ପରମାନନ୍ଦ ପ୍ରାପ୍ତି

ଡ. ଅମୂଲ୍ୟ କୁମାର ପଣ୍ଡା  : ଭଗବାନ୍‌ ସର୍ବଜ୍ଞ ଅଟନ୍ତି । ନିଜର ମଙ୍ଗଳ କେଉଁଥିରେ, ତାହା ସେ ଭଲ ଭାବରେ ଜାଣନ୍ତି । ଅତଏବ ତାଙ୍କ ଉପରେ ଦୃଢ ଅତୁଟ ବିଶ୍ୱାସ ରଖି କୌଣସି ପ୍ରକାର ଚିନ୍ତା କରିବ ନାହିଁ । ଯେଭଳି ଜଣେ ଚକ୍ଷୁ ବିହୀନ ବ୍ୟକ୍ତି ମଧୁ ଖାଇ ଆନନ୍ଦରେ ମଗ୍ନ ହୋଇଯାଏ, ସେହିଭଳି ଭଗବାନଙ୍କର ଦୟା ଉପରେ ବିଚାରକରି ସେଥିରେ ନିମଗ୍ନ ହୋଇଯିବା ଦରକାର, ଅନ୍ୟ କୌଣସି କଥାର ବିଚାର କରିବା ଉଚିତ ନୁହେଁ  । ଭଗବାନଙ୍କ ବିଚାରରେ ରାଜି ହୋଇଯିବା ଦରକାର, ଚାହେଁ ଖାଲ ମଧ୍ୟରେ ପତିତ ହୁଅ, ସେଥିରେ କୌଣସି ଆପତ୍ତି ନାହିଁ । ସେଥିରେ ହିଁ ପ୍ରସନ୍ନ ରହିବା ଦରକାର । ଆଉ ସେହି ଭଗବତ୍‌ ଆନନ୍ଦର ଦୃଢତା ସହକାରେ ପ୍ରଚାର କର, ଯେପରି ଅନ୍ୟ ସମସ୍ତେ ମଧ୍ୟ ସେହି ଆନନ୍ଦରେ ମୁଗ୍ଧ ହୋଇଚାଲିବେ । ଏଭଳି ସ୍ଥିତି ହେବା ଦରକାର କି, ଯଦି ସେ ସମୟରେ କେହି ତାଙ୍କୁ ଅଗ୍ନିରେ ନିକ୍ଷେପ କରନ୍ତି ତାହା ମଧ୍ୟ ତାଙ୍କୁ ଜଣାପଡିବ ନାହିଁ ।  ଯଦି ବିକାର ଉତ୍ପନ୍ନ ହୁଏ, ତେବେ ତାହା ମୂର୍ଖତା ମାତ୍ର, ଅଜ୍ଞତା ହିଁ ତାହାର କାରଣ ହୋଇପାରେ । ଅତଏବ ପ୍ରତ୍ୟେକ ବ୍ୟକ୍ତିଙ୍କୁ ନିଜ ଶକ୍ତି ଅନୁସାରେ ସାଧନ ଜାରି ରଖିବା ଦରକାର ଆଉ ଭଗବାନଙ୍କର ଅସୀମ ଦୟାର ଅନୁଭବ କରି ମୁଗ୍ଧ ହେବା ଦରକାର । ଫଳତଃ ଏହି ସାଧନରେ ଯେତେ ସମୟ ଲଗ୍ନ ହୋଇରହିବ, ଆନନ୍ଦ ସେତିକି ସେତିକି ଅନୁଭବ ହୋଇ ଚାଲିବ। ତଥା ପରିଣାମତଃ ପରମାନନ୍ଦ ପ୍ରାପ୍ତି ହୋଇପାରିବ, ଏଥିରେ କୌଣସି ସନ୍ଦେହ ନାହିଁ ।
ମୋ:୯୯୩୮୯୦୬୦୭୦