ମପୁର ଦକ୍ଷିଣ ଡିଭିଜନର ଆରଡ଼ିସି ଭାବେ ନିଯୁକ୍ତି ମିଳିଥିବାବେଳେ ସଚିନ ରାମଚନ୍ଦ୍ର ଯାଦବଙ୍କୁ ସମ୍ବଲପୁର ଉତର ଡିଭିଜନର ଆରଡ଼ିସି ଭାବେ ନିଯୁକ୍ତି ପ୍ରଦାନ କରାଯାଇଛି  । ଏତଦବ୍ୟତୀତ ବଳବନ୍ତ ସିଂଙ୍କୁ ପର୍ଯ୍ୟଟନ ବିଭାଗର କମିଶନର ସଚିବ ଭାବେ ନିଯୁକ୍ତି ମିଳିଥିବାବେଳେ ଓଏମସିର ପରିଚାଳନା ନିର୍ଦ୍ଦେଶକ, ଇଡ଼କୋର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ  ।
ଯାମିନୀ ଷଡ଼ଙ୍ଗୀ ଏବେ ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଥିବାବେଳେ ତାଙ୍କୁ ଅତିରିକ୍ତ ଭାବେ ଅର୍ଥ ବିଭାଗର ସ୍ୱତନ୍ତ୍ର ସଚିବ ଓ ବାଣିଜ୍ୟିକ ଟିକସ ଓ ଜିଏସଟିର କମିଶନର ଦାୟିତ୍ୱ ମଧ୍ୟ ମିଳିଛି  । ବି ପରମେଶ୍ୱରନଙ୍କୁ କଟକ କେନ୍ଦ୍ରୀୟ ଡିଭିଜନର ଆରଡ଼ିସି ଭାବେ ନିଯୁକ୍ତି ମିଳିଥିବାବେଳେ ଡକ୍ଟର ନୁନ ସାଭଥ ଥିରୁମଲା ନାଏକଙ୍କୁ ବିଡ଼ିଏର ଉପାଧ୍ୟକ୍ଷ ଭାବେ ନିଯୁକ୍ତି ମିଳିଛି  । ଏହାଛଡ଼ା ସେ ଭୁବନେଶ୍ୱର ସ୍ମାର୍ଟ ସିଟି ଲିମିଟେଡ଼ ଏବଂ କ୍ରୁଟର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଇବେ  । ସମର୍ଥ ବର୍ମାଙ୍କୁ ପର୍ଯ୍ୟଟନ ବିଭାଗର ନିର୍ଦ୍ଦେଶକ ଭାବେ ଦାୟିତ୍ୱ ମିଳିଥିବାବେଳେ ସେ ଓଟିଡ଼ିସି ଏବଂ ଓଡ଼ିଶା ଫିଲ୍ମ ଡେଭଲପମେଂଟ କର୍ପୋରେସନର ପରିଚାଳନା ନିର୍ଦ୍ଦେଶକ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ  । ଅନନ୍ୟା ଦାସଙ୍କୁ ଓଡ଼ିଶା ବିଦ୍ୟାଳୟ ଶିକ୍ଷା କାର୍ଯ୍ୟକ୍ରମ କର୍ତୃପକ୍ଷର ରାଜ୍ୟ ପ୍ରକଳ୍ପ ନିର୍ଦ୍ଦେଶକ ଭାବେ ନିଯୁକ୍ତି ମିଳିଛି  ।