ସଫଳତା, ବିଫଳତା ଆଉ ଅଭିଜ୍ଞତା

ଆଜ୍ଞା ନମସ୍କାର,
ଛୋଟ କଥାର ବଡ ବିଚାର 'ଅମୃତ ବିନ୍ଦୁ  ।' 'ଅମୃତ ବିନ୍ଦୁ'ର ଆଜିର ଅଧ୍ୟାୟରେ ଆମେ ଅବଗତ ହେବା ଜୀବନରେ ସଫଳତା, ବିଫଳତା ଆଉ ଅଭିଜ୍ଞତାକୁ ନେଇ କିଛି ସାରଗର୍ଭକ କଥା, ସଂକ୍ଷେପରେ । ଆଜିର କଥାକୁ ଆପଣ ଗ୍ରହଣ କରିବେ, ବିଚାରିବେ ବୋଲି ଆଶା । ଜୀବନରେ ଆନୁଷ୍ଠାନିକ ଶିକ୍ଷା ସହିତ ଅଣ-ଆନୁଷ୍ଠାନିକ ଶିକ୍ଷାର ମଧ୍ୟ ଗୁରୁତ୍ୱ ରହିଛି । ଅଣ-ଆନୁଷ୍ଠାନିକ ଶିକ୍ଷା ହେଉଛି ଜୀବନର ଅଭିଜ୍ଞତା  । ଜୀବନରେ ବାରମ୍ବାର ଅସଫଳ ହେଉଥିବା ବ୍ୟକ୍ତି ଜଣେ ଅଭିଜ୍ଞ ବ୍ୟକ୍ତି । ପ୍ରତ୍ୟେକଟି ଅସଫଳତା ପରେ ଅସଫଳତାର କାରଣ ସେ ମନେ ମନେ ବିଶ୍ଳେଷଣ କରେ । ଅସଫଳତାର କାରଣ ଖୋଜି ସେସବୁକୁ ସେ ଭବିଷ୍ୟତ ଜୀବନ ପାଇଁ କାର୍ଯ୍ୟରେ ଲଗାଏ  । ପ୍ରତ୍ୟେକ ସଫଳତାର ଅନେକ ପିତା ଅଛନ୍ତି, କିନ୍ତୁ ବିଫଳତାର କେହି ନାହାନ୍ତି, ଅନାଥ  । ବିଫଳତା ସତେ ଯେମିତି ବାପମାଆ ଛେଉଣ୍ଡ । ଏତିକି ଅନୁଭବ କରିବା ହିଁ ସବୁଠାରୁ ବଡ ଅଭିଜ୍ଞତା । ସମ୍ପଦ ବେଳେ ସର୍ବ ସଖା, ବିପଦେ ନ ଦିଅନ୍ତି ଦେଖା । ଏହି ଶିକ୍ଷାକୁ ପିଲାଦିନୁ ପିଲାଙ୍କୁ ପଢାଯାଏ  । ସବୁକ୍ଷେତ୍ରରେ ସଫଳ ହୋଇଥିବା ବ୍ୟକ୍ତିକୁ ପ୍ରଶଂସା କରିବା ପାଇଁ ଅନେକ ଲୋକ ଆସନ୍ତି  । ହେଲେ ବିଫଳ ହୋଇଥିବା ବ୍ୟକ୍ତିକୁ ସହାନୁଭୂତି ଜଣାଇବା ପାଇଁ ଲୋକ ଏ ସଂସାରରେ ଊଣା  । ଜୀବନରେ ବହୁ ବିଫଳତାର ମୁହଁ ଦେଖିଥିବା ବ୍ୟକ୍ତି ଅନେକାଂଶରେ ଅଭିଜ୍ଞ । ଜୀବନଯୁଦ୍ଧ କ୍ଷେତ୍ରରେ ଏ ପ୍ରକାରର ବ୍ୟକ୍ତିମାନେ ଅନ୍ୟ କିଛି କ୍ଷେତ୍ରରେ ସଫଳ ହୋଇଥାନ୍ତି । ତେଣୁ ବିଫଳତାର ସ୍ୱାଦ ଚାଖିଥିବା ବ୍ୟକ୍ତି ପ୍ରକୃତରେ ଅଭିଜ୍ଞ । ଯେଉଁମାନେ ଜୀବନରେ ସଫଳତା ପାଇନାହାନ୍ତି, ସେମାନଙ୍କୁ ମୁର୍ଖ ବୋଲି ଭାବିବା ଅନୁଚିତ୍‌ । ଜୀବନର ବିବିଧ କ୍ଷେତ୍ରରେ ଅଭିଜ୍ଞତା ଥିବା ବ୍ୟକ୍ତିଙ୍କୁ ସମ୍ମାନ ଦେଇ ଲୋକେ ତାଙ୍କର ପରାମର୍ଶ ଲୋଡନ୍ତି । ସାମାଜିକ ଜୀବନରେ ମନୁଷ୍ୟ ଭଲମନ୍ଦ, ସୁଖଦୁଖ ଅନେକ ପ୍ରକାରର ପରିସ୍ଥିତି ଦେଇ ଜୀବନ ବିତାଏ । ଏହି ସମସ୍ତ ପରିସ୍ଥିତି ହେଉଛି ଗୋଟିଏ ଗୋଟିଏ ଅଭିଜ୍ଞତା । ଏସବୁଥିରୁ ଅନେକ କିଛି ସକାରାତ୍ମକ ତଥା ସକାରାତ୍ମକ ଶିକ୍ଷା ମନୁଷ୍ୟ ପାଏ  । ଦେଖିବାକୁ ଗଲେ ଜନ୍ମରୁ ମୃତ୍ୟୁ ପର୍ଯ୍ୟନ୍ତ ମଣିଷ ସଫଳତା ଓ ବିଫଳତା ଉଭୟ ଦେଖେ  । ସେ ସମସ୍ତ ଅଭିଜ୍ଞତା ତାକୁ ଅନ୍ୟ କୌଣସି କ୍ଷେତ୍ରରେ ସଫଳତା ହାସଲ ନିମିତ୍ତ ପ୍ରେରଣା ଦେଇଥାଏ । ଅଭିଜ୍ଞ ମନୁଷ୍ୟ ହେଉଛି ପ୍ରକୃତରେ ଜ୍ଞାନୀ । ପଢିଥିବା ହେତୁ ଆପଣଙ୍କ ନିକଟରେ କୃତଜ୍ଞ  । ନମସ୍କାର ।